ଫିଞ୍ଚ ଓ ସ୍ମିଥଙ୍କ ଶତକ : ୬୬ ରନରେ ଜିତିଲା ଅଷ୍ଟ୍ରେଲିଆ
ଫିଞ୍ଚ ଓ ସ୍ମିଥଙ୍କ ଶତକ : ୬୬ ରନରେ ଜିତିଲା ଅଷ୍ଟ୍ରେଲିଆ
admin
Nov 27, 2020 - 12:39
Updated: Nov 27, 2020 - 12:39
ସିଡନୀ : ଭାରତ ଏବଂ ଅଷ୍ଟ୍ରେଲିଅ ମଧ୍ୟରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚକୁ ୬୬ ରନରେ ଜିତି ନେଇଛି ଅଷ୍ଟ୍ରେଲିଆ । ଦୀର୍ଘ ୮ ମାସର ବ୍ୟବଧାନ ପରେ ପଡିଆକୁ ଓହ୍ଲାଇଥିବା ଭାରତୀୟ ଦଳର ବୋଲିଂ ସାଧାରଣ ମନେ ହୋଇଥିଲା । ଟସ୍ ଜିତି ଅଧିନାୟକ ଆରୋନ ଫିଞ୍ଚ ପ୍ରଥମେ ବ୍ୟାଟିଂର ନିଷ୍ପତ୍ତି ନେଇଥିଲେ । ଅଧିନାୟକ ଫିଞ୍ଚ ଏବଂ ପୂର୍ବତନ ଅଧିନାୟକ ଷ୍ଟିଭ ସ୍କିଥଙ୍କ ଶତକ ବଳରେ ଅଷ୍ଟ୍ରେଲିଆ ନିର୍ଦ୍ଧାରିତ ଓଭରରେ ୬ ୱିକେଟ ବିନିମୟରେ ୩୭୪ ରନ ସଂଗ୍ରହ କରିଥିଲା । ଜବାବରେ ହାର୍ଦ୍ଧିକ ପାଣ୍ଡ୍ୟା ଏବଂ ଶିଖର ଧୱନଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ଭାରତ ବିଜୟରୁ ୬୬ ରନ ଦୂରରେ ରହିଯାଇଥିଲା । ଆରମ୍ଭରୁ ଦୁଇ ଓପ୍ନର ୱାର୍ଣ୍ଣର ଏବଂ ସ୍ମିଥ ସମ୍ପୂର୍ଣ୍ଣ ଧୀମା ଆରମ୍ଭ କରିଥିଲେ । ତେବେ ଧୀରେ ଧୀରେ ଉଭୟ ରନ ଗତି ବଢାଇବା ସହିତ ପ୍ରଥମ ୱିକେଟରେ ୧୫୬ ରନର ଭାଗିଦାରୀ କରିଥିଲେ । ୭୬ ଟି ବଲରୁ ୬ଚୌକା ସହିତ ୱାର୍ଣ୍ଣର ଆଉଟ ହୋଇଥିଲେ । ଏହାପରେ କ୍ରିଜରେ ଯୋଗ ଦେଇଥିଲେ ବିପଜ୍ଜନକ ସ୍ମିଥ । ଫିଞ୍ଚ ଓ ସ୍ମିଥଙ୍କ ମଧ୍ୟରେ ୭୧ ବଲରେ ୧୦୮ ରନର ଭାଗିଦାରୀ ହୋଇଥିଲା । ମାତ୍ର ୬ଟି ବଲ ବ୍ୟବଧାନରେ ଫିଞ୍ଚ(୧୨୪) ଏବଂ ମାର୍କସ ଷ୍ଟୋଇନିସ(୦) ଆଉଟ ହୋଇଥିଲେ ମଧ୍ୟ ରନଗତି ଉପରେ ଅଙ୍କୁଶ ଲଗାଇବାରେ ଏହା ବିଫଳ ହୋଇଥିଲା । ଫିଞ୍ଚ ୧୨୪ଟି ବଲର ସମ୍ମୁଖୀନ ହୋଇ ୯ଟି ଚୌକା ଏବଂ ଦୁଇଟି ଛକ୍କା ସହାୟତାରେ ୧୧୪ ରନର ଇନିଂସ ଖେଳିଥିଲେ ।
ତେବେ ସ୍ମିଥ କିଛି ଅଲଗା ଯୋଜନାରେ ରହିଥିଲେ । ସ୍ମିଥ ୬୬ଟି ବଲର ସମ୍ମୁଖୀନ ହୋଇ ୧୧ଟି ଚୌକା ଏବଂ ୪ଟି ବିଶାଳ ଛକ୍କା ସହାୟତାରେ ୧୦୫ ରନ ସଂଗ୍ରହ କରିଥିବା ବେଳେ ମ୍ୟାକ୍ସୱେଲ ୧୯ଟି ବଲରୁ ୪୫ ରନ ସଂଗ୍ରହ କରିଥିଲେ । ଏହି ଇନିଂସ ମଧ୍ୟରେ ୫ ଚୌକା ଏବଂ ୩ଟି ଛକ୍କା ସାମିଲ ଥିଲା । ଦୁଇ ବ୍ୟାଟ୍ସମ୍ୟାନଙ୍କ ଦମଦାର ବ୍ୟାଯିଂ ଫଳରେ ଦଳ ୫୦ ଓଭରରେ ୬ ୱିକେଟ ହରାଇ ୩୭୪ ରନ ସଂଗ୍ରହ କରିଥିଲେ । ଭାରତ ପକ୍ଷରୁ ମହମ୍ମଦ ଶାମି ୫୯ ରନ ବିନିମୟରେ ୩ଟି ୱିକେଟ ଅକ୍ତିଆର କରିଥିବା ବେଳେ ବୁମରା, ସାଇନି ଏବଂ ଚହଲ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ । ଉଭୟ ଚହଲ ଏବଂ ସାଇନି ନିଜ କୋଟାରେ ଯଥାକ୍ରମେ ୮୯ ଏବଂ ୮୩ ରନ ବ୍ୟୟ କରିଥିଲେ ।
ଭାରତୀୟ ଇନିଂସର ଆରମ୍ଭ ସମ୍ପୂର୍ଣ୍ଣ ଦମଦାର ରହିଥିଲା । ଦୁଇ ଓପନର ଶିଖର ଧୱନ(୭୪) ଏବଂ ମୟଙ୍କ ଅଗ୍ରୱାଲ(୨୨) ମାତ୍ର ୫ ଓଭରରେ ୫୩ ରନ ଯୋଡିଥିଲେ । ଆକ୍ରମଣାତ୍ମକ ସଟ ଖେଳିବାକୁ ଯାଇ ମୟଙ୍କ ନିଜ ୱିକେଟ ହରାଇଥିଲେ । ବିରାଟ କୋହଲି(୨୧) ଏବଂ ଧୱନଙ୍କ ମଧ୍ୟରେ ୨୫ ରନର ଭାଗିଦାରୀ ହୋଇଥିଲେ ମଧ୍ୟ ମାତ୍ର ତିନି ବଲ ବ୍ୟବଧାନରେ କୋହଲି ଏବଂ ଶ୍ରେୟସ ଆୟରଙ୍କ ୱିକେଟ ହରାଇ ସଙ୍କଟରେ ପଡିଥିଲା ଭାରତ । ଆଇପିଏଲର ଅରେଞ୍ଜ କ୍ୟାପ ହୋଲ୍ଡର କେ ଏଲ ରାହୁଲ ଆଡାମ ଜାମ୍ପାଙ୍କ ପ୍ରଥମ ଶିକାର ହୋଇଥିଲେ ।
ରାହୁଲଙ୍କ ୱିକେଟ ପତନ ପରେ କ୍ରିଜରେ ଯୋଗ ଦେଇଥିଲେ ହାର୍ଦ୍ଧିକ ପାଣ୍ଡ୍ୟା । ପାଣ୍ଡ୍ୟା (୯୦) ଏବଂ ଧୱନଙ୍କ ମଧ୍ୟରେ ୧୨୮ ରନର ଭାଗିଦାରୀ ହୋଇଥିଲା । ତେବେ ରନ ଗତି ବଢାଇବା ଲକ୍ଷ୍ୟରେ ଉଭୟ ନିଜ ୱିକେଟ ହରାଇଥିଲେ । ପାଣ୍ଡ୍ୟା ୭୬ ବଲରୁ ୭ ଚୌକା ଏବଂ ୪ ଛକ୍କା ସହାୟତାରେ ୯୦ ରନ୍ ସଂଗ୍ରହ କରିଥିବା ବେଳେ ଧୱନ ୮୬ ବଲର ସମ୍ମୁଖୀନ ହୋଇ ୧୦ଟି ଚୌକା ମାରିଥିଲେ । ଶେଷ ଭାଗରେ ନବଦୀପ ସାଇନି (୨୯ଞ୍ଚ) ଏବଂ ରବୀନ୍ଦ୍ର ଜାଡେଜା (୨୫)ଙ୍କ ସ୍କୋର ବଳରେ ଦଳ ୩୦୦ ରନ ପାର କରିବା ସହିତ ପରାଜୟ ବ୍ୟବଧାନ କମ କରିଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ଆଡାମ ଜାମ୍ପା ୫୪ ରନରେ ୪ଟି ଏବଂ ହାଜେଲଉଡ ୫୫ ରନରେ ୩ଟି ୱିକେଟ ଅକ୍ତିଆର କରିଥିଲେ । ଷ୍ଟିଭେନ ସ୍ମିଥଙ୍କୁ ମ୍ୟାଚର ଶ୍ରେଷ୍ଠ ଖେଳାଳି ଘୋଷଣା କରାଯାଇଥିଲା ।