ପ୍ରେମିକାର ପ୍ରାଣାନ୍ତକ ଆକ୍ରମଣରେ ପୁରୁଣା ପ୍ରେମିକ ଆହତ, ଜାଣନ୍ତୁ କାରଣ

ପ୍ରେମିକାର ପ୍ରାଣାନ୍ତକ ଆକ୍ରମଣରେ ପୁରୁଣା ପ୍ରେମିକ ଆହତ, ଜାଣନ୍ତୁ କାରଣ

ପ୍ରେମିକାର ପ୍ରାଣାନ୍ତକ ଆକ୍ରମଣରେ ପୁରୁଣା ପ୍ରେମିକ ଆହତ, ଜାଣନ୍ତୁ କାରଣ

ଭୁବନେଶ୍ୱର : ବଦଳି ଯାଇଥିଲା ପ୍ରେମ। ରହିଯାଇଥିଲା ସ୍ମୃତି। ଯାହାକୁ ଭୁଲି ପାରି ନଥିଲା ପ୍ରେମିକ। ହେଲେ ଏପଟେ ନୂଆ ପ୍ରେମିକକୁ ନେଇ ମସଗୁଲ୍‌ ପ୍ରେମିକା। ଯାହାକୁ ସହିପାରି ନଥିଲା ପୁରୁଣା ପ୍ରେମିକ। ତାପରେ ହେଲା ଏମିତି।  ପ୍ରେମିକ ପାଖରେ ରହି ଯାଇଥିଲା ପ୍ରେମିକାର ଅନେକ ଅନ୍ତରଙ୍ଗ ଫଟୋ ଓ ଭିଡିଓ । ଯାହା ପ୍ରେମିକାର ଚିନ୍ତାର କାରଣ ସାଜିଥିଲା । ପ୍ରଥମ ପ୍ରେମିକ ଏହି ଫଟୋକୁ ରଖିଥିବାବେଳେ ରକ୍ତମୁଖା ହୋଇଯାଇଥିଲା ପ୍ରେମିକା । ଫଟୋ ଡିଲିଟ୍ କରିଦେବା ପାଇଁ କହି ନିରାଶ ହେବା ପରେ ରାସ୍ତାରୁ ହଟାଇ ଦେବାକୁ ନିଷ୍ପତ୍ତି ନେଇଥିଲା । ନୂଆ ପ୍ରେମିକ ଓ ତାର ସହଯୋଗୀମାନଙ୍କ ସହାୟତା ନେଇ ପୁରୁଣା ପ୍ରେମିକ ଉପରେ ପ୍ରାଣାନ୍ତକ ଆକ୍ରମଣ କରିଥିଲା। ତେବେ ଅଳ୍ପକେ ବର୍ତ୍ତି ଯାଇଛନ୍ତି ପୁରୁଣା ପ୍ରେମିକ । ଆଉ ଏବେ ଫେରାର ପ୍ରେମିକା, ତାର ନୂଆ ପ୍ରେମିକ ଓ ୪ ଜଣ ସହଯୋଗୀଙ୍କୁ ଧରିବା ପାଇଁ ଉଭୟ ବଡ଼ଗଡ଼ ଓ ଶ୍ରୀଲିଙ୍ଗରାଜ ଥାନା ପୁଲିସ ମିଳିତ ଭାବେ ଚଢ଼ଉ ଜାରି ରଖିଛି। 


ଆକ୍ରମଣକାରୀମାନେ ପୁରୁଣା ଭୁବନେଶ୍ୱର ଅଞ୍ଚଳର ହୋଇଥିବା ବେଳେ ତିନି ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇ ସାରିଥିବା ଜଣାପଡ଼ିଛି । ଆକ୍ରମଣର ଶିକାର ହୋଇଥିବା ଯୁବକ ଦେବାଶିଷଙ୍କ ଘର ନିଆଳିରେ। ସେ ପୁରୁଣା ଭୁବନେଶ୍ୱର ଅଞ୍ଚଳରେ ରହି ପାଠ ପଢ଼ିଲାବେଳେ ନିକଟରେ ରହୁଥିବା ଯୁବତୀଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଏପରିକି ସେ ଯୁବତୀଙ୍କ ଘରେ ମଧ୍ୟ କିଛିଦିନ ଭଡ଼ାରେ ରହିଥିଲେ । ପ୍ରାୟ ୪/୫ ବର୍ଷ ଧରି ସେମାନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ନିବିଡ଼ ହୋଇଥିଲା। ଏହାପରେ ଯୁବତୀଙ୍କର ଅନ୍ୟ ଜଣେ ଯୁବକଙ୍କ ସହ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ଦେବାଶିଷଙ୍କ ସହ ସମ୍ପର୍କ ଭାଙ୍ଗି ଯାଇଥିଲା। ଦେବାଶିଷଙ୍କର ପାରାଦୀପରେ ଚାକିରି ହୋଇ ଯିବାରୁ ସେ ବି ଚାଲି ଯାଇଥିଲେ। କିନ୍ତୁ ବହୁ ବର୍ଷର ପ୍ରେମ ସମ୍ପର୍କ ଥିବାରୁ ଦେବାଶିଷଙ୍କ ପାଖରେ ପ୍ରେମିକାଙ୍କର କିଛି ଅନ୍ତରଙ୍ଗ ଫଟୋ ଓ ଭିଡିଓ ରହିଥିଲା। ପ୍ରେମିକା ଏହାକୁ ଡିଲିଟ୍ କରିଦେବା ପାଇଁ କହିଥିଲେ। ସମ୍ପର୍କ ଭାଙ୍ଗିବା ରାଗରେ ଦେବାଶିଷ ଏହାକୁ ଦେଇ ନ ଥିଲେ। ତେଣୁ ସେହିସବୁ ଅନ୍ତରଙ୍ଗ ଫଟୋ ଓ ଭିଡିଓ ଭାଇରାଲ୍ ହେବାର ଆଶଙ୍କା କରିଥିଲେ ପ୍ରେମିକା। 


ଦେବାଶିଷଙ୍କୁ ରାସ୍ତାରୁ ହଟାଇବା ସହ ତାଙ୍କର ମୋବାଇଲ ଫୋନ୍ ନେଇଯିବାକୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ । ଯୋଜନା ଅନୁସାରେ, ପ୍ରେମିକା ଦେବାଶିଷଙ୍କୁ ରବି ଟକିଜ୍ ଛକ ନିକଟକୁ ଡକାଇଥିଲେ। ସେଠାରେ ତାଙ୍କ ଗାଡ଼ିରେ ବସି ଯାଇଥିଲେ । ଚିଲିପୋଖରୀ ନିକଟରେ ଏକ ଦୋକାନ ପାଖରେ ଗାଡ଼ି ରଖିବା ପାଇଁ କହିଥିଲେ । ଦେବାଶିଷ ଗାଡ଼ି ଅଟକାଇବା ପରେ ପ୍ରେମିକା ଗାଡ଼ିରୁ ଓହ୍ଲାଇ ତାଙ୍କର ନୂଆ ପ୍ରେମିକ ଓ ୪ ଜଣ ସହଯୋଗୀଙ୍କୁ ଡକାଇଥିଲେ । ସେମାନେ ଦେବାଶିଷଙ୍କୁ ଘେରି ଯାଇ ଠେଙ୍ଗା, ବାଡ଼ି ଓ ମାରଣାସ୍ତ୍ରରେ ଆକ୍ରମଣ କରି ଲହୁଲୁହାଣ କରି ଦେଇଥିଲେ । ଏହି ଘଟଣା ପରେ ସମସ୍ତେ ଫେରାର ହୋଇ ଯାଇଥିଲେ ।