ପ୍ରେମରେ ଅସଫଳ : ପ୍ରେମିକାର ବାପା, ଭାଇକୁ ହାଣିଦେଲା

ପ୍ରେମରେ ଅସଫଳ : ପ୍ରେମିକାର ବାପା, ଭାଇକୁ ହାଣିଦେଲା

ପ୍ରେମରେ ଅସଫଳ : ପ୍ରେମିକାର ବାପା, ଭାଇକୁ ହାଣିଦେଲା

ଯାଜପୁର : ପ୍ରେମରେ  ଯୁବତୀଙ୍କ ବାପା ଓ ଭାଇ ବାଟରେ କଣ୍ଟା ହେଉଥିବାରୁ ତାଙ୍କୁ ଟାର୍ଗେଟ କରିଥିଲେ ଯୁବକ । ଆଉ ସୁଯୋଗ ଦେଖି ଯୁବତୀଙ୍କ ଭାଇକୁ କଟୁରିରେ ହାଣି ହତ୍ୟା କରିଛନ୍ତି। ଏପରିକି ପୁଅକୁ ବଞ୍ଚାଇବାକୁ ଆସି ବାପା ବି କଟୁରି ଚୋଟ ଖାଇ ଗୁରୁତର ହୋଇଛନ୍ତି।
ଏପରି ଅଭାବନୀୟ ଘଟଣା ଯାଜପୁର କାଳିଆପାଣି ଥାନା ଅନ୍ତର୍ଗତ ତାରିଣି ଛକରେ ଘଟିଛି। ମୃତ ଯୁବକଜଣକ ହେଲେ ଜିତେନ୍ଦ୍ର ମହାପାତ୍ର । ଏହି ଆକ୍ରମଣରେ ତାଙ୍କ ବାପା ସନ୍ତୋଷ ମହାପାତ୍ର ଗୁରୁତର ହୋଇ ସୁକିନ୍ଦା ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ହତ୍ୟାକାରୀ ସାନ୍ତନୁକୁ ପୁଲିସ୍‌ ଅଟକ ରଖି ପଚରାଉଚରା କରୁଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି।
ସୂଚନା ମୁତାବକ, ସାନ୍ତନୁ ବିବାହିତ ଥିବା ବେଳେ ସନ୍ତୋଷ ମହାପାତ୍ରଙ୍କ ଝିଅ ସହ ତାଙ୍କର ପ୍ରେମ ସମ୍ପର୍କ ଥିଲା। ଉଭୟ ପରସ୍ପରକୁ ଭଲ ପାଉଥିବା ବେଳେ ୨ ଜଣଙ୍କ ପରିବାର ସଦସ୍ୟ କିନ୍ତୁ ଏହାକୁ ବିରୋଧ କରୁଥିଲେ। ପ୍ରଥମ ପତ୍ନୀକୁ ଛାଡ଼ପତ୍ର ଦେବା ସହ ମୋ’ ଝିଅ ନାଁରେ ୧୦ ଲକ୍ଷ ରଖିଲେ ତାକୁ ତୁମ ସହ ବାହା ଦେବି ବୋଲି ସନ୍ତୋଷ ମହାପାତ୍ର ସାନ୍ତନୁକୁ କହିଥିଲେ। ହେଲେ ସାନ୍ତନୁ ଏହି ଘଟଣାକୁ ନେଇ ବାପପୁଅଙ୍କୁ ବିଭିନ୍ନ ସମୟରେ ମାରିଦେବାର ଧମକଚମକ ଦେଉଥିଲେ।
ସନ୍ତୋଷଙ୍କ କାଳିଆପାଣିରେ ଏକ ଦୋକାନ ଥିବା ବେଳେ ସେଠାରେ ବାପପୁଅ ରୁହନ୍ତି।  ଗତକାଲି ରାତି ପ୍ରାୟ ୯ଟାରେ ଜିତେନ୍ଦ୍ର ଦୋକାନ ପାଇଁ ଜିନିଷ ଧରି ବାଇକ୍‌ରେ ଫେରୁଥିଲେ । ଏହି ସମୟରେ ଛକି ରହିଥିବା ସାନ୍ତନୁ ତାଙ୍କୁ ଏକ କଟୁରିରେ ଅତର୍କିତ ଆକ୍ରମଣ କରିଥିଲେ। ଏହା ଦେଖି ପୁଅକୁ ବଞ୍ଚାଇବାକୁ ସନ୍ତୋଷ ଘଟଣାସ୍ଥଳକୁ ଯାଇଥିବା ବେଳେ ସାନ୍ତନୁ ତାଙ୍କୁ ବି ହାଣି ଦେଇଥିଲେ।ଉଭୟ ବାପପୁଅଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ସୁକିନ୍ଦା ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ଜିତେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିବା ବେଳେ ସନ୍ତୋଷଙ୍କ ଅବସ୍ଥା ଗୁରୁତର ଅଛି।ଉତ୍ତ୍ୟକ୍ତ ଲୋକେ କାଳିଆପାଣିରେ ଥିବା ସାନ୍ତନୁଙ୍କ ଏକ ଟ୍ରକ୍‌କୁ ପୋଡ଼ି ଦେଇଥିବା ବେଳେ ତାଙ୍କର ଏକ ଚାଳିଆରେ ବି ନିଆଁ ଲଗାଇ ଦେଇଛନ୍ତି। ଏପରିକି ଅଭିଯୁକ୍ତ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ଦାବିରେ ସେମାନେ ଆଜି ସକାଳୁ ରାସ୍ତାରୋକ କରିଛନ୍ତି। ପୁଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବାକୁ ଚେଷ୍ଟା କରିବି ବିଫଳ ହୋଇଥିବା ଜଣାଯାଇଛି।  ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଲାଗି ରହିଛି।