ପ୍ରେମ ଆଣିଲା କରୋନା...

ପ୍ରେମ ଆଣିଲା କରୋନା...

ପ୍ରେମ ଆଣିଲା କରୋନା...
ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକରୁ ଚିହ୍ନଟ ହୋଇଥିଲେ ୧୫ ଜଣ କରୋନା ଆକ୍ରାନ୍ତ । ଏମାନଙ୍କ ମଧ୍ୟରେ ଅଛନ୍ତି ଜଣେ ଯୁବକ, ଯିଏ ଏବେ ଜିଲ୍ଲା ପ୍ରଶାସନର ଚିନ୍ତା ବଢ଼ାଇଛନ୍ତି । ନିକଟରେ ପ୍ରେମ ବିବାହ କରିଥିବା ଏହି ଯୁବକ ଜଣକ ମହାମାରୀ କୋଭିଡ-୧୯ ଭୂତାଣୁ ସଂକ୍ରମଣର ମୁଖ୍ୟ ବାହକ (ସୁପର ସ୍ପ୍ରେଡର) ସାଜିପାରନ୍ତି ବୋଲି ଆଶଙ୍କା କରିଛି ସ୍ୱାସ୍ଥ୍ୟ ବିଭାଗ । ସୂଚନା ମୁତାବକ, ଭୋଗରାଇ ବ୍ଲକ ସୁନାଧରବସାଣ ପଞ୍ଚାୟତର ଏହି ୨୭ ବର୍ଷୀୟ ଯୁବକ ପଶ୍ଚିମବଙ୍ଗ କଣ୍ଟେଇ ଅଞ୍ଚଳର ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ । ଏପ୍ରିଲ ୧୭ ତାରିଖରେ ଯୁବକ ଜଣକ କଣ୍ଟେଇ ଯାଇ ଉକ୍ତ ଯୁବତୀଙ୍କୁ ବିବାହ କରିଥିଲେ । ବିବାହ ପରେ ନବଦମ୍ପତି ସାଙ୍ଗରେ ତାଙ୍କ ଶାଳୀଙ୍କୁ ଆଣି ନିଜ ଘରେ ରହିଥିଲେ । ଏ ସମ୍ପର୍କରେ ସ୍ଥାନୀୟ ପଞ୍ଚାୟତ କିମ୍ବା ପ୍ରଶାସନ ନିକଟରେ କୌଣସି ସୂଚନା ନଥିଲା । ତେବେ କିଛି ଦିନ ପରେ ସେହି ଅଞ୍ଚଳର ଆଶାକର୍ମୀ କୌଣସି ସୂତ୍ରରୁ ଏ ଖବର ଜାଣି ପ୍ରଶାସନକୁ ଅବଗତ କରିଥିଲେ । ମେ ୬ ରେ ସମ୍ପୃକ୍ତ ଯୁବକଙ୍କ ସହ ତାଙ୍କ ପତ୍ନୀ ଓ ଶାଳୀଙ୍କ ଠାରୁ ରକ୍ତ ନମୁନା, ସ୍ୱାବ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଗତକାଲି ରିପୋର୍ଟ ଆସିବା ପରେ କେବଳ ସେହି ଯୁବକ ଜଣକ କରୋନା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା । ମାତ୍ର ତାଙ୍କ ଠାରେ ଏ ନେଇ କୌଣସି ଲକ୍ଷଣ ଦେଖିବାକୁ ମିଳିନାହିଁ । ହେଲେ ଏହି ସମୟ ମଧ୍ୟରେ ନିଜ ସାଙ୍ଗସାଥୀ, ଗାଁ ଲୋକଙ୍କ ସହ ମିଶିବା ସହ ଭୋଜି ଖାଇବା ତଥା ବଜାରକୁ ଯାଇଥିବା ତାଙ୍କ ଯାତ୍ରା ବିବରଣୀରୁ ଜଣାପଡ଼ିଛି ।