ପ୍ରବାସୀ ଓଡ଼ିଆ ଫେରିବା ନେଇ ମେଡିଆଙ୍କ ପାଇଁ ଆଡଭାଇଜରି ଜାରି କଲେ ସରକାର

ପ୍ରବାସୀ ଓଡ଼ିଆ ଫେରିବା ନେଇ ମେଡିଆଙ୍କ ପାଇଁ ଆଡଭାଇଜରି ଜାରି କଲେ ସରକାର

ପ୍ରବାସୀ ଓଡ଼ିଆ ଫେରିବା ନେଇ ମେଡିଆଙ୍କ ପାଇଁ ଆଡଭାଇଜରି ଜାରି କଲେ ସରକାର
ଭୁବନେଶ୍ୱର: ପ୍ରବାସୀ ଓଡ଼ିଆମାନେ ଓଡ଼ିଶାକୁ ଫେରୁଥିବା ବେଳେ ସେମାନଙ୍କୁ ଭେଟିବା ପାଇଁ ସାମ୍ବାଦିକଙ୍କୁ ବାରଣ କରାଯାଇଛି । କରୋନା ସଂକ୍ରମଣ ଭୟକୁ ଏଡାଇବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେବା ସହିତ ଏକ ଆଡଭାଇଜରି ଜାରି କରିଛନ୍ତି । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଜାରି କରାଯାଇଥିବା ଏହି ଆଡଭାଇଜରିରେ ସୂଚନା ଦିଆଯାଇଛି ଯେ, ଭାରତ ସରକାରଙ୍କ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଗତ ଏପ୍ରିଲ ୨୯ ତାରିଖରେ ରାଜ୍ୟ ବାହାରେ ଫସିଥିବା ଦାଦନ ଶ୍ରମିକ, ତୀର୍ଥ ଯାତ୍ରୀ, ପର୍ଯ୍ୟଟକ, ଛାତ୍ରଛାତ୍ରୀ ତଥା ଅନ୍ୟ ବ୍ୟକ୍ତିଙ୍କୁ ଫେରାଇ ଆଣିବା ଲାଗି ଅନୁମତି ଦିଆଯାଇଛି । ଅନୁମତି ମିଳିବା ପରେ ରାଜ୍ୟ ବାହାରେ ଥିବା ବହୁ ଓଡ଼ିଆ ବସ, ଟ୍ରେନ ତଥା ବିଭିନ୍ନ ଗାଡ଼ି ଭଡ଼ା କରି ନିଜ ରାଜ୍ୟକୁ ଫେରୁଛନ୍ତି । ତେବେ ସେମାନେ ଫେରିବା ବେଳେ ତାଙ୍କୁ ବିଭିନ୍ନ ରେଳ ଷ୍ଟେସନରେ କିମ୍ବା ଚେକ ପଏଣ୍ଟ ଗୁଡ଼ିକରେ ସ୍ୱାଗତ କରିବା ସହିତ ସ୍ୱାସ୍ଥ୍ୟ ଯାଞ୍ଚ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ତେବେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସ୍ୱାସ୍ଥ୍ୟର ସୁରକ୍ଷାକୁ ନେଇ ତଥା କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ୨ଟି ପରାମର୍ଶ ଦିଆଯାଇଛି । ରେଳଷ୍ଟେସନ ତଥା ଚେକ ପଏଣ୍ଟ ଗୁଡ଼ିକୁ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଯିବାକୁ ବାରଣ କରାଯାଇଛି । ସେହିପରି ଗଣମାଧ୍ୟମ ପ୍ରତିନିଧିଙ୍କୁ ସଙ୍ଗରୋଧ କେନ୍ଦ୍ର ବା କ୍ୱାରେଣ୍ଟାଇନ ସେଣ୍ଟରକୁ ମଧ୍ୟ ଯିବାକୁ ବାରଣ କରାଯାଇଛି । ଅପରପକ୍ଷେ ଏଭଳି ଅସାଧାରଣ ପରିସ୍ଥିତିରେ ଗଣମାଧ୍ୟମ ଗୁଡ଼ିକ ସରକାରଙ୍କୁ ସର୍ବାଙ୍ଗୀନ ସହଯୋଗ ଦେଇ ଆସୁଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ କୁହାଯାଇଛି । ତେବେ ଆଗାମୀ ଦିନରେ ଏହି ଅସାଧାରଣ ସମୟର ଗୁରୁତ୍ୱକୁ ବୁଝି ବୃହତ୍ତର ସ୍ୱାର୍ଥ ଦୃଷ୍ଟିରୁ ସମସ୍ତ ଗଣମାଧ୍ୟମର ଅଧିକାରୀ ଓ କର୍ମଚାରୀମାନେ ସରକାରଙ୍କ ମାର୍ଗଦର୍ଶିକାକୁ ମାନି ଚଳିବେ ବୋଲି ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ର ଆଶା ପ୍ରକଟ କରିଛନ୍ତି । ତେବେ ପ୍ରତିଦିନ କୋଭିଡ-୧୯ ର ଆବଶ୍ୟକ ଖବର ଓ ଫଟୋ ସୂଚନା ଓ ଲୋକସମ୍ପର୍କ ପକ୍ଷରୁ ଯୋଗାଇ ଦିଆଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି ।