ପ୍ରକାଶ ପାଇଲା ବିଜ୍ଞପ୍ତି, ୫୫ଟି ଆସନ ପାଇଁ ୨୬ରେ ହେବ ରାଜ୍ୟସଭା ନିର୍ବାଚନ ।
ପ୍ରକାଶ ପାଇଲା ବିଜ୍ଞପ୍ତି, ୫୫ଟି ଆସନ ପାଇଁ ୨୬ରେ ହେବ ରାଜ୍ୟସଭା ନିର୍ବାଚନ ।
admin
Mar 7, 2020 - 07:59
Updated: Mar 7, 2020 - 07:59
ଭୁବନେଶ୍ୱର: ଆସନ୍ତା ୨୬ ତାରିଖ ଦିନ ରାଜ୍ୟସଭା ନିର୍ବାଚନ । ୫୫ଟି ଆସନ ପାଇଁ ଏହି ନିର୍ବାଚନ ହେବ । ରାଜ୍ୟସଭା ନିର୍ବାଚନ ନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି । ୧୭ଟି ରାଜ୍ୟର ୫୫ଟି ଆସନରେ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ୫୫ଟି ଆସନ ମଧ୍ୟରେ ରହିଛି ଓଡ଼ିଶାର ୪ଟି ଆସନ । ୧୩ ପର୍ଯ୍ୟନ୍ତ ନାମାଙ୍କନ, ୧୬ରେ ଯାଞ୍ଚ ଓ ୧୮ ସୁଦ୍ଧା ପ୍ରାର୍ଥିତ୍ୱ ପ୍ରତ୍ୟାହାର ନେଇ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି ।
ଏପ୍ରିଲ ମାସରେ ଓଡ଼ିଶାର ୪ ରାଜ୍ୟସଭା ଆସନ ଖାଲି ହେବ । ଏହି ଆସନ ପୂରଣ ପାଇଁ ନିର୍ବାଚନ ତାରିଖ ଘୋଷଣା କରି ସାରିଛନ୍ତି ନିର୍ବାଚନ କମିଶନ । ସଂଖ୍ୟା ଦୃଷ୍ଟିରୁ ବିଜେଡିରୁ ୩ଜଣ ରାଜ୍ୟସଭାକୁ ଯିବା ସ୍ପଷ୍ଟ ଥିବାରୁ ବିଜେଡି ନେତା ଏଥିପାଇଁ ଆରମ୍ଭ କରିଦେଇଛନ୍ତି ଲବି । । ଆସନ୍ତା ଏପ୍ରିଲ ମାସରେ ରାଜ୍ୟସଭା ସାଂସଦ ଥିବା ଅନୁଭବ ମହାନ୍ତି, ସରୋଜିନୀ ହେମ୍ରମ୍ବ, ନରେନ୍ଦ୍ର ସ୍ୱାଇଁ ଓ ରଞ୍ଜୀବ ବିଶ୍ୱାଳଙ୍କ କାର୍ୟ୍ୟକାଳ ସରୁଛି । ଆଉ ଏହି ୪ଜଣ ସାଂସଦଙ୍କ ସ୍ଥାନ କିଏ ନେବେ ତାକୁ ନେଇ ପାୱାର କରିଡରରେ ଚର୍ଚ୍ଚା ଆରମ୍ଭ ହୋଇଛି । କିଏ ସେଇ ୪ ଚେହେରା ? ପୁରୁଣା ମୁହଁ ନା’ ନୂଆ ମୁହଁକୁ ମିଳିବ ସୁଯୋଗ?
ଇତିମଧ୍ୟରେ ଓଡ଼ିଶାରେ ରାଜ୍ୟସଭା ପାଇଁ ଲବି ଜୋରଦାର ଆରମ୍ଭ ହୋଇଯାଇଛି । ବିଧାୟକଙ୍କ ସଂଖ୍ୟା ଦୃଷ୍ଟିରୁ ୩ଟି ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ଆଉ ଏଥିପାଇଁ ବିଜେଡି ସୁପ୍ରିମୋଙ୍କ ନିକଟରେ ଲବି ଜୋରଦାର ଆରମ୍ଭ ହୋଇଯାଇଛି । କିଛି ଦିନ ତଳେ ତୃତୀୟ ମହଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ଦେଖିବାକୁ ମିଳିଥିଲା । ରମେଶ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲେ ଏବଂ ଟିକେଟ୍ ପାଇବେ ବୋଲି ଆଶା ଅଛି ।
ଠିକ୍ ସେହିପରି ବିଜେଡିର ପୂର୍ବତନ ସାଂସଦ ନଗେନ୍ଦ୍ର ପ୍ରଧାନ ଓ ଜଗତସିଂହପୁର ପୂର୍ବତନ ସାଂସଦ କୁଳମଣି ସାମଲ ଆସି ଲବି କରିଥିବା ଜଣାପଡ଼ିଥିଲା । ଅପରପକ୍ଷରେ ବିଜେଡିର ପୂର୍ବତନ ସାଂସଦ ପ୍ରସନ୍ନ ପାଟ୍ଟଶାଣୀ ମଧ୍ୟ ଏହି ଦୌଡ଼ରେ ରହିଛନ୍ତି।