ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ଦେହାନ୍ତ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ଦେହାନ୍ତ

ପୂର୍ବତନ କେନ୍ଦ୍ରମନ୍ତ୍ରୀ ପଣ୍ଡିତ ସୁଖରାମଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପଣ୍ଡିତ ସୁଖରାମ ଶର୍ମାଙ୍କ ଦେହାନ୍ତ ହୋଇଛି। ୯୪ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଏନେଇ ତାଙ୍କ ପୁଅ ଅନୀଲ ଶର୍ମା ସୂଚନା ଦେଇଛନ୍ତି।

ସୁଖରାମଙ୍କୁ ଦିଲ୍ଲୀ ସ୍ଥିତ ଏମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ବ୍ରେନ୍ ଷ୍ଟ୍ରୋକ୍ର ଚିକିତ୍ସା ଚାଲିଥିଲା। ମେ’ ୭ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏବଂ ସେ ଭେଣ୍ଟିଲେଟର୍ରେ ଥିଲେ।

ମେ’ ୪ ତାରିଖରେ ବ୍ରେନ୍ ଷ୍ଟ୍ରୋକ୍ ହୋଇଥିଲା। ଏହାପରେ ହିମାଚଳ ପ୍ରଦେଶ ମଣ୍ଡିର ଏକ ହସ୍ପିଟାଲରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। କିନ୍ତୁ ସ୍ୱାସ୍ଥ୍ୟାବସ୍ଥାରେ କିଛି ସୁଧାର ନ ଆସିବାରୁ ସେଠାରୁ ଏୟାରଲିଫ୍ଟ ଜରିଆରେ ଦିଲ୍ଲୀ ଅଣାଯାଇଥିଲା।

ଆଜି ପଣ୍ଡିତ ସୁଖରାମଙ୍କ ପାର୍ଥୀବ ଶରୀରକୁ ଦିଲ୍ଲୀରୁ ମଣ୍ଡି ନିଆଯିବ। ସେଠାରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ। ଆସନ୍ତାକାଲି ସକାଳ ୧୧ଟାରେ ପଣ୍ଡିତ ସୁଖରାମଙ୍କ ଶେଷ ଦର୍ଶନ ପାଇଁ ତାଙ୍କ ପାର୍ଥୀବ ଶରୀରକୁ ସହରର ଐତିହାସିକ ସେରୀ ମଞ୍ଚରେ ରଖାଯିବ। ଏହାପରେ ହନୁମାନଘାଟ ସ୍ଥିତ ଶ୍ମଶାନରେ ପୂରା ରାଜକୀୟ ସମ୍ମାନରେ ତାଙ୍କ ଅନ୍ତିମ ସଂସ୍କାର କରାଯିବ।

ସୁଖରାମ ୫ ଥର ବିଧାନସଭା ଏବଂ ୩ ଥର ଲୋକସଭା ପାଇଁ ନିର୍ବାଚିତ ହୋଇଛନ୍ତି। ତାଙ୍କ ପୁଅ ଅନୀଲ ଶର୍ମା ହିମାଚଳ ପ୍ରଦେଶ ମଣ୍ଡିର ବିଧାୟକ ଅଛନ୍ତି। ସୁଖରାମ ୧୯୯୩-୧୯୯୬ ଯାଏଁ କେନ୍ଦ୍ର ମନ୍ତ୍ରୀ ଥିଲେ। ୧୯୯୬ରେ କେନ୍ଦ୍ର ମନ୍ତ୍ରୀ ଥିବା ସମୟରେ ତାଙ୍କ ବିରୋଧରେ ଭ୍ରଷ୍ଟାଚାର ଅଭିଯୋଗ ଆସିଥିଲା। ୨୦୧୧ରେ ତାଙ୍କୁ ୫ ବର୍ଷର ଜେଲ ଦଣ୍ଡାଦେଶ ମଧ୍ୟ ହୋଇଥିଲା। ସେହିପରି ୧୯୯୬ରେ ତାଙ୍କ ପୁଅ ଅନୀଲ ଶର୍ମାଙ୍କ ନାଁ ଟେଲିକମ୍ ଦୁର୍ନୀତିରେ ସାମ୍ନାକୁ ଆସିଥିଲା। ଏହାପରେ ଅନୀଲଙ୍କୁ କଂଗ୍ରେସରୁ ବିଦା କରି ଦିଆଯାଇଥିଲା।

୨୦୧୭ ବିଧାନସଭା ନିର୍ବାଚନ ପୂର୍ବରୁ ସୁଖରାମ କଂଗ୍ରେସ ଛାଡି ବିଜେପିରେ ମିଶିଥିଲେ। କିନ୍ତୁ ୨୦୧୯ ଲୋକସଭା ନିର୍ବାଚନ ପୂର୍ବରୁ ସେ ପୁଣି କଂଗ୍ରେସର ହାତ ଧରି ନେଇଥିଲେ।