ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁ.ଭି. କୃଷ୍ଣମ ରାଜୁଙ୍କର ଦେହାନ୍ତ
ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁ.ଭି. କୃଷ୍ଣମ ରାଜୁଙ୍କର ଦେହାନ୍ତ
ହାଇଦ୍ରାବାଦ: ଦକ୍ଷିଣର ଲୋକପ୍ରିୟ ଅଭିନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ୟୁ.ଭି. କୃଷ୍ଣମ ରାଜୁଙ୍କର ଦେହାନ୍ତ ହୋଇଛି । କୃଷ୍ଣମ ରାଜୁଙ୍କୁ ଟଲିଉଡରେ ରିବେଲ ଷ୍ଟାର ମଧ୍ୟ କୁହାଯାଉଥିଲା । ରବିବାର ସକାଳ ୩.୪୫ରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ଏହାପୂର୍ବରୁ ଶନିବାର ରାତିରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡି ଯାଇଥିଲା । ଏହା ପରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କୃଷ୍ଣମ ରାଜୁ ଅଭିନେତା ପ୍ରଭାସଙ୍କ ଦାଦା ଥିଲେ । ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ଅଭିନେତା, ନିର୍ଦ୍ଦେଶକ ଏବଂ ପ୍ରଶଂସକମାନେ ସୋସିଆଲ ମିଡିଆରେ କୃଷ୍ଣମ ରାଜୁଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛନ୍ତି ।
କୃଷ୍ଣମ ରାଜୁ ୨୦ ଜାନୁଆରୀ ୧୯୪୦ରେ ଜନ୍ମଗ୍ରହଣ କରିଥିଲେ। କୃଷ୍ଣମ ରାଜୁ ତାଙ୍କ କ୍ୟାରିୟର ଆରମ୍ଭରେ ଜଣେ ସାମ୍ବାଦିକ ଥିଲେ । ସେ ୧୯୬୬ ଚଳଚ୍ଚିତ୍ର ଚିଲାକା ଗୋରାନିକାରେ ଟଲିଉଡରେ ଅଭିନୟ ଆରମ୍ଭ କରିଥିଲେ । ଏହି ଚଳଚ୍ଚିତ୍ରଟି ଦକ୍ଷିଣର ସମ୍ମାନଜନକ ନନ୍ଦୀ ପୁରସ୍କାର ପାଇଥିଲା । ଏହା ପରେ ତାଙ୍କୁ ଏନଟି ରାମା ରାଓଙ୍କ ସହ ପୌରାଣିକ ଚଳଚ୍ଚିତ୍ର ଶ୍ରୀକୃଷ୍ଣବତରମରେ ଦେଖିବାକୁ ମିଳିଥିଲା । ସେ ଦକ୍ଷିଣ ଚଳଚ୍ଚିତ୍ରର ଦୁଇଜଣ ଭେଟେରାନ୍ ଅଭିନେତା ଏନଟି ରାମା ରାଓ ଏବଂ ଆକ୍କିନେନି ନାଗେଶ୍ୱର ରାଓଙ୍କ ସହ ଅନେକ ଚଳଚ୍ଚିତ୍ରରେ କାମ କରିଥିଲେ । କୃଷ୍ମମ ରାଜୁ ୭୦ ଏବଂ ୮୦ ଦଶକରେ ଅନେକ ବଡ଼ ବ୍ଲକବଷ୍ଟର ଚଳଚ୍ଚିତ୍ର କରିଥିଲେ । ପ୍ରାୟ ୫୦ ବର୍ଷ ଧରି ତାଙ୍କ କ୍ୟାରିଅରରେ କୃଷ୍ଣମ ରାଜୁ ପ୍ରାୟ ୧୮୩ ଟି ଚଳଚ୍ଚିତ୍ରରେ ଅଭିନୟ କରିଥିଲେ । କୃଷ୍ଣମ ରାଜୁଙ୍କୁ ଶେଷଥର ପାଇଁ ତାଙ୍କ ପୁତୁରା ପ୍ରଭାସ ଏବଂ ପୂଜା ହେଗଡେଙ୍କ ଫିଲ୍ମ ରାଧେଶ୍ୟାମରେ ଦେଖିବାକୁ ମିଳିଥିଲା ।
ତେବେ ଚଳଚ୍ଚିତ୍ର ବ୍ୟତୀତ କୃଷ୍ଣମ ରାଜୁ ରାଜନୀତିରେ ମଧ୍ୟ ସକ୍ରିୟ ଥିଲେ । ସେ ୧୯୯୨ ରେ ନାରସପୁରମ୍ ଆସନରୁ କଂଗ୍ରେସ ଟିକେଟରେ ନିର୍ବାଚନ ଲଢିଥିଲେ । ସେ ଏହି ନିର୍ବାଚନରେ ହାରିଥିଲେ । କିଛି ବର୍ଷ ପରେ ସେ ଭାରତୀୟ ଜନତା ପାର୍ଟିରେ ଯୋଗ ଦେଇଥିଲେ । ୧୯୯୮ ସାଧାରଣ ନିର୍ବାଚନରେ ସେ କାକିନାଡା ଆସନରୁ ସାଂସଦ ହୋଇଥିଲେ । ୧୯୯୮ ରୁ ୨୦୦୨ ପର୍ୟ୍ୟନ୍ତ ସେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାରରେ ମନ୍ତ୍ରୀ ଥିଲେ ।




admin 