ପୁଲିସ ବୋଲି ସରକାରୀ ଜମି ମାଡ଼ି ବସିଲେ

ପୁଲିସ ବୋଲି ସରକାରୀ ଜମି ମାଡ଼ି ବସିଲେ

ପୁଲିସ ବୋଲି ସରକାରୀ ଜମି ମାଡ଼ି ବସିଲେ


କଟକ: ମୁଁ ପୁଲିସ । ଖାକି ପୋଷାକବାଲା । ମୋର କିଏ କ’ଣ କରିବ? ଯିଏ ଯାହା କହିଲେ ବି ପରୱା ନାହିଁ । ଏମିତି ନୀତି ଆପଣାଇ ଜଣେ ମହିଳା କନଷ୍ଟେବଳ ମାଡ଼ି ବସିଛନ୍ତି ସରକାରୀ ଜମି । ଖାଲି ସରକାରୀ ଜମି ଅକ୍ତିଆର ନାହାନ୍ତି, ସେଠି ବେଆଇନ ଭାବେ ଘର ବି ତିଆରି ଚଳାଇଛନ୍ତି । ଲୁଚାଛପା କି ରାତିର ଅନ୍ଧକାରରେ ନୁହେଁ । ଦିନ ଦି’ପହରେ ସର୍ବସମ୍ମୁଖରେ ବେଆଇନ ଭାବେ ଘର ନିର୍ମାଣ ଚାଲିଛି । ଯିଏ ପାଟି ଖୋଲୁଛି, ଖାକି ପୋଷାକର ଦବ୍ଦବା ଆଉ ନାଲି ଆଖି ଦେଖାଇ ପାଟି ଚୁପ୍ କରାଇ ଦେଉଛନ୍ତି ମହିଳା କନଷ୍ଟେବଳ ଜଣକ । ଏମିତିକି ମହିଳା ବୋଲି ବିଭିନ୍ନ କେସରେ ଫସାଇ ଦେବାର ଧମକ ବି ଦେଉଛନ୍ତି । ବାଃରେ  ଆଇନ... । ମଧୁପାଟଣା ଥାନାର ଜଣେ ମହିଳା କନଷ୍ଟେବଳଙ୍କ ଏଭଳି ଦାଦାଗିରି ଏବେ କଟକ ସହରରେ ଚର୍ଚ୍ଚାର ବିଷୟ ହୋଇଛି । ତାଙ୍କ ପ୍ରଭାବ ଏମିତି ଯେ ବଡ଼ ବାବୁ ବି ପାଟି ଖୋଲୁନାହାନ୍ତି ।

  ଘଟଣାଟି ଏମିତି । ମଧୁପାଟଣାସ୍ଥିତ ପୁଲିସ କଲୋନିରେ ଏମିତି ଜବରଦଦଖଲ ଚାଲିଛି । ମଧୁପାଟଣା ଥାନାରେ କାର୍ଯ୍ୟରତ ଜଣେ ମହିଳା କନଷ୍ଟେବଳଙ୍କୁ ଏଠାରେ ଏକ କ୍ୱାର୍ଟର୍ସ ମିଳିଛି । ହେଲେ ସେତିକିରେ ତାଙ୍କ ମନ ସନ୍ତୁଷ୍ଟ ନୁହେଁ । ଘର ଆଗରେ ଥିବା ସରକାରୀ ଜମି ଉପରେ ତାଙ୍କ ଆଖି ପଡ଼ିଛି । ତେଣୁ ସେଇ ସରକାରୀ ଖାଲି ଜମିରେ ମ୍ୟାଡମ ଘର ନିର୍ମାଣ ଆରମ୍ଭ କରିଦେଇଛନ୍ତି । ଚର୍ଚ୍ଚା ହେଉଛି-ସେଠାରେ ସେ ଘର କରି କୁଆଡେ଼ ଭଡ଼ା ଲଗାଇବେ । ଏସବୁ ବେଆଇନ କାମ ଦେଖି ସ୍ଥାନୀୟ କଲୋନିର କିଛି ଲୋକେ ପ୍ରତିବାଦ କରିଥିଲେ । ହେଲେ ମ୍ୟାଡମ ଡରିବା ଲୋକ ନୁହନ୍ତି । ସେ ଓଲଟି ଡରାଇ ଦେବାର କ୍ଷମତା ରଖନ୍ତି । ଯିଏ ଉଁ କି ଚୁଁ କହୁଛି- ମ୍ୟାଡମ କହୁଛନ୍ତି- ମୁଁ ପୁଲିସ ମନେରଖିଥାଅ, ପୁଣି ମହିଳା । ଏମିତି କେସ୍ ଠୁଙ୍କିବି... ପୂରା ଚୌଦ୍ୱାର ପଠାଇଦେବି । ଡରରେ ପାଖ ପଡେ଼ାଶୀ ଆଉ କିଛି କହିପାରୁନାହାନ୍ତି । ଏମିତିରେ ସାହା କେବଳ ପୁଲିସ ବଡ଼ ବାବୁ । ଦେଖାଯାଉ, ସେ କିଛି ଆକ୍ସନ ନେବେ ନା ସେ ବି ମୁହଁ ଓ ଆଖିରେ ପଟି ବାନ୍ଧି ଚୁପ୍ ରହିବେ ।  

  ସାଧାରଣରେ ଚର୍ଚ୍ଚା ହେଉଛି, ସରକାରୀ ଜମିର ସୁରକ୍ଷା କରିବା ପୁଲିସର କାମ । ହେଲେ ଏଠି ତ ବାଡ଼ ହିଁ କ୍ଷେତ ଖାଉଛି, ଗୁହାରି କରିବା କାହାକୁ... ।