ପୁଣି ଚର୍ଚ୍ଚା , ବିଜେଡ଼ିକୁ ଯିବେ ଦିଲୀପ ଓ ବିଜୟଙ୍କ ପୁଅ

ପୁଣି ଚର୍ଚ୍ଚା , ବିଜେଡ଼ିକୁ ଯିବେ ଦିଲୀପ ଓ ବିଜୟଙ୍କ ପୁଅ

ପୁଣି ଚର୍ଚ୍ଚା , ବିଜେଡ଼ିକୁ ଯିବେ ଦିଲୀପ ଓ ବିଜୟଙ୍କ ପୁଅ

ଭୁବନେଶ୍ୱର : ବିଜେଡ଼ିକୁ ଯିବେ ଦିଲୀପ ରାୟ  । ଦିଲୀପଙ୍କ ସହ ବିଜୟଙ୍କ ପୁଅ ଅରବିନ୍ଦ ମହାପାତ୍ର ବି ବିଜେଡ଼ିରେ ମିଶିବେ  । କେନ୍ଦ୍ରାପଡ଼ାରୁ ନେଇ ରାଉରକେଲା ଯାଏଁ, ରାଜନୀତିକ ମହଲରେ ଏଭଳି ଚର୍ଚ୍ଚା ଏବେ ଜୋର ଧରିଛି  ।

ବିଜୁ ଜନତା ଦଳ ପ୍ରତିଷ୍ଠାରେ ଦିଲୀପ ରାୟ ଓ ବିଜୟ ମହାପାତ୍ର ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ  । କିନ୍ତୁ ପରେ ନବୀନ ସେମାନଙ୍କୁ ଦଳରୁ ବାହାରିବାର ରାସ୍ତା ଦେଖାଇ ଦେଇଥିଲେ  । ବିଜେଡ଼ିରୁ ବିଦା ହେବା ପରେ ନବୀନଙ୍କ ରାଜନୀତିକ ଶତ୍ରୁ ପାଲଟି ଯାଇଥିଲେ ବିଜୟ ଓ ଦିଲୀପ  । ସୁଯୋଗ ମିଳିଲେ ନବୀନ ସରକାରଙ୍କୁ ସେମାନେ କଟୁ ସମାଲୋଚନା ବି କରୁଥିଲେ  । ପରେ ଦୁଇ ନେତା ବିଜେପିରେ ଯୋଗଦେଇ ନବୀନଙ୍କ ବିରୋଧରେ ଯୁଦ୍ଧଂଦେହୀ ଡାକରା ଦେଇଥିଲେ  । ତେବେ ବିଜେପିରେ ଦିଲୀପ ଓ ବିଜୟଙ୍କୁ ଗୁରୁତ୍ୱ ମିଳିନଥିଲା  । ଫଳରେ ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଉଭୟ ବିଜେଡ଼ିକୁ ଯାଇପାରନ୍ତି ବୋଲି ପୁଣି ଚର୍ଚ୍ଚା ଜୋର ଧରିଥିଲା  । ଏମିତିକି ହଠାତ ନବୀନ ନିବାସରେ ଦିଲୀପ ରାୟଙ୍କ ଉପସ୍ଥିତି ଏହି ଚର୍ଚ୍ଚାକୁ ଆହୁରି ଖୋରାକ ଯୋଗାଇଥିଲା  ।  ତେବେ ଏହି ଚର୍ଚ୍ଚା ଚର୍ଚ୍ଚାରେ ହିଁ ରହିଯାଇଥିଲା  । ନବୀନ ବିଜୟଙ୍କୁ ଦଳରେ ନେବାକୁ ଚାହୁଁନଥିବାରୁ, ଏହି ମିଶ୍ରଣ ହୋଇପାରିଲା ନାହିଁ ବୋଲି ଗଣମାଧ୍ୟମରେ ଖବର ବି ପ୍ରକାଶ ପାଇଥିଲା  । ଏବେ ଚବିଶ ନିର୍ବାଚନ ପାଖେଇ ଆସୁଥିବାବେଳେ ପୁଣି ଥରେ ଦିଲୀପଙ୍କ ଘର ବାହୁଡ଼ା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି  । ବିଜେଡ଼ିର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଦିଲୀପଙ୍କୁ ତାଙ୍କ ଘରେ ଭେଟିବା ପରେ ଏଭଳି ଚର୍ଚ୍ଚା ହେଉଛି  । ହକି ବିଶ୍ୱକପ ପାଇଁ ପ୍ରଣବ ନିମନ୍ତ୍ରଣ ଦେଇଥିବାବେଳେ ଦିଲୀପ ଫେସବୁକରେ ନବୀନଙ୍କର ପ୍ରଶଂସା ବି କରିଛନ୍ତି  । ବିଜୟଙ୍କ ପ୍ରତି ଏବେବି ନବୀନଙ୍କ ରୋଷ କମିନାହିଁ  । କିନ୍ତୁ ତାଙ୍କ ପୁଅ ଅରବିନ୍ଦ ମହାପାତ୍ରଙ୍କୁ ସାଙ୍ଗରେ ନେଇ ଦିଲୀପ ବିଜେଡ଼ିରେ ମିଶିପାରନ୍ତି  । ଯଦି ସେଭଳି ହୁଏ ତେବେ ଦିଲୀପ ରାଉରକେଲାରୁ ଓ ଅରବିନ୍ଦ ପାଟକୁରାରୁ ବିଜେଡ଼ି ଟିକେଟ ପାଇପାରନ୍ତି  । ଏମିତିକି ଦିଲୀପଙ୍କୁ ନବୀନ ରାଜ୍ୟସଭା ବି ପଠାଇପାରନ୍ତି ବୋଲି  ଆଲୋଚନା ହେଉଛି  ।

ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ  ଏଭଳି ଚକିତ କରିବା ଭଳି ନିଷ୍ପତି ନେବାର ନଜିର ରହିଛି  । ୨୦୦୯ରେ ବିଜେଡ଼ି ଓ ବିଜେପି ମେଂଟ ଭାଙ୍ଗିବା ପରେ ଅନେକ ବିଜେପି ଓ କଂଗ୍ରେସ ନେତା ବିଜେଡ଼ିରେ ମିଶିଥିଲେ  । ୨୦୧୪ ଓ ୨୦୧୯ରେ ବି ବିରୋଧୀ ଦଳର ବହୁ ହେଭିୱେଟ ବିଜେଡ଼ିରେ ମିଶିଥିଲେ  । ଭୂପିନ୍ଦର ସିଂ, ନବ ଦାସଙ୍କ ଠାରୁ ନେଇ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ବହୁ ନେତା ଶଙ୍ଖ ଫୁଙ୍କିଥିଲେ  ।

ବିଜୟ ଓ ଦିଲୀପ ବିଜେଡ଼ିକୁ ଫେରିବେ ବୋଲି ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବି ଏମିତି ଚର୍ଚ୍ଚା ଜୋର ଧରିଥିଲା  । କିନ୍ତୁ ସେଭଳି କିଛି ଘଟିନଥିଲା  । ତେବେ ଚବିଶରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିବ କି ନାହିଁ ତାହାର ଉତର ସମୟ ହିଁ ଦେବ  ।