ପିଓକେ ଭାରତର ...
ପିଓକେ ଭାରତର ...
admin
Jan 11, 2020 - 12:29
Updated: Jan 11, 2020 - 12:29
ନୂଆଦିଲ୍ଲୀ - ଭାରତୀୟ ସ୍ଥଳସେନା ମୁଖ୍ୟ ମନୋଜ ମୁକୁନ୍ଦ ନରୱାଣେ ଶୁକ୍ରବାର ଏକ ପ୍ରେସମିଟରେ ପାକ୍ ଅଧିକୃତ କାଶ୍ମୀର(ପିଓକେ) ଭାରତର ବୋଲି କହିଛନ୍ତି। ଏଥିସହିତ ସେ କହିଛନ୍ତି ଯେ ସଂସଦ ଚାହିଁଲେ ପିଓକେକୁ ପୂରାପୂରି କବଜା କରିପାରିବ। ଏ ନେଇ କାର୍ଯ୍ୟାନୁଷ୍ଠାନଗ୍ରହଣ କରିବା ପାଇଁ ଉପରସ୍ତରରେ ନିର୍ଦ୍ଦେଶକୁ ଅପେକ୍ଷା କରିଛନ୍ତି ବୋଲି ନରୱାଣେ ପ୍ରକାଶ କରିଛନ୍ତି। ଶୁକ୍ରବାର ଦିଲ୍ଲୀରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ନରୱାଣେ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି, ‘ପୂରା ଜମ୍ମୁକଶ୍ମୀର ଭାରତର। ଏ ନେଇ ଏକ ସଂସଦୀୟ ସଂକଳ୍ପ ମଧ୍ୟ ଅତୀତରେ ପାରିତ ହୋଇଛି। ସେହିପରି ସଂସଦ ଚାହିଁଲେ ସେ ସମ୍ପୂର୍ଣ୍ଣ ଅଞ୍ଚଳ ଆମର ହେବ। ପୂରା ଅଞ୍ଚଳକୁ କବ୍ଜା କରିବା ପାଇଁ ନିର୍ଦ୍ଦେଶ ମିଳିବା ପରେ ଆମେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ।’ ଏକ ଟେଲିଭିଜନଚାନେଲ୍କୁ ନରୱାଣେ ନିକଟରେ ସାକ୍ଷାତ୍କାର ଦେଇ କହିଥିଲେ କି ପିଓକେରେ ବଡ଼ ଧରଣର ଅପରେସନ କରିବା ପାଇଁ ଭାରତୀୟ ସେନା ସଦା ସର୍ବଦା ପ୍ରସ୍ତୁତ ରହିଛି। ପିଓକେରେ ସେନାର ସକ୍ରିୟତାକୁ ନେଇ ପଚରା ଯାଇଥିବା ଏକ ପ୍ରଶ୍ନର ଉତ୍ତର ଦେଇ ନରୱାଣେ କହିଛନ୍ତି, ‘ଜମ୍ମୁ- କଶ୍ମୀର ସମେତ ଅନ୍ୟାନ୍ୟ ସୀମାନ୍ତରେ ଆମ ସୈନିକମାନେ ସବୁ ସମୟରେ ଜଗି ରହିଛନ୍ତି। ଆମ ନିକଟରେ ଅନେକ ଯୋଜନା ରହିଛି। ଆବଶ୍ୟକ ପଡ଼ିଲେ ସେ ଯୋଜନାକୁ ଆମେ କାର୍ଯ୍ୟକାରୀ କରିବୁ। ଆମେ ସଫଳତା ହାସଲ କରିବୁ ବୋଲି ବିଶ୍ୱାସ ରଖିଥିବା ସେ କହିଛନ୍ତି। ପୂର୍ବରୁ ସେପ୍ଟେମ୍ବର ମାସରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର କହିଥିଲେ କି ‘ପିଓକେ ଭାରତର ଏକ ଅଂଶ ବିଶେଷ। ଆମେ ଆଶା ରଖିଛୁ କି ଭବିଷ୍ୟତରେ ଏହା ଉପରେ ଆମର ପ୍ରକୃତ ଅଧିକାର ରହିବ’।