ପାଟଣା ନିର୍ବାଚନ ମଣ୍ଡଳୀର ହାଲଚାଲ

ପାଟଣା ନିର୍ବାଚନ ମଣ୍ଡଳୀର ହାଲଚାଲ

ପାଟଣା ନିର୍ବାଚନ ମଣ୍ଡଳୀର ହାଲଚାଲ
ପାଟଣା: ପାଟଣା ନିର୍ବାଚନ ମଣ୍ଡଳୀର କିଏ ହେବ ବିଧାୟକ? ୫ଥର ବିଧାୟକ ହୋଇଥିବା ହୃଷୀକେଶ ନାୟକଙ୍କ ମୁଣ୍ଡରେ ପୁଣି ଶିରିପା ବନ୍ଧା ହେବ ନା ଆଉ କିଏ ? ନିର୍ବାଚନ ଯେତିକି ପାଖେଇ ଆସୁଛି, ଏମିତି ପ୍ରଶ୍ନ ଭୋଟରଙ୍କୁ ଆନ୍ଦୋଳିତ କରୁଛି । କେନ୍ଦୁଝର ଜିଲ୍ଲାର ୬ଟି ନିର୍ବାଚନମଣ୍ଡଳୀ ମଧ୍ୟରୁ ପାଟଣା ବିଧାନସଭା କ୍ଷେତ୍ର ଆଦିବାସୀଙ୍କ ପାଇଁ ସଂରକ୍ଷିତ । ଗତ ଦୁଇଟି ନିର୍ବାଚନରେ ବିଜେଡିର ହୃଷୀକେଶ ନାୟକ ବିଜୟ ହୋଇଥିବା ବେଳେ ୨୦୦୦ ମସିହା ଓ ୨୦୦୪ ନିର୍ବାଚନରେ ବିଜେପିର ଗୌରହରି ନାୟକ ବିଧାୟକ ହୋଇଥିଲେ । ତେବେ ଏହି ନିର୍ବାଚନ ମଣ୍ଡଳୀରୁ ସର୍ବାଧିକ ୫ ଥର ବିଭିନ୍ନ ସମୟରେ ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି ହୃଷୀକେଶ । ୧୯୮୦ରେ ଜନତା ପାର୍ଟି(ଏସ୍)ରୁ ସେ ପ୍ରଥମେ ବିଧାୟକ ହୋଇଥିଲେ । ଏହାପରେ ୧୯୮୫ରେ ଦଳ ପରିବର୍ତନ କରି କଂଗ୍ରେସ ପ୍ରାର୍ଥୀ ଭାବେ ସେ ଦ୍ୱିତୀୟ ଥର ନିର୍ବାଚିତ ହୋଇଥିଲେ । ୧୯୯୫ରେ ପୁଣି କଂଗ୍ରେସ ଟିକେଟରେ ତୃତୀୟ ଥର ପାଇଁ ବାଜି ମାରିଥିଲେ ହୃଷୀକେଶ । ମଝିରେ ଦୁଇ ପାଳି ବିଜେପି ହାତକୁ ଚାଲି ଯାଇଥିଲା ଏହି ଆସନ । ଏହାପରେ ପୂଣି ୨୦୦୯ ଓ ୨୦୧୪ରେ ହୃଷୀକେଶ ଟିକେଟ ହାତେଇବା ସହ ୨ଥର ବିଧାୟକ ହୋଇସାରିଲେଣି । ଖାଲି ସେତିକି ନୁହେଁ, ସଂପ୍ରତି ସେ ଜିଲ୍ଲା ଯୋଜନା ବୋର୍ଡର ଅଧ୍ୟକ୍ଷ ପଦରେ ବି ଅଛନ୍ତି । ଚଳିତ ନିର୍ବାଚନରେ ବିଧାୟକ ହୃଷୀକେଶ ବିଜେଡିରୁ ଟିକେଟ ଆଶାୟୀ ଥିବାବେଳେ ପାଟଣା ବ୍ଲକ ଅଧ୍ୟକ୍ଷ ଜଗନ୍ନାଥ ନାୟକ ମଧ୍ୟ ବିଜେଡିରୁ ଟିକେଟ ପ୍ରତ୍ୟାଶୀ ଭାବେ ଉଭା ହୋଇଛନ୍ତି । ପାଟଣା ନିର୍ବାଚନ ମଣ୍ଡଳୀରେ ମୋଟ ୧ଲକ୍ଷ ଓ ୭୫ ହଜାର ୧୦୪ ଭୋଟର ଥିବାବେଳେ ୨୦୧୪ ବିଧାନସଭା ନିର୍ବାଚନରେ ହୃଷୀକେଶଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଥିଲେ ବିଜେପିର ଭବାନୀଶଙ୍କର ନାୟକ । ପଂଚାୟତ ନିର୍ବାଚନରେ ପାଟଣା ନିର୍ବାଚନ ମଣ୍ଡଳୀରେ ବିଜେଡିର ଭୋଟ ପ୍ରତିଶତ କମିବା ପରଠାରୁ ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ସକ୍ରିୟ ହୋଇ ଉଠିଥିଲେ । ବିଧାୟକଙ୍କ ବିରୋଧୀ ଗୋଷ୍ଠୀ ମଧ୍ୟରୁ ବିନୋଦ ବିହାରୀ ନାୟକ, ଆଶିଷ ନାୟକ ମଧ୍ୟ ଆଶାୟୀ ଜଣାପଡିଛି । ଏଠାରେ ଯଦି ମହିଳାଙ୍କୁ ବିଜେଡି ଟିକେଟ ଦେବାକୁ ବିଚାର କରେ, ତେବେ ବିଧାୟକଙ୍କ ଝିଅ ଶାନ୍ତିଲତା ନାୟକଙ୍କୁ ପ୍ରାର୍ଥୀ କରାଯାଇପାରେ ବୋଲି ବିଧାୟକଙ୍କ ନିକଟତର ମହଲରୁ ସୂଚନା ମିଳିଛି । ସେହିପରି ପାଟଣା ବ୍ଲକ୍ ପୂର୍ବତନ ଉପାଧ୍ୟକ୍ଷା କନକଲତା ନାୟକ, ଭାମାମଣି ଦାସଙ୍କ ଭଳି ନାରୀନେତ୍ରୀ ମଧ୍ୟ ବିଜେଡି ଟିକେଟ ପାଇବାକୁ ଆଶା ରଖିଛନ୍ତି । ବିଜେପିରୁ କେନ୍ଦୁଝର ପୂର୍ବତନ ସାଂସଦ ତଥା ରାଜ୍ୟ ସାଧାରଣ ସଂପାଦକ ଅନନ୍ତ ନାୟକ ପାଟଣାରୁ ବିଧାୟକ ପ୍ରାର୍ଥୀ ହେବା ନେଇ ଚର୍ଚ୍ଚା ହେଉଛି । ଅବସରପ୍ରାପ୍ତ ଅଧିକାରୀ ଅଖିଳଚନ୍ଦ୍ର ନାୟକ, ଗତ ନିର୍ବାଚନରେ ପ୍ରାର୍ଥୀ ଭବାନୀ ଶଙ୍କର ନାୟକ, ପୂର୍ବତନ ବିଧାୟକ ଗୌରହରି ନାୟକ ଓ ତାଙ୍କ ଶାଳକ ସାହାରପଡା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୌତମ ନାୟକ, ସତ୍ୟବୟତ ନାୟକ, ନିତ୍ୟାନନ୍ଦ ମହାପାତ୍ର, ପୂର୍ବତନ ସରପଂଚ ସୋମାବାରୀ ମୁଣ୍ଡା ମଧ୍ୟ ଆଶାୟୀ ଅଛନ୍ତି । କଂଗ୍ରେସରୁ ପ୍ରାର୍ଥୀ ହେବା ପାଇଁ ପାଟଣା ବ୍ଲକ ପୂର୍ବତନ ଅଧ୍ୟକ୍ଷ ଗୌରହରି ନାୟକ, ଗତଥରର ପ୍ରାର୍ଥୀ ସନାତନ ନାୟ. ମାନସିଂ ମୁଣ୍ଡା, ବେଣୁଧର ନାୟକଙ୍କ ନାଁ ମଧ୍ୟ ଶୁଣା ଯାଉଛି । ସେହିପରି ଜନ ସମୃଦ୍ଧି ପାର୍ଟିର ସାହାରପଡା ପୂର୍ବତନ ବ୍ଲକ ଅଧ୍ୟକ୍ଷ ରବିନ୍ଦ୍ର ନାୟକ, ସୁନିଲ ନାୟକ, ଝୁମ୍ପୁରା ବ୍ଳକ ଅଧ୍ୟକ୍ଷ ସୁଶାନ୍ତ ନାୟକ ମଧ୍ୟ ଆଶାୟୀ ଅଛନ୍ତି । ଦେଖିକା କଥା ଏଥର ପାଟଣାବାସୀ କାହାକୁ ବିଧାୟକ ଭାବେ ବାଛୁଛନ୍ତି ।