ପରାଜିତ ପ୍ରାର୍ଥୀଙ୍କ ସଂସାର ଉଜୁଡ଼ିଗଲା

ପରାଜିତ ପ୍ରାର୍ଥୀଙ୍କ ସଂସାର ଉଜୁଡ଼ିଗଲା

ପରାଜିତ ପ୍ରାର୍ଥୀଙ୍କ ସଂସାର ଉଜୁଡ଼ିଗଲା

ଭୁବନେଶ୍ୱର : ଏମିତି ଏକ ଅଭାବନୀୟ ଘଟଣା ଏବେ ଭଦ୍ରକ ଜିଲ୍ଲାରେ ଚର୍ଚ୍ଚା ସୃଷ୍ଟିକରିଛି  । ବିଜୟୀ ପ୍ରାର୍ଥୀ କମେଂଟ ମାରିବାରୁ ପରାଜିତ ପ୍ରାର୍ଥୀ ବିଷ ପିଇ ଦେଇଛନ୍ତି  । ଅପରପକ୍ଷରେ ପରାଜିତ ପ୍ରାର୍ଥୀଙ୍କ ସ୍ୱାମୀ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି  ।

ନିର୍ବାଚନରେ ହାରଜିତ ଅଛି  । ଯେଉଁଥିପାଇଁ ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ହାରିବା ପ୍ରାର୍ଥୀ ବିଜୟୀ ପ୍ରାର୍ଥୀଙ୍କୁ ଅଭିନନ୍ଦନ ଜଣାଉଥିବାବେଳେ ପରାଜିତ ପ୍ରାର୍ଥୀଙ୍କୁ ବୋଧ ଦେଇଥା’ନ୍ତି ବିଜୟୀ ପ୍ରାର୍ଥୀ  । କିନ୍ତୁ କେତେକ ସ୍ଥାନରେ ନିର୍ବାଚନରେ ହାରିଯିବା ପରେ ଟାହିଟାପରା ଶୁଣିବାକୁ ପଡ଼ିଥାଏ  । ତେବେ ଏଭଳି ଏକ ଟାହିଟାପରା ଯୋଗୁଁ ଜଣେ ପରାଜିତ ପ୍ରାର୍ଥୀଙ୍କ ଘର ଉଜୁଡ଼ି ଯାଇଛି  ।

ଘଟଣାଟି ଏମିତି  । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ଅନ୍ତର୍ଗତ ପଦ୍ମପୁର ଗ୍ରାମ ପଂଚାୟତରେ ସୁମତି ପରିଡ଼ା ନାମ୍ନୀ ଜଣେ ମହିଳା ସମିତି ସଭ୍ୟା ପ୍ରାର୍ଥୀ ଭାବେ ଲଢ଼ୁଥିଲେ  ।  କିନ୍ତୁ ନିର୍ବାଚନରେ ସେ ହାରି ଯାଇଥିଲେ  । ହାରିଯାଇଥିବାରୁ ତାଙ୍କ ଘର ଆଗରେ ବିଜୟୀ ପ୍ରାର୍ଥୀ ଟାହିଟାପରା କରି କଥାବାର୍ତା କରିଥିଲେ  । ଫଳରେ ସୁମତିଙ୍କ ସ୍ୱାମୀ ରମାକାନ୍ତ ଘରେ ଯାଇ ଗଣ୍ଡଗୋଳ କରିଥିଲେ  । ତୁ କାହିଁକି ପ୍ରାର୍ଥୀ ହୋଇଥିଲୁ ବୋଲି ପଚାରିଥିଲେ  । ଏଥିରେ ବ୍ୟଥିତ ହୋଇ ସୁମତି ସାଙ୍ଗେ ସାଙ୍ଗେ ବିଷ ପିଇଦେଇଥିଲେ। ବିଷ ପିଇ ସେ ଗୁରୁତର ହୋଇପଡ଼ିବାରୁ ଦୁଃଖରେ ଭାଙ୍ଗିଯାଇ ରମାକାନ୍ତ ଦଉଡ଼ିରେ ଫାଶି ଲଗାଇ ଝୁଲି ପଡ଼ିଥିଲେ  । ଗୁରୁତର ସ୍ୱାମୀ ସ୍ତ୍ରୀଙ୍କୁ ତୁରନ୍ତ ହସପିଟାଲରେ ଭର୍ତି କରାଯାଇଥିଲା  । ରମାକାନ୍ତଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିବା ଜଣାପଡ଼ିଥିଲା । ଅପରପକ୍ଷରେ ସୁମତି ଗୁରୁତର ହୋଇପଡ଼ିବାରୁ ତାଙ୍କୁ କଟକ ବଡ଼ ମେଡ଼ିକାଲ ନିଆଯାଉଛି  ।