ପୁଣି ଦିଲ୍ଲୀର ଆକାଶ ଧୂଆଁମୟ

ପୁଣି ଦିଲ୍ଲୀର ଆକାଶ ଧୂଆଁମୟ

ନୂଆଦିଲ୍ଲୀ : ଦିଲ୍ଲୀ-ଏନସିଆରରେ ପ୍ରଦୂଷଣ ମାତ୍ର ବଢୁଥିବା ହେତୁ ସୁପ୍ରିମକୋର୍ଟ ଦୀପାବଳିରେ ବାଣ ଫୁଟାଇବା ଉପରେ ପ୍ରତିବନ୍ଧକ ଲଗାଇଥିଲେ। ହେଲେ ସୁପ୍ରିମକୋର୍ଟଙ୍କ ସବୁ କଟକଣାକୁ ଫୁ କଲେ ଦିଲ୍ଲୀ ବାସିନ୍ଦା । ଲୋକେ ମାନିଲେନି କଟକଣା । ବିଳମ୍ବିତ ରାତ୍ରୀ ପର୍ୟ୍ୟନ୍ତ ବାଣ ଫୁଟାଇ ଦିଲ୍ଳୀର ପରିବଶେକୁ ପୁଣି ଥରେ ବିଷାକ୍ତ କରି ଦେଇଛନ୍ତି ସହରବାସୀ। ଗତକାଲି ଦୀପାବଳି ପାଳନ ପରେ ପୁଣି ଥରେ ରାଜଧାନୀ ଦିଲ୍ଲୀର ବାୟୁ ଅବସ୍ଥା ବିଗିଡ଼ି ଯାଇଛି। ଗତକାଲି ଦୀପାବଳି ରାତିରେ ପରେ ଆଜି ସକାଳୁ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳଗୁଡିକ ଘନ କୁହୁଡିରେ ଆଚ୍ଛାଦିତ ହୋଇଛି। ଜାତୀୟ ରାଜଧାନୀର ଅନେକ ଅଞ୍ଚଳରେ ଘନ କୁହୁଡ଼ି ଦେଖାଯିବା ହେତୁ ଅନେକ ମିଟର ପର୍ୟ୍ୟନ୍ତ ବାଟ ବି ଦିଶିନଥିଲା।

ଶୁକ୍ରବାର ଓ ଶନିବାର ବର୍ଷା ଯୋଗୁଁ ଜାତୀୟ ରାଜଧାନୀରେ ପ୍ରଦୂଷଣ ସ୍ତରର ସାମାନ୍ୟ ଉନ୍ନତି ଘଟିଥିଲା। ହେଲେ ଦୀପାବଳିରେ ଆତସବାଜି ଯୋଗୁଁ ସ୍ଥିତି ପୁଣି ବିଗିଡ଼ିଛି । ଦିଲ୍ଲୀର ଅନେକ ଅଞ୍ଚଳରେ ବାୟୁ ଗୁଣବତ୍ତା ସ୍ତର ପ୍ରାୟ ୩୦୦ରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ସୂଚନା ମୁତାବକ ଦିଲ୍ଲୀର ବାୟୁ ଗୁଣବତ୍ତା ସୋମବାର ‘ଖରାପ’ ବର୍ଗରେ ରହିଛି। ।
ସୋମବାର ସକାଳେ ଦିଲ୍ଲୀର ଆକାଶ ଧୂଆଁମୟ ହୋଇଯାଇଛି। ଭିଜିବିଲିଟି ମଧ୍ୟ କମିଛି । ଦିଲ୍ଲୀର ହାରାହାରି ଏକ୍ୟୁଆଇ ବା ବାୟୁ ଗୁଣବତ୍ତା ସୂଚକାଙ୍କ “ଖରାପ” ବର୍ଗରେ ରହିଛି । ଯଦି ପଞ୍ଜାବ, ହରିୟାଣା ଏବଂ ଉତ୍ତର ପ୍ରଦେଶର ଚାଷୀ ନଡ଼ା ଜାଳିବା ଜାରି ରଖନ୍ତି ତେବେ ପ୍ରଦୂଷଣ ସ୍ତର ଆହୁରି ବଢ଼ିପାରେ।