ପଇଡ଼ ପାଣିରେ ରହିଛି ଅନେକ ଔଷଧୀୟ ଗୁଣ

ଖରାସିନେ ପଇଡ ପାଣିର ଚାହିଦା ଅନେକ। ଏଥିରେ ସ୍ୱାସ୍ଥ୍ୟ ଉପକାରୀ ଗୁଣ ଭରି ରହିଛି। ଖରାଦିନେ ପଇଡ ପିଇବା ଦ୍ୱାରା ଜଳୀୟଅଂଶ ଅଭାବ ଦୂର ହୋଇଥାଏ ଏହା ପ୍ରାୟ ସମସ୍ତଙ୍କୁ ଜଣା। ହେଲେ ଏଥିରେ ଆଉ କି କି ଉପକାରୀ ଗୁଣ ଅଛି ଜାଣନ୍ତି କି? ଜାଣିଲେ ଆଶ୍ଚର୍ଯ୍ୟ ହେବେ ହଜମ ପ୍ରକ୍ରିୟାଠୁ ହୃଦୟ ସ୍ୱାସ୍ଥ୍ୟ ବଜାୟ ରଖିବାରେ ବି ସହାୟକ ହୋଇପାରେ ପଇଡ ପାଣି। ନିମ୍ନରେ ପଇଡ ପାଣିର ଅନ୍ୟ କେତେକ ସ୍ୱାସ୍ଥ୍ୟ ଉପକାରୀ ଗୁଣ ବାବଦରେ ବର୍ଣ୍ଣନା କରାଯାଇଛି..
ଏଥିରେ ଅତ୍ୟାବଶ୍ୟକ ଭିଟାମିନ୍, ମିନେରାଲ୍ସ ଏବଂ ଆମିନୋ ଏସିଡ୍ ଭରପୂର ଥାଏ। ଏହା ବ୍ୟତୀତ ପ୍ରଚୁର ପରିମାଣର ପୋଟାସିୟମ୍, ମ୍ୟାଗ୍ନେସିୟମ୍, କ୍ୟାଲସିୟମ୍, ଏବଂ ସୋଡିୟମ୍ ଥାଏ, ଯାହା ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ବଜାୟ ରଖିବା, ରକ୍ତଚାପ ନିୟନ୍ତ୍ରଣ କରିବା ଏବଂ ମାଂସପେଶୀ କାର୍ଯ୍ୟକୁ ସମର୍ଥନ କରିବାରେ ସହାୟକ ହୋଇଥାଏ।
ପଇଡ ପାଣିରେ ଥିବା ସାଇଟୋକିନିନ୍, ପ୍ଲାଣ୍ଟ ହରମୋନ ଆଣ୍ଟି-ଏଜିଂ, କର୍କଟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ। ପଇଡ ପାଣି ମଧ୍ୟ ସଂକ୍ରମଣରୁ ରକ୍ଷା କରିଥାଏ।
ପଇଡ ପାଣିରେ ଥିବା ପୋଟାସିୟମ୍ ରକ୍ତଚାପକୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ ଏବଂ ହୃଦଘାତର ଆଶଙ୍କାକୁ କମ୍ କରିଥାଏ। ଏହାର ଇଲେକ୍ଟ୍ରୋଲାଇଟ୍ ସନ୍ତୁଳନ ଏବଂ କମ୍ ସୋଡିୟମ ହୃଦୟ ପାଇଁ ଲାଭଦାୟକ।
ମିଠା ସ୍ୱାଦ ସତ୍ତ୍ୱେ ଅନ୍ୟାନ୍ୟ ପାନୀୟ ତୁଳନାରେ ପଇଡ ପାଣିରେ କ୍ୟାଲୋରୀ ଏବଂ ଶର୍କରା ପରିମାଣ ଖୁବ୍ କମ୍। ଅନ୍ୟ ପାନୀୟ ଅପେକ୍ଷା ପଇଡ ପାଣି ପିଇଲେ ଶରୀରରେ ଶର୍କରା ବୃଦ୍ଧି ହୋଇନଥାଏ।
ପଇଡ ପାଣି କେବଳ ଆଭ୍ୟନ୍ତରୀଣ ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ, ତାହା ନୁହେଁ; ଏହା ତ୍ୱଚା ପାଇଁ ବି ବେଶ୍ ଉପକାରୀ। ଏହାର ହାଇଡ୍ରେଟିଂ ଗୁଣଗୁଡିକ ଶୁଷ୍କ, ଚର୍ମକୁ ମଶ୍ଚରାଇଜ୍ ଏବଂ ସତେଜ କରିବାରେ ସାହାଯ୍ୟ କରିଥାଏ। ଏଥିସହ ଚର୍ମ ଜ୍ୱଳନକୁ ମଧ୍ୟ ଦୂର କରି ତ୍ୱଚାରେ ଚମକ ଭରିଥାଏ ପଇଡ ପାଣି।