ନୱାବ୍‌ ମଲିକଙ୍କ ନାଁରେ ୧୦୦ କୋଟିର ମାନହାନି ମକଦ୍ଦମା

ନୱାବ୍‌ ମଲିକଙ୍କ ନାଁରେ ୧୦୦ କୋଟିର ମାନହାନି ମକଦ୍ଦମା

ନୱାବ୍‌ ମଲିକଙ୍କ ନାଁରେ ୧୦୦ କୋଟିର ମାନହାନି ମକଦ୍ଦମା

ମୁମ୍ବାଇ: ମହାରାଷ୍ଟ୍ରର ମନ୍ତ୍ରୀ ତଥା ଏନ୍ସିପି ନେତା ନୱାବ ମଲିକଙ୍କ ନାଁରେ ୧୦୦ କୋଟିର ମାନହାନି ମକଦ୍ଦମା କରାଯାଇଛି। ବିଜେପି ନେତା ମୋହିତ କାମ୍ବୋଜ ଏହି ମକଦ୍ଦମା କରିଛନ୍ତି। ଲଗାତର ତାଙ୍କ ନାଁରେ ଅଭିଯୋଗ ଆଣିବା ପରେ ରାଗିଯାଇ ଏଭଳି ପଦକ୍ଷେପ ଗ୍ରହଣ କରିଥିବା କହିଛନ୍ତି। 

 ଗତ କିଛି ଦିନ ହେବ ନୱାବ ମଲିକ ବିଜେପି ନେତା ମୋହିତ କାମ୍ବୋଜ ଏବଂ ତାଙ୍କ ପରିବାର ବିରୋଧରେ କ୍ରମାଗତ ଭାବେ ଅଭିଯୋଗ ଆଣିଥିଲେ। ମୁମ୍ବାଇ ଡ୍ରଗ୍ସ ମାମଲାରେ ମଧ୍ୟ ତାଙ୍କ ପରିବାର ସହ କନେକସନ୍ ଥିବା କଥା ଉଠାଇଥିଲେ।

ଏହି କାରଣରୁ ଅକ୍ଟୋବର ୯ରେ ମଲିକଙ୍କୁ ଏକ ନୋଟିସ ପଠାଇଥିଲେ ମୋହିତ । ବିନା ପ୍ରମାଣରେ ବଦନାମ କରିବା ଭୁଲ ଅଟେ ବୋଲି ମୋହିତ ଏହି ନୋଟିସ ଜରିଆରେ ଜୋର ଦେଇ କହିଥିଲେ। କିନ୍ତୁ ନୱାବ ମଲିକ ନୋଟିସ ସତ୍ତ୍ୱେ ତାଙ୍କ ଉପରେ ଟାର୍ଗେଟ କରିବା ଜାରି ରଖିଥିଲେ। ଅକ୍ଟୋବରରେ ୧୧ରେ ପୁଣି ଥରେ ମୋହିତଙ୍କ ପରିବାରକୁ ଟାର୍ଗେଟ କରିଥିଲେ ନୱାବ।

ଏଥିରେ ରାଗିଯାଇ ବିଜେପି ନେତା ମୋହିତ ଏବେ ମଲିକଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତ ହୋଇଛନ୍ତି। ନୱାବ ମଲିକଙ୍କ ବିରୋଧରେ ବମ୍ବେ ହାଇକୋର୍ଟରେ ୧୦୦ କୋଟି ଟଙ୍କାର ମାନହାନି ମକଦ୍ଦମା କରିଛନ୍ତି। ଏଥିସହ ମୁମ୍ବାଇ ପୁଲିସ ନିକଟରେ ସେ ମନ୍ତ୍ରୀଙ୍କ ନାଁରେ ଅଭିଯୋଗ ମଧ୍ୟ କରିଛନ୍ତି।

ବମ୍ବେ ହାଇକୋର୍ଟରେ ଦାଖଲ ହୋଇଥିବା ଆବେଦନରେ ମୋହିତ କହିଛନ୍ତି ଯେ, ସେ ବିଜେପିର ସଦସ୍ୟ ଏବଂ ତାଙ୍କର ମଧ୍ୟ ବ୍ୟବସାୟ ଅଛି। କିନ୍ତୁ ନୱାବ ମଲିକଙ୍କ ଭିତ୍ତିହୀନ ଅଭିଯୋଗ ତାଙ୍କ ଭାବମୂର୍ତ୍ତିକୁ ଖରାପ କରିଛି। ତେଣୁ କୌଣସି ପ୍ରମାଣ ନଥାଇ ନୱାବଙ୍କ ଏଭଳି ବୟାନବାଜି କରିବା ଉପରେ ରୋକ ଲଗାଇବା ପାଇଁ ମୋହିତ କୋର୍ଟଙ୍କୁ ନିବେଦନ କରିଛନ୍ତି।

ଉଲ୍ଲେଖ ଯୋଗ୍ୟ ଯେ, ଏନସିବି କ୍ରୁଜ୍ ଉପରେ ଚଢ଼ାଉ କରି ଅନେକ ଲୋକଙ୍କୁ ଅଟକ ରଖିଥିଲା, ସେତେବେଳେ ମଲିକ୍ କହିଥିଲେ ଯେ ୮ ଜଣଙ୍କ ବଦଳରେ ଏନ୍ସିବି ୧୧ ଜଣଙ୍କୁ ଅଟକ ରଖାଯାଇଥିଲା। କିନ୍ତୁ ପରେ ବିଜେପି ନେତାଙ୍କ ଏକ ଫୋନ୍ ଆସିବା ପରେ ତିନି ଜଣଙ୍କୁ ଏନ୍ସିବି ଛାଡି ଦେଇଥିଲା। ଛଡା ଯାଇଥିବା ଲୋକଙ୍କ ମଧ୍ୟରେ ବିଜେପି ନେତା ମୋହିତଙ୍କ ଶଳା ମଧ୍ୟ ଥିଲେ ବୋଲି ନୱାବ ଦାବି କରିଥିଲେ। ଏନେଇ  ନବାବ ମଲିକ କିନ୍ତୁ ଏପର୍ୟ୍ୟନ୍ତ ନିଜର ପ୍ରତିକ୍ରିୟା ଦେଇ ନାହାନ୍ତି।