ନିର୍ମାଣାଧୀନ କୋଠାର ଲୁହା ସ୍ଲାବ୍ ଖସି ୭ ଶ୍ରମିକ ମୃତ
ନିର୍ମାଣାଧୀନ କୋଠାର ଲୁହା ସ୍ଲାବ୍ ଖସି ୭ ଶ୍ରମିକ ମୃତ
ପୁଣେ: ମହାରାଷ୍ଟ୍ରର ପୁଣରେ ଥିବା ଗୋଟିଏ ନିର୍ମାଣଧୀନ ବିଲଡିଂରେ ଲୁହା ରଡର ସ୍ଲାବ ଖସି ପଡ଼ିବାରୁ ୭ ଜଣ ଶ୍ରମିକ ପ୍ରାଣ ହରାଇଛନ୍ତି। ଏହି ଘଟଣାରେ ଆହତ ହୋଇଥିବା ଆଉ ୩ ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି। ସେମାନଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। ପୁଣେର ୟେରୱାଡା ପୁଲିସ୍ ଷ୍ଟେସନ ଅଧୀନରେ ଥିବା ଅଞ୍ଚଳରେ ଏହି ଘଟଣା ଘଟିଛି।
ପୁଣେର ଡେପୁଟି କମିଶନର ରୋହିଦାସ ପାୱାର କହିଛନ୍ତି, ୟେରୱାଡାର ଶାସ୍ତ୍ରୀ ୱାଡିଆ ବଙ୍ଗଳା ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏପରି ଘଟଣା ଘଟିଛି। ଏଠାରେ ଗୋଟିଏ ବିଲଡିଂର ବେସମେଣ୍ଟ କାମ ଚାଲିଥିଲା। ତେବେ କାମ ଚାଲିଥିବା ବେଳେ ହଠାତ୍ ପାର୍କିଂ ସ୍ଥାନରେ ଥିବା ଲୁହାର ଗୋଟିଏ ବଡ଼ ଜାଲି ସ୍ଲାବ୍ ଖସି ପଡ଼ିଥିଲା।
ଶ୍ରମିକମାନେ ବେସ୍ମେଣ୍ଟରେ ଲୁହାର ରଡ୍ରେ ତିଆରି ହୋଇଥିବା ସ୍ଲାବ ଖଞ୍ଜୁ ଥିବା ବେଳେ ଏପରି ଘଟିଛି। ୧୦ ଏମଏମ ରଡ୍ରେ ତିଆରି ଜାଲି ସ୍ଲାବକୁ ଲଗାଇବା କାମରେ ନିୟୋଜିତ ହୋଇଥିବା ପ୍ରାୟ ୧୦ ଜଣ ଶ୍ରମିକ ଏହା ତଳେ ଫସି ଯାଇଥିଲା। ଅଗ୍ନିଶମ କର୍ମଚାରୀ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାମ ଆରମ୍ଭ କରିଥିଲେ।
ହେଲେ ସେତେବେଳକୁ ୭ ଜଣ ଶ୍ରମିକଙ୍କ ମୃତ୍ୟୁ ଘଟି ସାରିଥିଲା। ଅନ୍ୟ ୩ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲ ନିଆ ଯାଇଥିଲା। ଏହି ଶ୍ରମିକମାନେ କେଉଁ ସ୍ଥାନରୁ ଏଠାରେ କାମ କରିବାକୁ ଆସିଥିଲେ, ସେକଥା ଜଣାପଡ଼ିନି। ପୁଲିସ୍ ଏବେ ଗୋଟିଏ ମାମଲା ରୁଜୁ କରି ମୃତାହତଙ୍କ ଶ୍ରମିକଙ୍କ ପରିଚୟ ଖୋଜୁଛି।




admin 