ଦିଲ୍ଲୀରେ ଆପ୍ ର ସ୍ଥିତିହୀନ
ଦିଲ୍ଲୀରେ ଆପ୍ ର ସ୍ଥିତିହୀନ
admin
May 25, 2019 - 12:37
Updated: May 25, 2019 - 12:37
ନୂଆଦିଲ୍ଲୀ : ଦିଲ୍ଲୀ ବିଧାନସଭା ନିର୍ବାଚନର ଠିକ୍ ଆଠ ମାସ ପୂର୍ବରୁ ଶାସକ ଦଳ ଆମ ଆଦମି ପାଟିକୁ ବଡ ଝଟକା ଲାଗିଛି । ଦିଲ୍ଲୀର ସମସ୍ତ ୭ଟି ଯାକ ଲୋକସଭା ଆସନରେ ଆପର କୌଣସି ଜଣେ ନେତା ମୋଦି ଲହରିର ସାମ୍ନା କରିପାରି ନାହାନ୍ତି । ସମସ୍ତ ଆସନରେ ବିଜେପି ନେତାଙ୍କର ବିଜୟ ହୋଇଛି । ଆପ୍ ପାଇଁ ସବୁଠୁ ବଡ ଅପମାନର ବିଷୟ ହେଉଛି ଏହା ଲୋକସଭା ନିର୍ବାଚନରେ ଦ୍ୱିତୀୟ ସ୍ଥାନରେ ରହି ନାହିଁ । କଂଗ୍ରେସ ପଛକୁ ଏହା ତୃତୀୟ ସ୍ଥାନରେ ରହିଛି । ବିଧାନସଭା ନିର୍ବାଚନରେ ଏହି ଫଳାଫଳ ନକାରାତ୍ମକ ପ୍ରଭାବ ପକାଇ ପାରେ ବୋଲି ଆଶଙ୍କା କରାଯାଉଛି ।
ଦିଲ୍ଲୀରେ ଭୋଟ ହାରରେ ଆପ୍ ତୃତୀୟ ସ୍ଥାନରେ ରହିଛି । ଏହାର ଭୋଟ ଭାଗ ୧୮.୧% ରହିଛି । ଅନ୍ୟ ପକ୍ଷରେ ସବୁ ଆସନରେ ଜିତିଥିବା ବିଜେପିର ଭୋଟ ଭାଗ ୫୬.୫% ରହିଥିବା ବେଳେ କଂଗ୍ରେସ ୨୨.୫ ଭୋଟ ପାଇ ଦ୍ୱିତୀୟରେ ରହିଛି । ତେଣୁ ୮ ମାସ ପରେହେବାକୁ ଥିବା ଦିଲ୍ଲୀ ବିଧାନସଭା ନିର୍ବାଚନରେ ବିଜେପି ଓ କଂଗ୍ରେସ ମଧ୍ୟରେ ଟକ୍କର ହୋଇପାରେ ଏବଂ ଆପ୍ ପ୍ରଭାବ ହୀନ ହୋଇପାରେ ବୋଲି ଆଶଙ୍କା କରାଯାଉଛି ।
ଲୋକସଭା ନିର୍ବାଚନରେ ଆପ୍ ସହ କଂଗ୍ରେସ ମେଂଟ କରିବ ଲଢିବାକୁ ଚାହୁଁଥିଲା । କିନ୍ତୁ ଆପ୍ ଦିଲ୍ଲୀ ବ୍ୟତୀତ ଅନ୍ୟ କିଛି ରାଜ୍ୟରେ ମେଂଟ ଚାହୁଁଥିଲା । ଦିଲ୍ଲୀରେ ଆପ୍ ବିଜେପିକୁ ଏକାକୀ ହରାଇବାରେ ସମର୍ଥ ବୋଲି ଏହାର ମୁଖ୍ୟ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବାହାସ୍ଫୋଟ ମାରିଥଲେ । ତେଣୁ ଦୁଇ ଦଳ ମେଂଟ ବାବଦରେ ନିଷ୍ପତି ନେଇ ପାରି ନଥିଲେ । ଶେଷ ମୁହୂର୍ତ ପର୍ଯ୍ୟନ୍ତ କେଜ୍ରିୱାଲ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କ ମଧ୍ୟରେ କୌଣସି ବୁଝାମଣା ହୋଇ ନପାରିବାରୁ ଉଭୟ ପୃଥକ ଭାବେ ଲଢିଥିଲେ । ଏହାର ଫାଇଦା ବିଜେପି ନେଇଥିଲା ।