ନବୀନ-ଜଗନ ନେଲେ ବଡ ନିଷ୍ପତି : ବିବାଦର ହେବ ସମାଧାନ
ନବୀନ-ଜଗନ ନେଲେ ବଡ ନିଷ୍ପତି : ବିବାଦର ହେବ ସମାଧାନ
ଭୁବନେଶ୍ୱର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡୀଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଥିବାବେଳେ ଦୁଇ ରାଜ୍ୟ ମଧ୍ୟରେ ଥିବା ଅନେକ ବିବାଦର ସମାଧାନ ହେବବୋଲି ଆଶା କରାଯାଉଛି । କୋଟିଆ ଗ୍ରାମପୁଞ୍ଜ ବିବାଦଠାରୁ ନେଇ ନାରଡ଼ି ଜଳଭଣ୍ଡାର, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ, ବାହୁଦା ନଦୀର ଜଳ ନିଷ୍କାସନ ସମେତ ବାଲିମେଳା ଓ ଅପର ସିଲେରୁ ଏନଓସି ସଂକ୍ରାନ୍ତରେ ଉଭୟ ରାଜ୍ୟ ଆପୋଷ ସମାଧାନ କରିବେ ବୋଲି ସହମତି ପ୍ରକାଶ କରିଛନ୍ତି ।
ଏକ ମିଳିତ ପ୍ରେସ ବିବୃତିରେ ଓଡ଼ିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଣାଇଛନ୍ତିଯେ, ଉଭୟଙ୍କ ମଧ୍ୟରେ ସୌହାର୍ଦ୍ଧ୍ୟପୂର୍ଣ୍ଣ ଓ ଫଳପ୍ରଦ ବୈଠକ ହୋଇଛି । ଉଭୟ ରାଜ୍ୟ କେବଳଯେ, ପଡେ଼ାଶୀ ତାହା ନୁହେଁ ବରଂ ଉଭୟ ରାଜ୍ୟ ମଧ୍ୟରେ ବର୍ଷ ବର୍ଷ ଧରି ଐତିହାସିକ ଓ ଐତିହ୍ୟ ସମ୍ପର୍କ ରହିଛି । ଆବଶ୍ୟକତା ସମୟରେ ଉଭୟ ରାଜ୍ୟ ପରସ୍ପରକୁ ସହଯୋଗର ହାତ ବଢ଼ାଇ ଆସିଛନ୍ତି । ବିଶେଷକରି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଉଭୟ ରାଜ୍ୟ ପୂର୍ଣ୍ଣ ସହଯୋଗ ଓ ସହାୟତା ଯୋଗାଇ ଆସିଛନ୍ତି । ଉଭୟ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗ, ବିଶେଷକରି ଜଳସମ୍ପଦ, ସୀମା ବିବାଦ, ଶକ୍ତି ଓ ବାମ ଉଗ୍ରବାଦ ଆଦି ଉପରେ ଦୁଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଛନ୍ତି । କୋଟିଆ ଗ୍ରାମପୁଞ୍ଜ ବିବାଦ, ନାରଡ଼ି ବ୍ୟାରେଜ, ଝଞ୍ଜାବତୀ ଜଳଭଣ୍ଡାର, ପୋଲାଭରମ, ବାହୁଡ଼ା ନଦୀରୁ ଜଳ ନିଷ୍କାସନ ଓ ବାଲିମେଳା ଏବଂ ଅପର ସିଲେରରେ ଶକ୍ତି ପ୍ରକଳ୍ପ ପାଇଁ ଏନଓସି ଦେବା ସଂକ୍ରାନ୍ତରେ ଫଳପ୍ରଦ ଆଲୋଚନା ହୋଇଛି । ଉଭୟ ରାଜ୍ୟ ମିଶି ଏହାର ସମାଧାନ କରିବେ ବୋଲି ସହମତି ପ୍ରକାଶ ପାଇଛି ।
ସେହିପରି ବାମ ଉଗ୍ରବାଦ ଓ ଗଞ୍ଜେଇ ଚାଷ ସମସ୍ୟାର ସମାଧାନ ପାଇଁ ଉଭୟ ରାଜ୍ୟ ମିଳିତ ଭାବେ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ଏତଦବ୍ୟତୀତ ଶ୍ରୀକାକାକୁଲମସ୍ଥିତ ବିଆର ଆମ୍ବେଦକର ବିଶ୍ୱବିଦ୍ୟାଳୟରେ ଓଡ଼ିଆ ଚେୟାର ପ୍ରତିଷ୍ଠା ଏବଂ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ତେଲୁଗୁ ଚେୟାର ପ୍ରତିଷ୍ଠା ପାଇଁ ଉଭୟ ରାଜ୍ୟ ପଦକ୍ଷେପ ଗ୍ରହଣ କରିବେ ବୋଲି ମିଳିତ ପ୍ରେସ ବିବୃତିରେ ସୂଚନା ପ୍ରଦାନ କରାଯାଇଛି । ସୀମାନ୍ତବର୍ତୀ ଜିଲ୍ଲାରେ ଭାଷା ଶିକ୍ଷକ ନିଯୁକ୍ତି, ପୁସ୍ତକ ଯୋଗାଣ ସହ ଭାଷା ପରୀକ୍ଷା ଦ୍ୱାରା ଭ୍ରାତୃତ୍ୱବୋଧ ପ୍ରତିଷ୍ଠା ପାଇଁ ଦୁଇ ମୁଖ୍ୟମନ୍ତ୍ରୀ ସହମତି ପ୍ରକାଶ କରିଛନ୍ତି ।
ସଂଘୀୟ ବ୍ୟବସ୍ଥା ଅନୁଯାୟୀ ଦୁଇ ରାଜ୍ୟ କାର୍ଯ୍ୟ କରିବାକୁ ପ୍ରତିଶ୍ରୁତି ଦେବା ସହ ଦୁଇ ରାଜ୍ୟର ମୁଖ୍ୟସଚିବଙ୍କୁ ନେଇ ଏକ ହାଇଲେବଲ କମିଟି ଉଭୟ ରାଜ୍ୟ ମଧ୍ୟରେ ଥିବା ବିବାଦର ସମାଧାନ କରିବେ ବୋଲି ସୂଚନା ଦିଆଯାଇଛି ।




admin 