ନକଲି ପାସପୋର୍ଟ ଦେଖାଇ କିମ୍ବଦନ୍ତି ଫୁଟବଲର ରୋନାଲଡିନୋ ଗିରଫ

ନକଲି ପାସପୋର୍ଟ ଦେଖାଇ କିମ୍ବଦନ୍ତି ଫୁଟବଲର ରୋନାଲଡିନୋ ଗିରଫ

ସାନ ଲୋରେଞ୍ଜୋ: ବ୍ରାଜିଲର କିମ୍ବଦନ୍ତି ଫୁଟବଲ ତାରକା ରୋନାଲଡିନୋ ନକଲି ପାସପୋର୍ଟ ଦେଖାଇ ପାରାଗୁଏରେ ପ୍ରବେଶ କରିଥିବା ଅଭିଯୋଗରେ ଗିରଫ ହୋଇଛନ୍ତି । ୨୦୦୨ ରେ ବିଶ୍ୱକପ ଜିତିଥିବା ବ୍ରାଜିଲ ଦଳର ଅନ୍ୟତମ ସଦସ୍ୟ ଥିବା ରୋନାଲଡିନୋଙ୍କ ସହ ତାଙ୍କ ଭାଇ ରବେର୍ଟୋ ବୁଧବାର ରାତିରେ ଏହି କାଣ୍ଡ କରିଥିଲେ । ଏଣୁ ପାରାଗୁଏ ପୁଲିସ ସେମାନଙ୍କୁ ଏକ ଗଲ୍ଫ କ୍ଲବରେ ଅଟକ ରଖି ପଚରା ଉଚରା କରୁଛି । ଉଭୟଙ୍କ ପାସପୋର୍ଟରେ ବେଆଇନ ଭାବେ ସେମାନେ ପାରାଗୁଏର ନାଗରିକ ବୋଲି ଉଲ୍ଲେଖ ଥିବା ପୁଲିସ ପ୍ରକାଶ କରିଛି । ପାରାଗୁଏର ଏକ ଜୁଆ ଆଡ୍ଡା ମାଲିକଙ୍କ ନିମନ୍ତ୍ରଣରେ ରୋନାଲଡିନୋ ଓ ତାଙ୍କ ଭାଇ ପାରାଗୁଏ ଯାଇଥିଲେ । ସେଠାରେ ସେ ଏକାଧିକ ସଭା ଓ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା । ହେଲେ ଏସବୁ କାର୍ଯ୍ୟକ୍ରମକୁ ଏବେ ସ୍ଥଗିତ ରଖାଯାଇଛି । ସୂଚନା ଯୋଗ୍ୟ ଯେ ୨୦୧୮ ମସିହାରେ ପରିବେଶ ନିୟମ ଉଲ୍ଲଂଘନରେ ରୋନାଲଡିନୋଙ୍କ ବ୍ରାଜିଲ ନାଗରିକତ୍ୱକୁ ନିଲମ୍ବନ କରିଦିଆଯାଇଛି । ରୋନାଲଡିନୋ ଓ ତାଙ୍କ ଭାଇ ୨୦୧୫ ରେ ବେଆଇନ ଭାବେ ଏକ ହ୍ରଦ ଉପରେ ମାଛଧରା ଫନ୍ଦା ନିର୍ମାଣ କରିଥିଲେ । ୩ ବର୍ଷ ପରେ ଉଭୟଙ୍କୁ ଏହି ମାମଲାରେ ଦଣ୍ଡବିଧାନ ହୋଇଥିଲା । ସମ୍ଭବତଃ ସେଥିପାଇଁ ସେ ନକଲି ପାସପୋର୍ଟରେ ପାରାଗୁଏ ଯାତ୍ରା କରିଥିବା ଅନୁମାନ କରାଯାଉଛି ।