ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମୁକିମ, ଏମିତି କହିଲେ ଶରତ

ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ ମୁକିମ, ଏମିତି କହିଲେ ଶରତ

ଭୁବନେଶ୍ୱର: ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ  କଂଗ୍ରେସ ବିଧାୟକ ମହମ୍ମଦ ମୋକିମ ଭୋଟ ଦେବାକୁ ନେଇ କଂଗ୍ରେସ ଶିବିରରେ କମ୍ପନ ସୃଷ୍ଟି ହୋଇଛି ।  କଂଗ୍ରେସ ପ୍ରାର୍ଥୀଙ୍କୁ ଭୋଟ ଦେବାକୁ ପୂର୍ବରୁ ପିସିସି ସଭାପତି ଶରତ ପଟ୍ଟନାୟକ ସମସ୍ତ ଦଳୀୟ ବିଧାୟକଙ୍କୁ କହିଥିଲେ ହେଁ ମୋକିମ କିନ୍ତୁ ଶରତଙ୍କ କଥାକୁ ବାଏଁ ବାଏଁ ଉଡ଼ାଇ ଦେଇଛନ୍ତି ।  

ଏହି ପରିପ୍ରେକ୍ଷୀରେ ପିସିସି ସଭାପତି ଶରତ ପଟ୍ଟନାୟକ କହିଛନ୍ତି ଯେ ମୋକିମଙ୍କ ଏହି କାରନାମା ବିଷୟରେ ଦଳୀୟ ହାଇକମାଣ୍ଡଙ୍କୁ ଅବଗତ କରାଇବୁ । ହାଇକମାଣ୍ଡ ଯାହା ନିଷ୍ପତ୍ତି ନେବୁ ଆମେ ତାକୁ କାର୍ଯ୍ୟକାରୀ କରିବୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଅନ୍ୟପକ୍ଷରେ କଂଗ୍ରେସ ବିଧାୟକ ତାରା ବାହିନୀପତି କହିଛନ୍ତି ଯେ ଏହା ଅତି ଦୁର୍ଭାଗ୍ୟଜନକ ଓ ନିନ୍ଦନୀୟ ଘଟଣା ।  ଏହି ଘଟଣାରୁ ସ୍ପଷ୍ଟଭାବେ ଜଣାପଡ଼ୁଛି ସେ ମୋକିମ କଂଗ୍ରେସରେ ଅସନ୍ତୁଷ୍ଟ ଅଛନ୍ତି ।  ଦ୍ରୌପଦୀଙ୍କୁ ଭୋଟ ଦେବା ତାଙ୍କ ଅସନ୍ତୁଷ୍ଟତାର ଏକ ପ୍ରମାଣ ।  ତାଙ୍କର ଭୋଟ ଦାନ ଦଳର ଏକତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ଉଠାଇଛି ବୋଲି ତାରା ବାହିନୀପତି କହିଛନ୍ତି ।

ପ୍ରକାଶ ଯେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଲେ  କଂଗ୍ରେସ ବିଧାୟକ ମହମ୍ମଦ ମୋକିମ  । କଂଗ୍ରେସର ନିଷ୍ପତ୍ତି ସତ୍ତ୍ୱେ ସେ ଦ୍ରୌପଦୀଙ୍କୁ ଭୋଟ ଦେଇଛନ୍ତି । ବିରୋଧୀଙ୍କ ପ୍ରାର୍ଥୀ ଯୋଶୱନ୍ତ ସିହ୍ନାଙ୍କୁ ଭୋଟ ଦେବା ପରିବର୍ତ୍ତେ ମହମ୍ମଦ ମୋକିନ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ଭୋଟ ଦେଇଛନ୍ତି । ଭୋଟେ ଦେବା ପରେ ସେ ନିଜ ପ୍ରତିକ୍ରିୟାରେ କହିଛନ୍ତି ଯେ ମାଟିର ଝିଅଙ୍କୁ ମୁଁ ଭୋଟ ଦେଇଛି ।  ଜଣେ ଓଡ଼ିଆ ହିସାବରେ ମୋର ଏ ନିଷ୍ପତ୍ତି । ମୋ ନିଜ ବିବେକକୁ ପଚାରି ମୁଁ ଭୋଟ ଦେଇଛି । ଏହା ମୋର ବ୍ୟକ୍ତିଗତ ନିଷ୍ପତ୍ତି । ତେବେ  ଦଳୀୟ ହାଇକମାଣ୍ଡଙ୍କ ନିଷ୍ପତ୍ତିକୁ ନମାନି ଦ୍ରୌପଦି ମୁର୍ମୁଙ୍କୁ ଭୋଟ ଦେବା ପରିପ୍ରେକ୍ଷୀରେ ସେ କହିଛନ୍ତି ଯେ  ଦ୍ରୌପଦୀଙ୍କ ବିଜୟରେ ମୋ ଭୋଟ ଖଣ୍ଡିକ ମିଶିଲେ ମୁଁ ଗର୍ବିତ ହେବି । ମୁଁ ବିଜେଡି ଓ ବିଜେପିର ରାଜନୀତିରେ ପଶିବାକୁ ଚାହୁଁନି । ମୁଁ ମୋ ବିବେକ ଅନୁସାରେ ଭୋଟ ଦେଇଛି । ରାଷ୍ଟ୍ରପତି ନିର୍ବାଚନରେ ହୁଇପ ନଥାଏ, ତେଣୁ ମୁଁ ମୋ ବିବେକ ଅନୁସାରେ ଜଣେ ଓଡ଼ିଆ ଝିଅଙ୍କୁ ଭୋଟ ଦେଇଛି ।