ଦେଶରେ ବଢୁଛି କରୋନା ସଂକ୍ରମଣ
ଦେଶରେ ବଢୁଛି କରୋନା ସଂକ୍ରମଣ
admin
Feb 22, 2021 - 04:52
Updated: Feb 22, 2021 - 04:52
ନୂଆଦିଲ୍ଲୀ : ଦେଶରେ ୬ଟି ରାଜ୍ୟରେ ପୁଣି ଥରେ କରୋନା ସଂକ୍ରମଣ ମାମଲା ବୃଦ୍ଧି ପାଇବା କାରଣରୁ ସମସ୍ତ ରାଜ୍ୟ ଗୁଡିକୁ ଯାଞ୍ଚ୍ ବଢାଇବା ପାଇଁ ନିର୍ଦ୍ଦେଶ ଦେଲେ କେନ୍ଦ୍ର ସରକାର । ତତ୍କାଳ ଆରଟିପିସିଆର ଯାଞ୍ଚ୍ ବଢାଇବା ପାଇଁ କେନ୍ଦ୍ର ସରକାର ରାଜ୍ୟ ସରକାର ଗୁଡିକୁ ପତ୍ର ଲେଖିଛନ୍ତି । ଏହା ସହ ଆଣ୍ଟିଜେନ ଯାଞ୍ଚ୍ ନେଗେଟିଭ୍ ଆସିବା ପରେ ଆରଟିପିସିଆଇର ଯାଞ୍ଚ୍ ଅନିବାର୍ୟ୍ୟ କରିବାକୁ କହିଛନ୍ତି । କେନ୍ଦ୍ର ସରକାରଙ୍କ ଦ୍ଵାରା ଦିଆଯାଇଥିବା ନିର୍ଦ୍ଦେଶକୁ କଡାକଡି ପାଳନ କରିବାକୁ କୁହାଯାଇଛି । ଏପରିକି ସଂକ୍ରମଣ ରୋକିବା ପାଇଁ କଣ୍ଟେନମେଣ୍ଟ ଜୋନ ଗୁଡିକରେ କୌଣସି ପ୍ରକାର ଅସାବଧାନତାକୁ ବରଦାସ୍ତ କରାଯିବନି ବୋଲି କୁହାଯାଇଛି ।
କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ମହାରାଷ୍ଟ୍ରରେ ୬୨୮୧, କେରଳରେ ୪୬୫୦, ମଧ୍ୟପ୍ରଦେଶରେ ୨୫୭, ପଞ୍ଜାବରେ ୩୫୨, ଜାମ୍ମୁ କାଶ୍ମୀରରେ ୬୮ ଏବଂ ଛତିଶଗଡରେ ୨୬୩ ସକ୍ରିୟ କରୋନା ରୋଗୀ ଅଛନ୍ତି । ମହାରାଷ୍ଟ୍ର ଏବଂ କେରଳରେ ଦେଶର ୭୪ ପ୍ରତିଶତ ରୋଗୀ ଅଛନ୍ତି । ସବୁଠୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି ଯେ, କେରଳର ଅଲପୁଝା ଜିଲ୍ଲାରେ ଏକ ସପ୍ତାହ ମଧ୍ୟରେ ସଂକ୍ରମଣ ଦର ୧୦.୭ ପ୍ରତିଶତରେ ପହଞ୍ଚିଛି । ସେହିପରି ମହାରାଷ୍ଟ୍ରର ଅକୋଲାରେ ସଂକ୍ରମଣ ହାର ୫୫ ପ୍ରତିଶତ ରହିଛି। ଯାହାକି ଦେଶର ସର୍ବୋଚ୍ଚରେ ରହିଛି ।
କରୋନାର ବର୍ଦ୍ଧିତ ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ରାଜ୍ୟ ଗୁଡିକୁ କରୋନା ଟିକାକରଣ ଅଭିଯାନକୁ ତୀବ୍ର କରିବାକୁ କହିଛନ୍ତି । କେନ୍ଦ୍ର ସ୍ଵାସ୍ଥ୍ୟ ସଚିବ ରାଜେଶ ଭୂଷଣ କହିଛନ୍ତି ଯେ, ଟିକାକରଣ ଅଭିଯାନ ବୃଦ୍ଧି କରିବା ପାଇଁ ସପ୍ତାହରେ ଚାରି ଦିନ କିମ୍ବା ଏହାଠାରୁ ଅଧିକ ଦିନ ଯାଏଁ ବୃଦ୍ଧି କରିବାକୁ କୁହାଯାଇଛି ।