ଆଜି ରାଜ୍ୟ ବଜେଟ ଉପସ୍ଥାପନ ହେବ
ଆଜି ରାଜ୍ୟ ବଜେଟ ଉପସ୍ଥାପନ ହେବ
admin
Feb 22, 2021 - 05:04
Updated: Feb 22, 2021 - 05:04
ଭୁବନେଶ୍ବର : କରୋନାର ଡର ଭିତରେ ରାଜ୍ୟ ସରକାର ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିବାକୁ ଯାଉଛନ୍ତି ଆଉ ଏକ ବଜେଟ। ୨୦୨୦-୨୧ ଆର୍ଥିକ ବର୍ଷ ପାଇଁ ସରକାର ମୂଳ ବଜେଟ ଓ ଅତିରିକ୍ତ ବଜେଟକୁ ମିଶାଇ ମୋଟ ୧ଲକ୍ଷ ୬୧ହଜାର କୋଟି ଟଙ୍କାର ବ୍ୟୟବରାଦ କରିଥିଲେ। ଲକ୍ଷ୍ୟ ଥିଲା ପୁଞ୍ଜିନିବେଶ ବଢ଼ାଇବା ସହିତ ଭିତ୍ତିଭୂମି ବିକାଶଠାରୁ ଆରମ୍ଭ କରି ଶିଳ୍ପ, କୃଷି, ସ୍ବାସ୍ଥ୍ୟ ଶିକ୍ଷା ଭଳି କ୍ଷେତ୍ରକୁ ମଜଭୁତ କରିବା ଏବଂ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା; କିନ୍ତୁ କରୋନା ମହାମାରୀ ଏସବୁ ସ୍ବପ୍ନକୁ ଚୁରମାର କରିଦେଲା।
ଇତିମଧ୍ୟରେ କରୋନା ଭୟ ଦୂରୀଭୁତ ହେବା ପରିବର୍ତ୍ତେ ଲେଉଟିବାର ଆଶଙ୍କା ଦେଖାଦେଲାଣି। ଏସବୁ ସତ୍ତ୍ବେ ଧରାଶାୟୀ ରାଜ୍ୟ ଅର୍ଥନୀତିକୁ ସୁଧାରିବା ରାଜ୍ୟ ସରକାରଙ୍କ ପାଇଁ ଏବେ ସବୁଠୁ ବଡ଼ ଆହ୍ବାନ। ଦୀର୍ଘ ଦୁଇ ଦଶନ୍ଧି ପରେ ସରକାର ପୁଣି ଏକ ବଡ଼ ଆକାରର ବଜେଟ ପ୍ରସ୍ତୁତ କରିଥିଲେ ବି ଏହା ଆଶା ପୂରଣ କରିବ କି ନାହିଁ, ସେଥିନେଇ ଆଶଙ୍କା ଲାଗିରହିଛି।
ରାଜ୍ୟ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଉପସ୍ଥାପନ କରିବେ ଆଉ ଏକ ପେପରଲେସ ବଜେଟ (କାଗଜବିହିନ ବଜେଟ୍)। ଏଥର ବଜେଟ ଆକାର ପ୍ରାୟ ୧ଲକ୍ଷ ୭୫ହଜାର କୋଟିକୁ ବଢ଼ିବା ସମ୍ଭାବନା ରହିଛି। କିନ୍ତୁ ସରକାରଙ୍କ ପାଇଁ ଅର୍ଥ ସଂଗ୍ରହ ଏବେ ସବୁଠୁ ବଡ଼ ସଙ୍କଟ ଭାବେ ଉଭା ହୋଇଛି। କାରଣ କରୋନା କାଳରେ ରାଜସ୍ବ ସଂଗ୍ରହ ଗୁରୁତର ହ୍ରାସ ପାଇଛି। କେନ୍ଦ୍ରୀୟ ଅନୁଦାନ ଓ ଜିଏସଟି ବାବଦ କ୍ଷତିଭରଣା କମିଛି। ଗତ ବର୍ଷକ ଭିତରେ ସରକାର କୋଭିଡ଼ ମୁକାବିଲା ପାଇଁ ସ୍ବାସ୍ଥ୍ୟ କ୍ଷେତ୍ରରେ ସବୁଠୁ ଅଧିକ ଅର୍ଥ ଖର୍ଚ୍ଚ କରିଛନ୍ତି। ଏମଏସଏମଇ, ମନରେଗା ସମେତ ରୋଜଗାର ପନ୍ଥା ବଢ଼ାଇବା ପାଇଁ ସରକାର କିଛି ଯୋଜନା କରିଥିଲେ ହେଁ ଏହା ଆଖିଦୃଶିଆ ହୋଇପାରିନି କିମ୍ବା ଲୋକଙ୍କ ଚାହିଦା ପୂରଣ କରିପାରିନି। କରୋନା କାଳରେ ଦୀର୍ଘ ଦୁଇ ମାସ କାଳ ଲକଡାଉନ ଓ ସଟଡାଉନ ଭିତରେ ସମସ୍ତ କ୍ଷେତ୍ର ଓ ସବୁ ଶ୍ରେଣୀର ଲୋକେ ପ୍ରଭାବିତ ହୋଇଛନ୍ତି। ଅର୍ଥନୀତି ସର୍ଭେ ରିପୋର୍ଟ ତଥ୍ୟ ଅନୁସାରେ କୃଷି ଅଭିବୃଦ୍ଧି ୬ରୁ ୭ପ୍ରତିଶତ ପଛାଇଥିବାବେଳେ ଶିଳ୍ପ ପ୍ରାୟ ୩ରୁ ୪ ପ୍ରତିଶତ, ସେବା ପ୍ରାୟ ୭ପ୍ରତିଶତ ହ୍ରାସ ପାଇଛି। ଶ୍ରମିକ, କୃଷକ, ମତ୍ସ୍ୟଜୀବୀ,ଉଠାଦୋକାନୀ, ପରିବହନ କ୍ଷେତ୍ରରେ କାର୍ୟ୍ୟରତ କର୍ମଚାରୀଙ୍କ ସମେତ ଘରୋଇ କ୍ଷେତ୍ରର କର୍ମଚାରୀଙ୍କ ଭିତରୁ ଅଧିକାଂଶ ବେକାର ହୋଇଛନ୍ତି। ରାଜ୍ୟରେ ବେକାରୀ ହାର ଉଦ୍ବେଗଜନକ ଭାବେ ବଢ଼ିଛି। ସରକାରୀ ନଥିପତ୍ରରେ ଏହା ୧୦ ପ୍ରତିଶତରେ ସୀମିତ ଥିଲେ ବି ବାସ୍ତବରେ ଏହା ଦୁଇରୁ ତିନିଗୁଣ ହେବ ବୋଲି ଅର୍ଥନୀତି ବିେଶଷଜ୍ଞ ଆକଳନ କରୁଛନ୍ତି। ତେଣୁ ସମ୍ପୂର୍ଣ୍ଣ ଦୁର୍ଦ୍ଦିନ ଭିତରେ ଥିବା ଅର୍ଥନୀତିକୁ ସଳଖିବା ଏବେ ସରକାରଙ୍କ ପାଇଁ କାଠିକର ପାଠ।