ହାତୀ ମଡକ ଘଟଣାରେ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ
ହାତୀ ମଡକ ଘଟଣାରେ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ନିଲମ୍ବିତ
admin
Feb 22, 2021 - 04:40
Updated: Feb 22, 2021 - 04:40
କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ କର୍ଲାପାଟ ଅଭୟାରଣ୍ୟରେ ହାତୀ ମଡକ ଘଟଣାରେ କର୍ଲାପାଟ ପ୍ରାଣୀଧନ ନିରୀକ୍ଷକ ଗଣେଶ ପୂଜାରୀ ନିଲମ୍ବିତ ହୋଇଛନ୍ତି। କର୍ତ୍ତବ୍ୟରେ ଅବହେଳା ପାଇଁ ଗଣେଶ ପୂଜାରୀ ନିଲମ୍ବିତ ହୋଇଛନ୍ତି। ଏନେଇ ପଶୁ ସମ୍ପଦ ଓ ପ୍ରାଣୀ ଚିକିତ୍ସା ବିଭାଗ ଅତିରିକ୍ତ ନିର୍ଦ୍ଦେଶକ ସୂଚନା ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ, କର୍ଲାପାଟ ଅଭୟାରଣ୍ୟରେ ଗତ ୨୦ ଦିନ ମଧ୍ୟରେ ୭ଟି ହାତୀ ମଡକ ହୋଇଛି। ଏଥିପାଇଁ ରାଜ୍ୟ ସରକାରଙ୍କ ଅନୁରୋଧ କ୍ରମେ କେନ୍ଦ୍ର ମନ୍ତ୍ରଣାଳୟର ନ୍ୟାସନାଲ ଏଲିଫେଣ୍ଟ ସେଣ୍ଟ୍ର ବିଶେଷଜ୍ଞ ଡ. ପ୍ରଜ୍ଞା. ପି ପଣ୍ଡାଙ୍କ ନେତୃତ୍ୱରେ ଏକ ତିନି ଜଣିଆ ବିଶେଷଜ୍ଞ ଟିମ୍ କର୍ଲାପାଟ ଅଭୟାରଣ୍ୟରେ ତଦନ୍ତ କରିଥିଲେ । ଦୁଇଦିନର ତଦନ୍ତ ପରେ ଗତକାଲି କେନ୍ଦ୍ରୀୟ ଟିମ୍ ଫେରି ଯାଇଥିଲେ । ତେବେ ଅଭୟାରଣ୍ୟରେ ଯାଞ୍ଚ ବେଳେ ଶନିବାର ଆଉ ଏକ ମୃତ ହାତୀ ଟିମ୍ ହାତରେ ଲାଗିଥିଲା । ଏହାସହ କର୍ଲାପାଟରେ ହାତୀ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ହୋଇଥିଲା । ଘଟଣାସ୍ଥଳରେ ହିଁ ମୃତ ହାତୀର ନିରୀକ୍ଷଣ କରାଯାଇ ନମୁନା ମଧ୍ୟ ସଂଗ୍ରହ କରାଯାଇଥିଲା । ଫଳରେ ପୂର୍ବରୁ ଦକ୍ଷିଣ ବନଖଣ୍ଡ ବିଭାଗ ପକ୍ଷରୁ ଶାବକ ସମେତ ୬ଟି ମାଈ ହାତୀ ମୃତ୍ୟୁ ସଂପର୍କରେ ଯେଉଁ ସୂଚନା ଦିଆଯାଇ ଆସୁଥିଲା ତାହା ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଦକ୍ଷିଣ ବନଖଣ୍ଡ ଅଧିକାରୀ ଆରମ୍ଭରୁ ଦେଉଥିବା ତଥ୍ୟରେ ତାଳମେଳ ରହୁନାହିଁ ବୋଲି ଆଲୋଚନା ହେଉଛି ।