ଦେଶକୁ ଦି’ ଭାଗ କରିଛି ବିଜେପି ସରକାର: ରାହୁଲ

ଦେଶକୁ ଦି’ ଭାଗ କରିଛି ବିଜେପି ସରକାର: ରାହୁଲ

ଦେଶକୁ ଦି’ ଭାଗ କରିଛି ବିଜେପି ସରକାର: ରାହୁଲ

ନୂଆଦିଲ୍ଲୀ: ଲଗାତାର ୪୬ ମିନିଟ ଧରି ସଂସଦରେ ମୋଦି ସରକାରଙ୍କ ତ୍ରୁଟିପୂର୍ଣ୍ଣ ନୀତି ବିରୋଧରେ ବର୍ଷିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ସମାଲୋଚନା କଲେ, କଟାକ୍ଷ ବି । ସିଧାସଳଖ କହିଲେ, ବିଜେପି ସରକାର ଦେଶକୁ ଦୁଇ ଭାଗରେ ବାଣ୍ଟି ଦେଇଛି । ଗୋଟିଏ ଧନୀଙ୍କ ଭାରତ ଓ ଗୋଟିଏ ଗରିବଙ୍କ ଭାରତ । ଆଜି ଧନୀ ଓ ଗରିବଙ୍କ ଭିତରେ ଥିବା ଦୂରତା ଲମ୍ବିଯାଇଛି । ଗରିବ ଭାରତ ପାଖରେ ଆଜି ରୋଜଗାର ନାହିଁ । ସବୁ ରାଜ୍ୟରେ ଯୁବବର୍ଗ ରୋଜଗାର ମାଗୁଛନ୍ତି । ମାତ୍ର ବିଜେପି ସରକାର ରୋଜଗାର ଦେଇପାରୁନି । ୨୦୨୧ରେ ୩ କୋଟି ଯୁବବର୍ଗ ନିଜ ରୋଜଗାର ହରାଇଛନ୍ତି । ୫୦ ବର୍ଷ ଭିତରେ ଏଭଳି ବେକାରୀ ସମସ୍ୟା କେବେ ଦେଖିବାକୁ ମିଳିନଥିଲା । ଅସଂଗଠିତ କ୍ଷେତ୍ର ସହ କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗକୁ ବିଜେପି ସରକାର ବରବାଦ କରିଦେଇଛି । କେବଳ କିଛି ହାତଗଣତି ଶିଳ୍ପପତିଙ୍କ ହାତରେ ଦେଶର ଅର୍ଥନୀତିକୁ ଧରାଇ ଦିଆଯାଇଛି । ନୋଟବନ୍ଦୀ, ତ୍ରୁଟିପୂର୍ଣ୍ଣ ଜିଏସଟି ଲଦିବା ସହ କରୋନା ସମୟରେ ଯେଉଁଭଳି ସହାୟତା ମିଳିବା କଥା, ତାହା ଦେଶବାସୀ ପାଇଲେ ନାହିଁ । ୟୁପିଏ ସରକାର ୨୭ କୋଟି ଲୋକଙ୍କୁ  ଦାରିଦ୍ର୍ୟ ରେଖା ବାହାରକୁ ଆଣିବାକୁ ସକ୍ଷମ ହୋଇଥିବାବେଳେ ବର୍ତ୍ତମାନର ମୋଦି ସରକାର ୨୩ କୋଟି ଲୋକଙ୍କୁ ପୁଣି ଗରିବ କରିଦେଲେ । ଏ ସରକାର ଅମଳରେ ଦୁଇଟି ଡବଲ୍ ‘ଏ’ ଭାରିଆଣ୍ଟକୁ ଭାରତୀୟ ଅର୍ଥ ବ୍ୟବସ୍ଥା ଭିତରେ ଛାଡ଼ି ଦିଆଯାଇଛି । ନିର୍ଦ୍ଧିଷ୍ଟ ଶିଳ୍ପପତିକୁ ଦେଶର ସବୁ ବନ୍ଦର ଓ ଏୟାରପୋର୍ଟ, ପେଟ୍ରୋକେମିକାଲ୍ସ, ଗ୍ୟାସ, ଶକ୍ତି ସବୁ କ୍ଷେତ୍ର ଧରାଇ ଦିଆଯାଇଛି । ଅନ୍ୟପକ୍ଷରେ ରୋଜଗାର ସୃଷ୍ଟି କରୁଥିବା କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗକୁ ଆକ୍ରମଣ କରି ବରବାଦ କରିଦେଇଛନ୍ତି । ତେଣୁ ମେଡ୍ ଇନ୍ ଇଣ୍ଡିଆ, ଷ୍ଟାର୍ଟ ଅପ୍ ଇଣ୍ଡିଆ ନାରା ଦେଲେ କେମିତି ହେବ? ଆଜି ୧୦୦ ସବୁଠୁ ଧନୀ ଲୋକଙ୍କ ପାଖରେ ଦେଶର ୫୫ କୋଟି ଲୋକଙ୍କଠାରୁ ଅଧିକ ଧନ ଅଛି । ୧୦ଜଣଙ୍କ ପାଖରେ ଦେଶର ୪୦% ଲୋକଙ୍କଠାରୁ ଅଧିକ ଧନ ରହିଛି । ଏହାକୁ ନରେନ୍ଦ୍ର ମୋଦି ହିଁ କରିଛନ୍ତି ।  ପ୍ରଧାନମନ୍ତ୍ରୀଙ୍କୁ ପରାମର୍ଶ ଦେଉଛି, ସେମାନେ ଶୀଘ୍ର ଧନୀ-ଗରିବ ଭିତରେ ଥିବା ଦୂରତା କମାଇବା ଦିଗରେ କାମ କରନ୍ତୁ । ନହେଲେ ଦେଶର କ୍ଷତି ହେବ ।

  ରାହୁଲ ଆହୁରି କହିଛନ୍ତି, ିଭିନ୍ନ ରାଜ୍ୟକୁ ନେଇ ଦେଶ । ସବୁ ରାଜ୍ୟର ସ୍ୱତନ୍ତ୍ର ସଂସ୍କୃତି, ଐତିହ୍ୟ ଓ ପରମ୍ପରା ରହିଛି । ଏହାକୁ ଅଣଦେଖା କରି କେନ୍ଦ୍ର ସରକାର ନିଜ ମର୍ଜି ସଭିଙ୍କ ଉପରେ ଲଦି ଦେବା ଠିକ୍ ନୁହେଁ । ସବୁ ରାଜ୍ୟର ମତ ଓ ଅଧିକାରକୁ ଗୁରୁତ୍ୱ ମିଳିବା ଆବଶ୍ୟକ । ନିଜକୁ ରାଜା ମନେ କରନାହିଁ । ଦେଶ ଗୋଟିଏ ଫୁଲଗୁଚ୍ଛ ଭଳି, ଏଥିରେ ବିଭିନ୍ନ ରଙ୍ଗର ଫୁଲ ରହିଛି । କାହାକୁ ଅଣଦେଖା କରି ହେବନି । ଚାଷୀମାନେ ବର୍ଷେ ଧରି ଆନେ୍ଦାଳନ ଚଳାଇଲେ । ହେଲେ ପ୍ରଧାନମନ୍ତ୍ରୀ ଏହାକୁ ଗୁରୁତ୍ୱ ଦେଲେନି, କିଛି ଶୁଣିଲେନି । 

  ରାହୁଲ କହିଛନ୍ତି, ଏ ସରକାରଙ୍କ ବୈଦେଶିକ ନୀତି ପୂରା ତ୍ରୁଟିପୂର୍ଣ୍ଣ । ଭାରତ ଆଜି ଚାରିପଟୁ ଏକା ହୋଇଯାଇଛି । ବିଜେପି ସରକାରର ତ୍ରୁଟିପୂର୍ଣ୍ଣ ବୈଦେଶିକ ନୀତି ଯୋଗୁ ଆଜି ଚୀନ ଓ ପାକିସ୍ତାନ ଏକାଠି ହୋଇଯାଇଛନ୍ତି । ଏହା ଭାରତ ପାଇଁ ବଡ଼ ବିପଦ । ଏହାକୁ ଅଣଦେଖା କରିହେବନି । ନିଶ୍ଚିତ ଭାବେ ଚୀନ ଭାରତ ବିରୋଧରେ କିଛି ଷଡ଼ଯନ୍ତ୍ର ଚଳାଇଛି । ଚୀନ ଏ ଦିଗରେ କାମ ଆରମ୍ଭ କରିଦେଲାଣି, ଯାହାର ନଜିର ଦେଖିବାକୁ ମିଳିଲାଣି । ଏହାକୁ ନଜର ରଖନ୍ତୁ । ଯାହା ବି ହେବ ସରକାର ଦାୟୀ ରହିବେ । ଏ ସରକାର ଏମିତି କାମ କରିଛି, ଦେଶ ଭିତରେ ସ୍ଥିତି ବିଗୁଡ଼ୁଥିବାବେଳେ ବାହ୍ୟ ବିପଦ ବି ବଢ଼ିଲାଣି । ଦେଶକୁ ବିପଦ ଭିତରକୁ ଏ ସରକାର ଠେଲି ନେଉଛି । ଏହାକୁ  ବନ୍ଦ କରିବା ଦରକାର ।