ଦୁଇ ଭାଇ ଅଲଗା ହୋଇଗଲେ!
ଦୁଇ ଭାଇ ଅଲଗା ହୋଇଗଲେ!
admin
Mar 29, 2019 - 11:33
Updated: Mar 29, 2019 - 11:33
ଭୁବନେଶ୍ୱର: ବିଜୟ-ଦିଲ୍ଲୀପ ଯୋଡି ଭାଙ୍ଗିଗଲା କି? ଦିଲ୍ଲୀପଙ୍କ ଆଗୋଚରରେ ବିଜୟ କଣ ବିଜେପିକୁ ଫେରିବାର ନିଷ୍ପତି ନେଇଗଲେ? ଦିଲ୍ଲୀପ କଣ ବିଜୟଙ୍କ ଅଜଣାତରେ ନବୀନ ନିବାସ ଯାଇ ନବୀନଙ୍କ ସହ ଆଲୋଚନା କରିଥିଲେ? ଓଡିଶା ରାଜନୀତିରେ ଏହି ଚର୍ଚ୍ଚିିତ ଯୋଡିକୁ ଭାଙ୍ଗିଲା କିଏ?
ବିଜୟଙ୍କ ବିଜେପି ଫେରିବା ଓ ଦିଲ୍ଲୀପଙ୍କ ନୀରବତା ନେଇ ଏବେ ଓଡିଶା ରାଜନୈତିକ ମହଲ ଏମିତି ପ୍ରଶ୍ନ ଉଙ୍କି ମାରୁଛି । ବିଜୟ ଓ ଦିଲ୍ଲୀପ ଥିଲେ ଗୋଟିଏ ମୁଦ୍ରାର ଦୁଇଟି ପାଶ୍ୱର୍ ପରି । ଅନେକ ରାଜନୈତିକ ନିଷ୍ପତି ଉଭୟ ମିଳିତି ଭାବେ ନିଅନ୍ତି । କେତେକ ପ୍ରସଙ୍ଗରେ ଉଭୟଙ୍କ କଥା ଓ ଆଭିମୁଖ୍ୟ ସମାନ ଥାଏ । ଏମିତି କଣ ଘଟିଲା ଯେ ଉଭୟେ ଅଲଗା ଅଲଗା ରାସ୍ତା ବାଛିବାକୁ ବାଧ୍ୟ ହେଲେ ନା ଦିଲ୍ଲୀପ ପୁଣି ବିଜୟଙ୍କ ରାସ୍ତରରେ ଯିବେ?
୨୦୦୯ ମାର୍ଚ୍ଚରେ ଉଭୟ ଏକା ସାଙ୍ଗରେ ବିଜେପିରେ ଯୋଗ ଦେଇଥିଲେ । ୨୦୧୮ ନଭେମ୍ବର ୩୦ ତାରିଖରେ ମଧ୍ୟ ଉଭୟ ଏକା ସାଙ୍ଗରେ ବିଜେପିରୁ ଇସ୍ତଫା ଦେଇଥିଲେ । ବିଭିନ୍ନ ପ୍ରସଙ୍ଗରେ ଦିଲ୍ଲୀପ ଓ ବିଜୟ ବିଜେପି ବିରୋଧରେ ବିଷୋଦଗାର କରିଥିଲେ । ବିଜେପିରୁ ଇସ୍ତଫା ଦେଲା ପରେ ଉଭୟ ବିଜେଡିକୁ ଯିବେ ବୋଲି ଚର୍ଚ୍ଚା ଜୋର ଧରିଥିଲା । ଗତ ୨୩ ତାରିଖରେ ଦିଲ୍ଲୀପ ନବୀନ ନିବାସ ମଧ୍ୟ ଯାଇଥିଲେ । ତାହା ସେ ବିଜେଡିରେ ଯୋଗ ଦେବେ ବୋଲି ଆଲୋଚନା ଚାଲିଥିଲା । କିନ୍ତୁ ତାହା ପରେ ଦିଲ୍ଲୀପ ନା ତାଙ୍କ ସମର୍ଥକ କେହି ଏ ପ୍ରସଙ୍ଗରେ ମୁହଁ ଖୋଲି ନାହାନ୍ତି । ଏପରିକି ଦିଲ୍ଲୀପ ନବୀନ ନିବାସ ଯିବା ବିଷୟରେ ବିଜୟଙ୍କ ପାଖରେ ବି ଖବର ନଥିଲା ।
ନିର୍ବାଚନ ଦିନ ପାଖେଇ ଆସୁଛି । ବିଜୟ ନିଜ ନିର୍ବାଚନମଣ୍ଡଳୀରେ ଦ୍ୱିତୀୟ ପର୍ଯ୍ୟାୟରେ ନିର୍ବାଚନ ହେବେ । ସେଠାରେ ପ୍ରଚାର ଜୋରଦାର ଚାଲିଛି । କିନ୍ତୁ ଦିଲ୍ଲୀପ ଏପର୍ଯ୍ୟନ୍ତ ରହସ୍ୟଜନକ ଭାବେ ନିରବ ରହିଛନ୍ତି । ବିଜୟଙ୍କ ବିଜେପି ଯୋଗଦାନ ପରେ ଦିଲ୍ଲୀପ କି ପଦକ୍ଷେପ ନେଉଛନ୍ତି ରାଜନୈତିକ ମହଲରେ ଆଲୋଚନା ଜାରି ରହିଛି । ତେବେ ସମୟ କମ୍ ଥିବାରୁ ଚଳିତ ନିର୍ବାଚନରେ ଦିଲ୍ଲୀପ ଅଧିକ ସକ୍ରିୟ ହେବାର ସମ୍ଭାବନା କମ୍ ବୋଲି ଆକଳନ କରାଯାଉଛି ।