ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ

ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ

ଦକ୍ଷିଣ ଆଫ୍ରିକାକୁ ହରାଇଲା ବାଂଲାଦେଶ
ଲଣ୍ଡନ: ବିପର୍ଯ୍ୟୟ ସୃଷ୍ଟିକାରୀ ବାଂଲାଦେଶ ଆଉ ଏକ ବଡ଼ ମାଛ ଶିକାର କରିଛି। ୧୨ ବର୍ଷ ତଳେ ଭାରତକୁ ପ୍ରଥମ ପର୍ଯ୍ୟାୟ (୨୦୦୭ ବିଶ୍ବକପ୍, ୱେଷ୍ଟଇଣ୍ଡିଜ୍)ରୁ ବିଦା କରିଦେଇଥିବା ଏହି ଦଳ ରବିବାର ଶକ୍ତିଶାଳୀ ଦକ୍ଷିଣ ଆଫ୍ରିକାକୁ ହରାଇ ଚଳିତ ବିଶ୍ବକପ୍‌ର ପ୍ରଥମ ବଡ଼ ବିପର୍ଯ୍ୟୟ ସୃଷ୍ଟି କରିଛି। ପାକିସ୍ତାନ, ଶ୍ରୀଲଙ୍କା ଓ ଆଫଗାନିସ୍ତାନ ନିଜ ନିଜ ପ୍ରଥମ ମୁକାବିଲା ହାରିବା ପରେ ବାଂଲାଦେଶ ହିଁ ଏସିଆର ବିଜୟ ମରୁଡ଼ି ଦୂର କରିଛି। ବଡ଼ ମ୍ୟାଚ୍‌ରେ ବିଫଳତା ପାଇଁ ‘ଚୋକର’ କଳଙ୍କ ବହନ କରି ଆସୁଥିବା ଦକ୍ଷିଣ ଆଫ୍ରିକା ଲଗାତାର ଦ୍ବିତୀୟ ପରାଜୟ ବରଣ କରିଛି। ନିଜ ପ୍ରଥମ ମୁକାବିଲାରେ ଏହି ଦଳ ଆୟୋଜକ ଇଂଲଣ୍ଡଠାରୁ ୧୦୪ ରନ୍‌ର ଶୋଚନୀୟ ପରାଜୟ ବରଣ କରିଥିଲା। ଦକ୍ଷିଣ ଆଫ୍ରିକା ରବିବାର ରାତିରେ ୨୧ ଅତିରିକ୍ତ ରନ୍ ବ୍ୟୟ କରିଥିଲା ବେଳେ ସେହି ୨୧ ରନ୍‌ରେ ହିଁ ହାରିଥିଲା। ବାଂଲାଦେଶ ନିର୍ଧାରିତ ୫୦ ଓଭରରେ ୩୩୦/୬ କରିବା ପରେ ଦକ୍ଷିଣ ଆଫ୍ରିକା ୩୦୯/୮ରେ ଅଟକି ଯାଇଥିଲା। ବାଂଲାଦେଶ ପକ୍ଷରୁ ସାକିବ୍ ୮୪ ବଲରେ ୮ ଚୌକା ଓ ୧ ଛକା ସହ ୭୫ ଓ ରହିମ୍ ୮୦ ବଲରେ ୮ ଚୌକା ସହ ସର୍ବାଧିକ ୭୮ ରନ୍ କରିଥିଲେ। ଜବାବରେ ଦକ୍ଷିଣ ଆଫ୍ରିକା ୫୦ ଓଭରରେ ୮ ୱିକେଟ୍ ହରାଇ ୩୦୯ ରନ୍ କରିବାକୁ ସକ୍ଷମ ହୋଇଛି। ବିଶ୍ୱକପରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶର ଏହା ଦ୍ୱିତୀୟ ବିଜୟ। ଏହା ପୂର୍ବରୁ ୨୦୦୭ ବିଶ୍ୱକପରେ ବାଂଲାଦେଶ ୬୭ ରନରେ ବିଜୟୀ ହୋଇଥିଲା। ସେହିପରି ଓଭରଅଲ୍ ଦେଖିବାକୁ ଗଲେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ବାଂଲାଦେଶର ଏହା ଚତୁର୍ଥ ବିଜୟ।