ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ

ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ

ଥାନାରେ ହାଜର ହେଲେ କେନ୍ଦ୍ରମନ୍ତ୍ରୀ

ବାରିପଦା: ଥାନାରେ ହାଜର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ ବିଶେଶ୍ବର ଟୁଡୁ। ଦୁଇ ଜଣ ସରକାରୀ ଅଧିକାରୀଙ୍କୁ ମାଡ଼ ମାରିବା ଘଟଣାକୁ ନେଇ ବାରିପଦା ଟାଉନ ଥାନାରେ ହାଜିର ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ। ମାନ୍ୟବର ହାଇକୋର୍ଟଙ୍କ ପକ୍ଷରୁ କେନ୍ଦ୍ରମନ୍ତ୍ରୀଙ୍କୁ ଜାମିନ ପ୍ରଦାନ କରିବା ସହ ମାର୍ଚ୍ଚ ୪ ତାରିଖରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ ଏହି ଘଟଣାରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ  ବାରିପଦା ଟାଉନ ଥାନା ଯାଇ ତଦନ୍ତକାରୀ ଅଫିସରଙ୍କୁ ଭେଟିଛନ୍ତି। ବିଶେଶ୍ୱର ଟୁଡୁ ଥାନାରେ ୫ରୁ ୭ମିନିଟ ରହି ତଦନ୍ତକାରୀ ଅଫିସରଙ୍କ ପାଖରେ ଆଲୋଚନା କରି ପଳେଇ ଆସିଥିଲେ।

ସୂଚନା ଅନୁଯାୟୀ, ଗତ ଜାନୁଆରୀ ୨୧ତାରିଖରେ ନିଜ ସାଂସଦ ପାଣ୍ଠିର ଜିଲ୍ଲାରେ କାର୍ୟ୍ୟଧାରାକୁ ନେଇ ସମୀକ୍ଷା କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଜିଲ୍ଲା ଯୋଜନା ଓ ପର୍ୟ୍ୟବେକ୍ଷଣ ବିଭାଗର ଉପ ନିର୍ଦ୍ଦେଶକ ଅଶ୍ଵନୀ କୁମାର ମଲ୍ଲିକ ଓ ସହକାରୀ ନିର୍ଦ୍ଦେଶକ ଦେବାଶିଷ ମହାପାତ୍ରଙ୍କୁ ନିଜ କାର୍ୟ୍ୟାଳୟକୁ ଡକାଇଥିଲେ। ସେଠାରେ କିନ୍ତୁ କେନ୍ଦ୍ରମନ୍ତ୍ରୀ ଦୁଇ ଅଧିକାରୀଙ୍କୁ ମାଡ଼ ମାରିଥିବା ନେଇ ବାରିପଦା ଟାଉନ ଥାନାରେ ଅଭିଯୋଗ ହୋଇଥିଲା। ଏନେଇ ବାରିପଦା ଟାଉନ ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଥିଲା। ଟାଉନ ଥାନା ପୋଲିସ ପକ୍ଷରୁ ତଦନ୍ତ ପ୍ରକ୍ରିୟା ଜାରି ରହିଛି।

ଇତି ମଧ୍ୟରେ ବାରିପଦା ସ୍ଥିତ ଜେଏମଏଫସି କୋର୍ଟରେ ଧାରା ୧୬୪ ଅନୁଯାୟୀ ଦୁଇ ଜଣ ସରକାରୀ ଅଧିକାରୀଙ୍କ ଅଭିଯୋଗକ୍ରମେ ବୟାନ ରେକର୍ଡ କରାଯାଇସାରିଛି। ତେବେ ହାଇକୋର୍ଟଙ୍କ ସର୍ତ୍ତ ଅନୁଯାୟୀ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ବାରିପଦା ଟାଉନ ଥାନାରେ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ଉପସ୍ଥିତ ହୋଇଥିଲେ।