ତ୍ରିକୋଣୀୟ ପ୍ରେମ କାହାଣୀରୁ ଜୀବନ ଗଲା
ତ୍ରିକୋଣୀୟ ପ୍ରେମ କାହାଣୀରୁ ଜୀବନ ଗଲା
ବଲାଙ୍ଗୀର: ତ୍ରିକୋଣୀୟ ପ୍ରେମ କାହାଣୀରେ ଯୁବକଙ୍କ ଜୀବନ ଯାଇଛି। ଏକପାଖିଆ ପ୍ରେମିକ ଓ ମଧ୍ୟସ୍ଥି ମିଳିମିଶି ପ୍ରକୃତ ପ୍ରେମିକଙ୍କୁ ଅତି ବୀଭତ୍ସ ଭାବେ ହତ୍ୟା କରିଛନ୍ତି। ଏପରି ଘଟଣା ଘଟଇଛି ବଲାଙ୍ଗର ଟାଉନ୍ରେ।ପୁଲିସ ଏହି ମାମଲାର ପର୍ଦ୍ଦାଫାସ କରିବା ସହିତ ଦୁଇ ଅଭିଯୁକ୍ତକୁ ଗିରଫ କରିଛି।
ପୁଲିସ ସୂଚନା ଅନୁଯାୟୀ ବଲାଙ୍ଗୀର ସହର ସୁଦପଡା ଗାଁର ବିଶ୍ୱଦେବ ସାହୁ ଓ ଅମିତ ମନହୀରା ଜଣେ ଯୁବତୀଙ୍କୁ ପ୍ରେମ କରୁଥିଲେ। ଏକଥା ଜାଣିବା ପରେ ଦୁହିଁଙ୍କ ଭିତରେ କଥା କଟାକଟି ହୋଇଥିଲା। ଦୁଇଜଣଙ୍କ ଭିତରେ ସୃଷ୍ଟି ହୋଇଥିବା ଗଣ୍ଡଗୋଳର ସମାଧାନ କରିବା ପାଇଁ ମଧ୍ୟସ୍ଥି ସାଜିଥିଲା ଶୁଭମ୍ ସିଂ।
ଶୁଭମ୍ ମଙ୍ଗଳବାର ବିଶ୍ୱଦେବଙ୍କୁ ତାଙ୍କ ଘରୁ ଡାକି ନେଇଥିଲା। ଏହା ପରେ ସେ ଅମିତଙ୍କୁ ଡାକିଥିଲା। ପରେ ତିନି ଜଣ ମିଶି ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପଛ ପାର୍ଶ୍ୱକୁ ଯାଇଥିଲେ। ସେଠାରେ ତିନି ଜଣ ମିଶି ଗଞ୍ଜେଇ ଟାଣିଥିଲେ। ନିଶାସକ୍ତ ଅବସ୍ଥାରେ ଥିବା ବିଶ୍ୱଦେବଙ୍କ ମୁଣ୍ଡକୁ ଲୁହା ରଡ୍ରେ ପିଟି ଦେଇଥିଲେ। ଏହା ପରେ ତାଙ୍କ ବେକ କାଟି ଦେଇଥିଲେ। ପରେ ପେଟ୍ରୋଲ୍ ଢ଼ାଳି ବିଶ୍ୱଦେବଙ୍କ ମୃତଦେହକୁ ପୋଡି ଦେଇଥିଲେ।
ସକାଳେ ବିଶ୍ୱବିଦ୍ୟାଳୟ ପଛ ପାର୍ଶ୍ୱରେ ଦର ପୋଡ଼ି ମୃତଦେହ ଦେଖି ସ୍ଥାନୀୟ ଲୋକେ ପୁଲିସ୍କୁ ଖବର ଦେଇଥିଲେ। ପୁଲିସ ମୃତଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ପ୍ରାଥମିକ ତଦନ୍ତରୁ ମୃତ ଯୁବକ ବିଶ୍ୱଦେବ ବୋଲି ପୁଲିସ୍ ଜାଣିବାକୁ ପାଇଥିଲା। ଏହା ପରେ ତାଙ୍କ ପରିବାର ଲୋକଙ୍କୁ ଭେଟିଥିଲା ପୁଲିସ୍। ବିଶ୍ୱଦେବଙ୍କୁ ଶୁଭମ୍ ଡାକି ନେଇଥିବା ପରିବାର ଲୋକେ କହିଥିଲେ। ଏହା ପରେ ପୁଲିସ୍ ଶୁଭମ୍କୁ ଅଟକ ରଖି ଜେରା କରିଥିଲା। ଜେରା ପରେ ପୂରା ଘଟଣା ଉପରୁ ପର୍ଦ୍ଦା ହଟିଥିଲା।
ଶୁଭମ୍ ଓ ଅମିତ ହତ୍ୟା କରିଥିବା ସ୍ୱୀକାର କରିଛନ୍ତି। ଏହା ପରେ ପୁଲିସ ଶୁଭମ୍ଙ୍କ ଘରେ ଚଢ଼ଉ କରି ରକ୍ତ ଭିଜା ଛୁରୀ ଓ ଲୁହା ରଡ୍ ଜବତ କରିଛି। ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି।




admin 