ତେନ୍ଦୁଲକରଙ୍କ ସ୍ତରର ଖେଳାଳି ନୁହନ୍ତି କୋହଲି: ରଜାକ୍
ତେନ୍ଦୁଲକରଙ୍କ ସ୍ତରର ଖେଳାଳି ନୁହନ୍ତି କୋହଲି: ରଜାକ୍
admin
Dec 6, 2019 - 07:49
Updated: Dec 6, 2019 - 07:49
ନୂଆଦିଲ୍ଲୀ: ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଅବଦୁଲ ରଜାକ୍ ଭାରତର ଦ୍ରୁତ ବୋଲର୍ ଯଶପ୍ରୀତ୍ ବୁମରାଙ୍କୁ ବେବି ବୋଲର କହି ପ୍ରଶଂସକଙ୍କଠାରୁ ସମାଲୋଚିତ ହେବା ପରେ ଏବେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ଆଉ ଏକ ମନ୍ତବ୍ୟ ଦେଇଛନ୍ତି । କୋହଲି ଭାରତୀୟ ବ୍ୟାଟିଂ କିମ୍ବଦନ୍ତୀ ସଚିନ ତେନ୍ଦୁଲକରଙ୍କ ସହ ତୁଳନୀୟ ନୁହନ୍ତି । ତାଙ୍କ ମତରେ ଉଭୟ କୋହଲି ଓ ତେନ୍ଦୁଲକର ଅଲଗା ସ୍ତରର ଖେଳାଳି । କୋହଲି ଜଣେ ଭଲ ଖେଳାଳି, ସେ କ୍ରମାଗତ ରନ୍ ସଂଗ୍ରହ କରନ୍ତି ଓ ସ୍ଥିର ପ୍ରଦର୍ଶନ କରନ୍ତି । କିନ୍ତୁ ସେ ସଚିନଙ୍କ ମାନ ବା ସ୍ତରର ଖେଳାଳି ନୁହନ୍ତି ବୋଲି ରଜାକ୍ ମନ୍ତବ୍ୟ ଦେଇଛନ୍ତି । ସଚିନ୍ ଜଣେ ଭିନ୍ନ ସ୍ତରର ଖେଳାଳି, ତାଙ୍କ ସହ କେହି ତୁଳନୀୟ ନୁହନ୍ତି ବୋଲି ସେ କହିଛନ୍ତି । ୧୯୯୨ରୁ ୨୦୦୭ ମଧ୍ୟରେ ଆମେ ଭାରତ ବିପକ୍ଷରେ ଖେଳୁଥିଲା ବେଳେ ସଚିନ୍ଙ୍କୁ ଯେଭଳି ଦେଖିଥିଲୁ କୋହଲି ସେଭଳି ସ୍ତରର ନୁହେଁ ବୋଲି ରଜାକ୍ କହିଛନ୍ତି । ତେବେ ଟ୍ୱେଣ୍ଟି-୨୦ କ୍ରିକେଟରେ ପରିବର୍ତ୍ତନ ଆଣିଛି । ଯେଉଁଥିରେ କି ବୋଲିଂ, ବ୍ୟାଟିଂ ଓ କ୍ଷେତ୍ରରକ୍ଷଣରେ ଗଭୀରତା ନାହିଁ ବୋଲି ସେ କହିଛନ୍ତି ।
ଅନ୍ୟପକ୍ଷରେ ରଜାକ୍ ପାକିସ୍ତାନର ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ୍ ଶୃଙ୍ଖଳା ପରାଜୟକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ସେ ପାକିସ୍ତାନ ଚୟନକର୍ତ୍ତାଙ୍କ ଚୟନ ପ୍ରକ୍ରିୟାକୁ ନେଇ ସମାଲୋଚନା କରିଛନ୍ତି । ପାକିସ୍ତାନର ଯୁବ ବୋଲରମାନେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେବାରୁ ପାକିସ୍ତାନ ପାଳି ପରାଜୟ ବରଣ କରିଥିଲା । ଯୁବ ବୋଲରଙ୍କୁ ପ୍ରତିଭାପୂର୍ଣ୍ଣ କହିବା ସହ ସେମାନେ ଏତେ ଶୀଘ୍ର ଟେଷ୍ଟରେ ଜାଗା ପାଇବା ପରିବର୍ତ୍ତେ ଆଉ ଅଧିକ ଶିଖିବାକୁ ପଡ଼ିବ ବୋଲି ରଜାକ୍ କହିଛନ୍ତି ।