ତାଲାବନ୍ଦ ବେଳେ ଧରାପଡିଲେ ପ୍ରେମୀ ଯୁଗଳ, ପୋଲ ତଳେ ଚାଲିଥିଲା ପ୍ରେମାଳାପ
ତାଲାବନ୍ଦ ବେଳେ ଧରାପଡିଲେ ପ୍ରେମୀ ଯୁଗଳ, ପୋଲ ତଳେ ଚାଲିଥିଲା ପ୍ରେମାଳାପ
admin
Apr 11, 2020 - 07:48
Updated: Apr 11, 2020 - 07:48
ଭୁବନେଶ୍ୱର: ଜାରି ରହିଛି ତାଲାବନ୍ଦ କଟକଣା । ଘରୁ କେହି ବାହାରି ପାରୁନାହାନ୍ତି । ଏଭଳି ଏକ ପରିସ୍ଥିତିରେ ପୋଲ ତଳେ ବସି ପ୍ରେମାଳାପ କରୁଥିବା ବେଳେ ଦୁଇ ଯୋଡ଼ା ପ୍ରେମୀଯୁଗଳଙ୍କୁ ଧରିଛି ସହିଦନଗର ଥାନା ପୁଲିସ । ମାସ୍କ ନାହିଁ କିମ୍ବା ସାମାଜିକ ଦୂରତ୍ୱ ନାହିଁ । ପାଖାପାଖି ବସି ନିଜ ନିଜ ଭିତରେ ହଜି ଯାଇଥିବା ବେଳେ ଦୁଇ ଜଣ ଯୁବତୀ ଓ ଦୁଇ ଜଣ ଯୁବକ ପିସିଆର ଭ୍ୟାନ ହାବୁଡ଼ରେ ପଡ଼ି ଯାଇଛନ୍ତି । ଉଭୟ ଯୁବତୀ ସାବାଳିକା ହୋଇଥିବାରୁ ପିଆର ବଣ୍ଡ ବଳରେ ସେମାନଙ୍କୁ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି । ଯୁବକଦ୍ୱୟ କେଦାରପଲ୍ଲୀ ବସ୍ତି ଅଞ୍ଚଳର ବୋଲି ଜଣାପଡ଼ିଥିବା ବେଳେ ଯୁବତୀଦ୍ୱୟ ବାଲିଅନ୍ତା ଥାନା ଅଞ୍ଚଳର ବୋଲି ପୁଲିସ କହିଛି ।
ସୂଚନା ମୁତାବକ, ରାତି ପ୍ରାୟ ସାଢ଼େ ୭ଟା ବେଳେ ଟଙ୍କ ପାଣି ରୋଡରେ ଥିବା ଏକ ପୋଲ କଡରେ ୪ ଜଣ ଯୁବକ ଯୁବତି ଦୀର୍ଘ ସମୟ ଧରି ବସିଥିବା ନେଇ ପୁଲିସ ପାଖକୁ ଖବର ଯାଇଥିଲା । ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଧରିଥିଲା ।
ତେବେ ତାଲାବନ୍ଦ ଚାଲିଥିବା ବେଳେ ବାଲିଅନ୍ତାରୁ ଟଙ୍କପାଣି ପୋଲ ପର୍ଯ୍ୟନ୍ତ ଆସିବା ବେଳେ ସେମାନେ କିପରି କାହାରି ନଜରରେ ଆସିଲେ ନାହିଁ, ସେ ନେଇ ପ୍ରଶ୍ନ ଉଠିଛି । ତେବେ ଧରାପଡ଼ିବା ପରେ ପୁଲିସ ଯୁବତୀଦ୍ୱୟଙ୍କୁ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଥିବା ବେଳେ ଯୁବକଦ୍ୱୟ ଅଟକ ଅଛନ୍ତି ବୋଲି ସହିଦନଗର ଥାନା ଅଧିକାରୀ ସୂଚନା ଦେଇଛନ୍ତି ।