ଟ୍ରେନରେ ଶ୍ୱାସରୁଦ୍ଧ ହୋଇ ଆରପାରିକୁ ଚାଲିଗଲା ନବଜାତ ଶିଶୁ ।

ଟ୍ରେନରେ ଶ୍ୱାସରୁଦ୍ଧ ହୋଇ ଆରପାରିକୁ ଚାଲିଗଲା ନବଜାତ ଶିଶୁ ।

ଟ୍ରେନରେ ଶ୍ୱାସରୁଦ୍ଧ ହୋଇ ଆରପାରିକୁ ଚାଲିଗଲା ନବଜାତ ଶିଶୁ ।
ନୂଆପଡ଼ା: ଲକଡାଉନରେ ଭୋକ ଉପାସରେ ଫସି ରହିଥିଲେ ୩ ମାସ କାଳ । ହାତରେ କାଣି କଉଡ଼ିଟିଏ ନଥିଲା । ଘରକୁ ଫେରିବା ବି ଜରୁରୀ ଥିଲା । ଟ୍ରେନ ମିସ୍ କଲେ ଫେରିବା ବାଟ ବନ୍ଦ ହୋଇ ଯାଇଥାନ୍ତା । ଏଣୁ ଦିନକ ପୂର୍ବରୁ ଜନ୍ମିତ ଶିଶୁପୁତ୍ରକୁ କୋଳରେ ଧରି ଟ୍ରେନରେ ଯାତ୍ରା କରିବାକୁ ବାଧ୍ୟ ହେଲେ ପ୍ରସୂତି । ହେଲେ ଭିଟାମାଟିର ମୁହଁ ଦେଖିବା ବୋଧହୁଏ ଶିଶୁପୁତ୍ରର ଭାଗ୍ୟରେ ନଥିଲା । ଟ୍ରେନ ଯାତ୍ରା ବେଳେ ଭିଡ଼ ଭିତରେ ଶ୍ୱାସରୁଦ୍ଧ ହୋଇ ଆରପାରିକୁ ଚାଲିଗଲା ନବଜାତକ । ହେଲେ ଭୟରେ କାହାକୁ କିଛି ନ କହି କୋଳରେ ନବଜାତକର ନିଶ୍ଚଳ ଶରୀର ଓ ଛାତିରେ କୋହ ଭରି ଚୁପଚାପ ଟ୍ରେନରେ ଫେରିଲେ ବାପା ମା’ । ଏଭଳି ଏକ ସ୍ପର୍ଶକାତର ଘଟଣା ନୂଆପଡ଼ା ଜିଲ୍ଲାରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସୂଚନା ମତେ, ଛତିଶଗଡ଼ ରାଜ୍ୟ ମହାସମୁଦ୍ର ଜିଲ୍ଲା ବସନା ଥାନା ଗଡ଼ଫୁଲଝର ଗାଁ ତୁଲାରାମ ପାଣ୍ଡେ ଓ ସ୍ତ୍ରୀ ତରୁବାଇ ପାଣ୍ଡେ ଉତ୍ତରପ୍ରଦେଶ ଗୋରଖପୁର ଅଞ୍ଚଳରେ ଇଟା ତିଆରି କାମରେ ନିୟୋଜିତ ଥିଲେ । ଲକଡାଉନରେ କାମ ଧନ୍ଦା ବନ୍ଦ ହେବା ପରେ ଯାହା କିଛି ରୋଜଗାର କରିଥିଲେ ସବୁ ସରିଗଲା । ୩ ମାସ ଧରି ଭୋକ ଉପବାସରେ ଇଟା ଭାଟିରେ ପଡ଼ି ରହିଥିଲେ । ପ୍ରବାସୀ ଶ୍ରମିକଙ୍କ ଉଦ୍ଧାର ପ୍ରକ୍ରିୟା ସରକାରୀ ସ୍ତରରେ ଆରମ୍ଭ ହେବା ପରେ ଦମ୍ପତି ଘରକୁ ଫେରିବା ପାଇଁ ନାମ ପଞ୍ଜିକରଣ କରିଥିଲେ । ତରୁରବାଇ ୧୦ ମାସର ଗର୍ଭବତୀ ଥିଲେ । ବ୍ୟାଗରେ ରଖିଥିଲେ:- ମୃତ ଶିଶୁକୁ କୋଳରେ ଧରି ଫେରିବା ଘଟଣାରେ ପୁଲିସ ଓ ପ୍ରଶାସନ ଛାନଭିନ ଆରମ୍ଭ କରିବା ପରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିବାରେ ଲାଗିଛି । ଶିଶୁପୁତ୍ରଟି ଟ୍ରେନରେ ମରିବା ଜାଣିବା ପରେ ମାତାପିତା ତାକୁ ବ୍ୟାଗ ଭିତରେ ଭର୍ତ୍ତି କରି ଆଣିଥିବା କୁହାଯାଉଛି । ପ୍ରକାଶ ଯେ ଶ୍ରମିକ ସ୍ୱତନ୍ତ୍ର ଟ୍ରେନରୁ ପ୍ରବାସୀମାନେ ଓହ୍ଲାଇବା ପରେ ଷ୍ଟେସନରେ ହିଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସେମାନଙ୍କ ବଡ଼ି ସ୍କ୍ରାନିଂ କରାଯିବା ସହ ସ୍ୱାସ୍ଥ୍ୟର ଯାଞ୍ଚ ହୋଇଥାଏ । ଏଭଳି ସ୍ଥିତିରେ ଶିଶୁଟିର ମୃତାବସ୍ଥା ଷ୍ଟେସନରେ ହିଁ ଧରାପଡ଼ିଥାନ୍ତା । କିନ୍ତୁ ଷ୍ଟେସନ ପରିବର୍ତ୍ତେ କ୍ୱାରେଣ୍ଟାଇନ ସେଣ୍ଟରରେ ଜଣାପଡ଼ିଥିଲା । ଏ ନେଇ ଯାଞ୍ଚ କରିବା ପରେ ଦମ୍ପତି ପିଲାଟିକୁ ବ୍ୟାଗରେ ଭରି ଆଣିଥିବା ଘଟଣା ସାମ୍ନାକୁ ଆସିଥିଲା ବୋଲି ସିଡିଏମଓ କାଳୀଚରଣ ବେହେରା ସୂଚନା ଦେଇଛନ୍ତି । ଏକଥା ଉଭୟ ଦମ୍ପତି ସ୍ୱୀକାର କରିଥିବା ସିଡିଏମଓ କହିଛନ୍ତି । ତେବେ ଘଟଣାର ଏବେ ଛାନଭିନ ଚାଲିଛି ଏବଂ ତଦନ୍ତ ପରେ ସବୁକିଛି ସ୍ପଷ୍ଟ ହେବ ବୋଲି ସେ କହିଛନ୍ତି ।