ଜୁଇରୁ ଉଠିଲା ଶବ, ଆଶ୍ଚର୍ଯ୍ୟ ହେଲେ ବି ସତ

ଜୁଇରୁ ଉଠିଲା ଶବ, ଆଶ୍ଚର୍ଯ୍ୟ ହେଲେ ବି ସତ

ଭୁବନେଶ୍ୱର : ଶବକୁ କୋକେଇରେ ମଶାଣି ନିଆଗଲା । ସେଠାରେ କାଠ ଖଞ୍ଜା ହେଲା । କାନ୍ଦ ବୋବାଳି ମଧ୍ୟରେ ଶବକୁ ଜୁଇରେ ଶୁଆଇ ଦେଇ ଅଗ୍ନି ସଂଯୋଗ କରାଗଲା । ଏହି ସମୟରେ ଯାହା ଘଟିଲା ତାହା ସମସ୍ତଙ୍କ ଛାତି ଥରାଇ ଦେଲା । କାଠ ନିଅାଁ ଧରୁ ଧରୁ ହଠାତ ଶବ ଜୁଇରୁ ଉଠି ବସିଲା । ଆତ୍ମୀୟ ସ୍ୱଜନ ତାଙ୍କୁ ଜୁଇରୁ ଓହ୍ଲାଇ ଆଣିବା ପରେ ପୁଣି ସେ ଅଚେତ ହୋଇପଡ଼ିଥିଲେ । ସଙ୍ଗେ ସଙ୍ଗେ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ପୁଣି ଥରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ସୂଚନା ମିଳିଛି । ବେଳେ ବେଳେ ଏପରି ହୁଏ ବୋଲି ଡାକ୍ତର କହୁଥିବା ବେଳେ ଏହି ଘଟଣା ସମଗ୍ର ସୁକିନ୍ଦା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ସୂଚନା ମୁତାବକ ସୁକିନ୍ଦା ଥାନା ଅନ୍ତର୍ଗତ ବର୍ତ୍ତଣ୍ଡା ଗ୍ରାମର ବସିଆ ପ୍ରଧାନଙ୍କ ପୁଅ ନୀଳମଣି ପ୍ରଧାନ (୪୬) ସକାଳେ ପ୍ରଚୁର ମଦ୍ୟପାନ କରିଥିଲେ । ଏହା ପରେ ସେ ସାହିରେ ଜନୈକ ବ୍ୟକ୍ତିଙ୍କ ପିଣ୍ଡାରେ ଶୋଇଥିଲେ । ଅପରାହ୍ନ ପ୍ରାୟ ୩ଟା ସମୟରେ ନୀଳମଣି କୌଣସି କାରଣରୁ ଗୁରୁତର ହୋଇପଡ଼ି ଏକ ପ୍ରକାର ଶବ୍ଦ କରଥିଲେ । ଏହା ଦେଖି ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା । ପରିବାର ଲୋକେ ତାଙ୍କୁ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । କିନ୍ତୁ ପରିବାର ଲୋକଙ୍କ ମନ ମାନିନଥିଲା । ସେମାନେ ନୀଳମଣିଙ୍କୁ ଟାଟା ମେଡିକାଲ ନେବା ପାଇଁ କହି ସେଠାରୁ ନେଇ ଆସିଥିଲେ । ପରେ କିନ୍ତୁ ତାଙ୍କୁ ଟାଟା ମେଡିକାଲ ନନେଇ ବଙ୍ଗଳା ଛକ ରାସ୍ତାରେ ନିଜ ଗାଁକୁ ନେଇ ଯାଇଥିଲେ । ଗ୍ରାମ ଶ୍ମଶାନରେ ଶବ ସକ୍ରାର ପାଇଁ ସମସ୍ତ ବ୍ୟବସ୍ଥା କରାଇଲେ । ଶବକୁ ଜୁଇରେ ଶୁଆଇ ଦେଇ ଅଗ୍ନି ସଂଯୋଗ କରିବାର ମାତ୍ର କିଛି ସମୟ ମଧ୍ୟ ନୀଳମଣି ଉଠି ବସିଥିଲେ । ଏହା ପରେ ନୀଳମଣିଙ୍କୁ ଜୁଇରୁ ଓହ୍ଲାଇ ଆଣିଲେ । ଏହି ସମୟରେ ନୀଳମଣି ପୁଣି ଅଚେତ ହୋଇ ପଡ଼ିଲେ । ପରିବାର ଲୋକେ ତାଙ୍କୁ ତୁରନ୍ତ ସୁକିନ୍ଦା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ଡାକ୍ତର ତାଙ୍କୁ ପୁନର୍ବାର ମୃତ ଘୋଷଣା କରିଥିଲେ । ଏହା ପରେ ପରିବାର ଲୋକେ ତାଙ୍କୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇ ଯାଇଥିଲେ । ସେଠାରେ ନୀଳମଣିଙ୍କର ମୃତୁ୍ୟ ହୋଇଯାଇଥିବା ଡାକ୍ତର କହିବା ପରେ ପରିବାର ଲୋକେ ବିଶ୍ୱାସ କରିଥିଲେ । ଶବକୁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ରଖାଯାଇଛି । ବ୍ୟବଚ୍ଛେଦ ପରେ ଶବ ସକ୍ରାର କରାଯିବ ବୋଲି ସୂଚନା ମିଳିଛି ।