ଛୋଟ ଛାଡ଼ଖାଇରେ ଏତେ, କାଲି ବଡ଼ ଛାଡ଼ଖାଇ ...
ଛୋଟ ଛାଡ଼ଖାଇରେ ଏତେ, କାଲି ବଡ଼ ଛାଡ଼ଖାଇ ...
ଭୁବନେଶ୍ୱର: ସାରା ମାସ ଧର୍ମ ପାଳନ କରୁଥିଲେ । ପୂଜା, ବ୍ରତରେ କଟିଥିଲା ଦିନ । ଆମିଷ ଘରକୁ ପଶୁନଥିଲା । ହେଲେ ଆମିଷ ପ୍ରେମୀ ଅନେଇ ରହିଥିଲେ ଆଜିର ଦିନକୁ। କେବେ ଆସିବ ଛାଡ଼ଖାଇ-କେମିତି ପାଟିରେ ବାଜିବ ଆମିଷ ପାଣି । ଆଜି ରାତି ନ ପାହୁଣୁ ଭୋରୁ ଆମିଷ ବଜାର ହାଉସଫୁଲ । ମଟନ, ଚିକେନ, ମାଛ ପାଇଁ ଧାଁ ଧପଡ଼ ଲାଗିଲା । କରୋନା ଭୟକୁ ଭୁଲିଗଲେ । ଦେହରେ ଦେହ ଘଷି ହୋଇ ଏକରକମ ହାଲୁକା ଠେଲାପେଲା ହୋଇ ଆମିଷ କିଣା ହେଲା । ଦିନ ୧୨ଟା ଯାଏ ରାଜଧାନୀର ସବୁ ଆମିଷ ବଜାରରେ ଅସମ୍ଭାଳ ଭିଡ଼ ଥିଲା । ସନ୍ଧ୍ୟାରେ ବି ଏଭଳି ଭିଡ଼ ଆଶା ରଖିଛନ୍ତି ଆମିଷ ବ୍ୟବସାୟୀ ।
ମଟନ ବ୍ୟବସାୟୀ କହିଛନ୍ତି, ଆଜି ଭଲ ବେପାର ହୋଇଛନ୍ତି । ହେଲେ ଶନିବାର ନଥିଲେ ଆହୁରି ଭଲ ବେପାର ହୋଇଥାନ୍ତା । ଅନେକଙ୍କ ପାଇଁ ଏହା ଛୋଟ ଛାଡ଼ଖାଇ । ରବିବାର ହେବ ଅସଲ ବା ବଡ଼ ଛାଡ଼ଖାଇ । ତେଣୁ ଆସନ୍ତାକାଲି ବେପାର ବେଶି ହେବ ।
ରାଜଧାନୀର ୟୁନିଟ୍-୪, ରସୁଲଗଡ଼, ପଳାଶୁଣି, ଶିରିପୁର, ଲକ୍ଷ୍ମୀସାଗର, ଝାରପଡ଼ା, ରବି ଟକିଜ, ଗ୍ୟାରେଜ ଛକ, ଡମଣା, ପଟିଆ, ଆଇଗିଣିଆ, ଚନ୍ଦ୍ରଶେଖରପୁର, ୟୁନିଟ୍-୮, ନୟାପଲ୍ଲୀ, ଭିଏସଏସନଗର ସମେତ ସାରା ରାଜଧାନୀରେ ଆଜି ପ୍ରବଳ ଭିଡ଼ ଦେଖିବାକୁ ମିଳିଛି ମାଛ, ମାଂସ ଓ ଚିକେନ କାଉଣ୍ଟରରେ । ମଟନ କିଲୋ ୭୦୦ ହେଉ କି ୭୫୦, ଲୋକେ ବେଧଡ଼କ ଆମିଷ କିଣିଛନ୍ତି । ମଟନ, ଦେଶୀ ଚିକେନ, ରୋହି ମାଛର ବେଶି ଡିମାଣ୍ଡ ଥିଲା ବଜାରରେ । ଅନ୍ୟପକ୍ଷରେ ଝାଡ଼ଖାଇ ପାଇଁ ବହୁ ହୋଟେଲରେ ସ୍ୱତନ୍ତ୍ର ମଟନ, ଦେଶୀ ଚିକେନ, ମାଛ ବରାଦ କରାଯାଇ ସ୍ୱତନ୍ତ୍ର ଅଫର ମଧ୍ୟ ରଖାଯାଇଛି ।




admin 