ଚିନ୍ତା ବଢ଼ାଇଲାଣି ଶିଶୁଙ୍କୁ ସଂକ୍ରମଣ

ଚିନ୍ତା ବଢ଼ାଇଲାଣି ଶିଶୁଙ୍କୁ ସଂକ୍ରମଣ

ଚିନ୍ତା ବଢ଼ାଇଲାଣି ଶିଶୁଙ୍କୁ ସଂକ୍ରମଣ

ଭୁବନେଶ୍ୱର : ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ୬ଶହରୁ ୭ଶହ ଭିତରେ ରହିଛି । ତହିଁରୁ ପ୍ରାୟ ୧୫ପ୍ରତିଶତ ୧୮ବର୍ଷରୁ କମ୍ ବୟସର ପିଲା ପଜିଟିଭ୍ ଚିହ୍ନଟ ହେଉଛନ୍ତି । ହେଲେ ଗତ କିଛି ଦିନ ଭିତରେ ଶିଶୁ ଓ ବୟସ୍କଙ୍କ ବର୍ଗରେ ଅଧିକ ସଂଖ୍ୟାରେ ରୋଗୀ ଆଇସିୟୁ କିମ୍ବା ଆଇସିୟୁ ଭେଣ୍ଟିଲେଟରରେ ଭର୍ତି ହୋଇଥିବା ନଜରକୁ ଆସିଲାଣି । ଯଦିଓ ଏହି ସଂଖ୍ୟା ବିଶେଷ ଅଧିକ ନୁହେଁ, କିନ୍ତୁ ଚିନ୍ତାଜନକ । ଗତ ୫ ତାରିଖରେ ରାଜ୍ୟରେ ବୟସ୍କ ଓ ୧୮ବର୍ଷରୁ କମ୍ ପିଲାଙ୍କ ହସ୍ପିଟାଲରେ ପରିସଂଖ୍ୟାନକୁ ତୁଳନା କଲେ ବ୍ୟବଧାନ ବାରି ହୋଇପଡ଼ୁଛି । ୫ ତାରିଖ ବେଳକୁ ରାଜ୍ୟରେ ୯୭ ଜଣ ରୋଗୀ ଭେଣ୍ଟିଲେଟରରେ ଥିବା ବେଳେ ଏହି ସଂଖ୍ୟା ଏବେ ୯୯ରେ ପହଞ୍ଚିଛି । ସେହିପରି ୨ଜଣ ଶିଶୁ ଆଇସିୟୁ/ଏଚଡିୟୁରେ ଥିବା ବେଳେ ଏବେ ସଂଖ୍ୟା ବୃଦ୍ଧି ପାଇ ୪କୁ ବୃଦ୍ଧି ପାଇଛି । ପୂର୍ବରୁ ୧୩ଜଣ ଶିଶୁ ସାଧାରଣ ଶଯ୍ୟାରେ ଥିବା ବେଳେ ଏବେ ଏହି ସଂଖ୍ୟା ୩୦କୁ ବୃଦ୍ଧି ପାଇଛି । ୫ ଦିନ ଭିତରେ ହସ୍ପିଟାଲରେ ଶିଶୁଙ୍କ ଆଡମିସନ ୧୩୦ ପ୍ରତିଶତ ବୃଦ୍ଧି ପାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୩୦ କୋଭିଡ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ୧୧୬ଜଣ ୧୮ବର୍ଷରୁ କମ୍ ବୟସର ପିଲା ରହିଛନ୍ତି । ଖୋର୍ଦ୍ଧା ୨୨୧, କଟକ ୧୧୮, ଯାଜପୁର ୩୨, ବାଲେଶ୍ୱର ୨୩, ସୁନ୍ଦରଗଡ଼ ୨୨, ମୟୂରଭଞ୍ଜ ୨୦, ନୟାଗଡ଼ ୧୭, ପୁରୀ ୧୬, ଢେଙ୍କାନାଳ ୧୨ ଓ ଷ୍ଟେଟ ପୁଲରୁ ୫୩ଜଣଙ୍କୁ ଚିହ୍ନଟ କରାଯାଇଛି । ରାଜ୍ୟରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧୦ଲକ୍ଷ ୧୫ହଜାର ୭୧୩କୁ ବୃଦ୍ଧି ପାଇଛି । ରାଜ୍ୟରେ ଆଉ ୮ଜଣ କରୋନାରେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ କଟକ ୨, ବାଲେଶ୍ୱର, ଢେଙ୍କାନାଳ, ଜଗତସିଂହପୁର, ଯାଜପୁର, ମାଲକାନଗିରି ଓ ମୟୂରଭଞ୍ଜରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । ମୋଟ ମୃତୁ୍ୟସଂଖ୍ୟା ୮୦୯୨କୁ ବୃଦ୍ଧି ପାଇଛି । ରାଜ୍ୟରେ  ୭୦୬ କୋଭିଡ ରୋଗୀ ସୁସ୍ଥ ହୋଇଛନ୍ତି । ଫଳରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୧୦ଲକ୍ଷ ୧ହଜାର ୨୫୪କୁ ବୃଦ୍ଧି ପାଇଛି । ଏବେ ୬୩୧୪ ଚିକିତ୍ସାଧୀନ ରୋଗୀ ରହିଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୨୫୦୨ଜଣ ଚିକିତ୍ସାଧୀନ ରୋଗୀ ଅଛନ୍ତି ।