ଚାଷୀ ଉଡ଼ାଇବେ ଡ୍ରୋନ୍, ମନ୍ତ୍ରୀ କହିଲେ କାରଣ
ଚାଷୀ ଉଡ଼ାଇବେ ଡ୍ରୋନ୍, ମନ୍ତ୍ରୀ କହିଲେ କାରଣ
ନୂଆଦିଲ୍ଲୀ: ଚାଷୀମାନେ ଡ୍ରେନ୍ ଉଡ଼ାଇ ପାରିବେ। କୃଷି କ୍ଷେତ୍ରରେ ଏହାର ବ୍ୟବହାର ହେବ। କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର ଏନେଇ ମଙ୍ଗଳବାର ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିୟର (ଏସ୍ଓପି) ଜାରି କରିଛନ୍ତି। ଜମିରେ ଫସଲ ସମ୍ବନ୍ଧୀୟ ସାର, କୀଟନାଶକ ଓ ଅନ୍ୟାନ୍ୟ ପୁଷ୍ଟିକର ଔଷଧ ଏହି ଡ୍ରୋନ୍ ଦ୍ୱାରା ସ୍ପ୍ରେ କରାଯାଇ ପାରିବ ବୋଲି କେନ୍ଦ୍ର ମନ୍ତ୍ରୀ କହିଛନ୍ତି। ବର୍ତ୍ତମାନ ସମୟରେ କୃଷି କ୍ଷେତ୍ରରେ ଡ୍ରୋନ୍ ଟେକ୍ନୋଲୋଜିର ବ୍ୟବହାର ଆବଶ୍ୟକ ରହିଛି । ଏହା କୃଷକମାନଙ୍କ ପାଇଁ ବେଶ ଲାଭଦାୟକ ହେବ ବୋଲି କେନ୍ଦ୍ର ମନ୍ତ୍ରୀ ତୋମାର ଏକ ଅଫିସଆଲ ବିବୃତ୍ତିରେ କହିଛନ୍ତି।
ଡ୍ରୋନ ଉଡ଼ିବା ପାଇଁ ଅନୁମତି, ଦୂରତା ସୀମା, ଓଜନ ବର୍ଗୀକରଣ, ଜନବହୁଳ ଅଞ୍ଚଳରେ ପ୍ରତିବନ୍ଧକ, ଡ୍ରୋନ୍ ପଞ୍ଜିକରଣ, ସୁରକ୍ଷା ବୀମା, ପାଇଲଟ୍ ସାର୍ଟିଫିକେଟ୍, ଉଡ଼ାଣ କ୍ଷେତ୍ର, ପାଣିପାଗ ଭଳି ବୁହୁ ଗୁରୁତ୍ୱପୂର୍ଣ ଏସ୍ଓପି ରହିବ। ତୋମାର କହିଛନ୍ତି ଯେ, ୨୦୧୪ ପରଠାରୁ ସରକାର କୃଷକଙ୍କ ଉନ୍ନତି ଦିଗରେ ଗୁରୁତ୍ୱ ଦେଇ ଆସୁଛନ୍ତି। ସରକାରଙ୍କ କୃଷିନୀତିରେ ୨୦୨୨ ସୁଦ୍ଧା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିବା ଲକ୍ଷ ରଖାଯାଇଛି ବୋଲି ତୋମାର କହିଛନ୍ତି। ସେ କହିଛନ୍ତି ଯେ, କୃଷି ଭିତ୍ତିଭୂମି ପାଣ୍ଠି କ୍ଷୁଦ୍ର ଚାଷୀଙ୍କ ଜୀବନରେ ବୈପ୍ଲବିକ ପରିବର୍ତ୍ତନ ଆଣିବ। ମୁଖ୍ୟତଃ ପଙ୍ଗପାଳ ଆକ୍ରମଣରୁ ରକ୍ଷା କରିବା ପାଇଁ ଡ୍ରୋନ୍ ବ୍ୟବହାର କରାଯିବ। କୃଷି କ୍ଷେତ୍ରରେ ନୂତନ ପ୍ରଯୁକ୍ତିବିଦ୍ୟା ପ୍ରଣୟନ ପାଇଁ ସରକାର ନିରନ୍ତର ପ୍ରୟାସ କରୁଛନ୍ତି । ଯାହା କୃଷି କ୍ଷେତ୍ରରେ ଉତ୍ପାଦନ ଏବଂ ଦକ୍ଷତା ବୃଦ୍ଧି ହୋଇପାରିବ। କୃଷି ବୈଜ୍ଞାନିକ ଏବଂ ବିଶେଜ୍ଞଙ୍କ ସହ ଆଲୋଚନା କରି କୃଷି କ୍ଷେତ୍ରରେ ଡ୍ରୋନ୍ ବ୍ୟବହାର ପାଇଁ ମନ୍ତ୍ରଣାଳୟ ଏସ୍ଓପି ପ୍ରସ୍ତୁତ କରିଛି ବୋଲି ସେ କହିଛନ୍ତି।