ଚଳିତ ବର୍ଷ ଖରିଫ ଋତୁରେ ରାଜ୍ୟର ଚାଷୀମାନଙ୍କୁ ୯ ହଜାର କୋଟିର ସମବାୟ ଋଣ
ଚଳିତ ବର୍ଷ ଖରିଫ ଋତୁରେ ରାଜ୍ୟର ଚାଷୀମାନଙ୍କୁ ୯ ହଜାର କୋଟିର ସମବାୟ ଋଣ
admin
May 4, 2021 - 06:38
Updated: May 4, 2021 - 06:38
ଭୁବନେଶ୍ୱର : ଚଳିତ ବର୍ଷ ଖରିଫ ଋତୁରେ ରାଜ୍ୟର ଚାଷୀମାନଙ୍କୁ ସମବାୟ ସଂସ୍ଥା ଜରିଆରେ ୯ ହଜାର କୋଟି ଟଙ୍କାର ସ୍ୱଳ୍ପ ମିଆଦି ଫସଲ ଋଣ ଯୋଗାଇ ଦିଆଯିବ । କୋଭିଡ-୧୯ର ଦ୍ୱିତୀୟ ଲହରୀରେ ଚାଷ କାର୍ଯ୍ୟକୁ ଅଗ୍ରାଧିକାର ଦେବାକୁ ଯାଇ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । ଏହି ସମୟରେ ଖାଦ୍ୟ ଉତ୍ପାଦନ ଓ ଖାଦ୍ୟ ସୁରକ୍ଷାକୁ ସରକାର ଅଗ୍ରାଧିକାର ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଦେ୍ର୍ଧଶରେ ଏହି ପରିମାଣର ଋଣ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଥିବା ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଜଣାଇଛନ୍ତି । ବିଭାଗ ପକ୍ଷରୁ ପ୍ରେସ ଇସ୍ତାହାର ଜାରି କରାଯାଇ କୁହାଯାଇଛି, ରାଜ୍ୟରେ ପ୍ରାୟ ୯୦ ପ୍ରତିଶତ ଚାଷୀ କ୍ଷୁଦ୍ର ଓ ନାମମାତ୍ର ହୋଇଥିବାରୁ ଫସଲ ଋଣ ପ୍ରଦାନ କ୍ଷେତ୍ରରେ ପ୍ରାଥମିକତା ପ୍ରଦାନ କରିବା ହେଉଛି ସରକାରଙ୍କ ଲକ୍ଷ୍ୟ । ଋଣ ପ୍ରଦାନ ବେଳେ ପ୍ୟାକସ ଓ ଲ୍ୟାମ୍ପସଗୁଡ଼ିକରେ କୋଭିଡ ନିୟମ ଅନୁପାଳନ ପୂର୍ବକ କର୍ମଚାରୀ ଓ ଚାଷୀମାନେ ମାସ୍କ ପିନ୍ଧିବେ । ଏହାସହିତ ଠିକଣା ସମୟରେ ସମସ୍ତ ଚାଷୀମାନଙ୍କୁ ଯେପରି ସୁବିଧାରେ ସମବାୟ ଋଣ ଆବଣ୍ଟନ ହେବ, ସେଥିପାଇଁ ବିଭାଗୀୟ ଅଧିକାରୀମାନଙ୍କୁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ନିଦେ୍ର୍ଧଶ ଦେଇଛନ୍ତି । ଏ ନେଇ ସମସ୍ତ ଜିଲ୍ଲାପାଳମାନଙ୍କୁ ବିଭାଗ ପକ୍ଷରୁ ଚିଠି ଲେଖି ଜଣାଇ ଦିଆଯାଇଛି । ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଦ୍ୱାରା ଚାଷୀମାନଙ୍କୁ ଫସଲ ଋଣରେ ବ୍ୟାପକ ରିହାତି ଯୋଗାଇ ଦିଆଯାଉଥିବା ଦୃଷ୍ଟିରୁ ହିତାଧିକାରୀ ଚାଷୀମାନଙ୍କ ଆଧାର କାର୍ଡÿ ନମ୍ବର ସଂଗ୍ରହ କରି ଏହାକୁ କିଷାନ କ୍ରେଡିଟ କାର୍ଡÿ ଓ ବ୍ୟାଙ୍କ ଆକାଉଣ୍ଟ ସହିତ ସଂଯୋଗ କରିବା ବାଧ୍ୟତାମୂଳକ କରାଯାଇଛି । ଏହାସହିତ ମଞ୍ଜୁର ହୋଇଥିବା ଋଣ ସିଧାସଳଖ ଯେପରି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ ସେଥିପାଇଁ ଅଧିକାରୀମାନେ ଦୃଷ୍ଟି ଦେବେ । ଅଧିକରୁ ଅଧିକ ନୂତନ ଚାଷୀ ଯେପରି ସମବାୟ ଋଣ ପାଇବେ, ସେଥିପାଇଁ ସରକାର ଲକ୍ଷ୍ୟ ରଖିଛନ୍ତି । ବିଶେଷକରି ଡାଲି, ତୈଳବୀଜ, ଆଳୁ ଓ ଅନ୍ୟ ଅର୍ଥକରୀ ଫସଲ ଚାଷ ନିମନ୍ତେ ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରାଧିକାର ପ୍ରଦାନ କରାଯିବ । ଫସଲ ଋଣଗୁଡ଼ିକ ଠିକଣା ଭାବେ ଚାଷ କାର୍ଯ୍ୟରେ ବିନିଯୋଗ ହେଉଛି କି ନାହିଁ, ସେଥିପାଇଁ କୃଷି ଓ ସମବାୟ ବିଭାଗର କ୍ଷେତ୍ର ଅଧିକାରୀମାନେ ମିଳିତ ଭାବେ କ୍ଷେତ୍ର ପରିଦର୍ଶନ କରି ତଦାରଖ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।