ଘରେ ପଶି ଗୁଳି, ସ୍ବାମୀ ମୃତ, ପତ୍ନୀ ଗୁରୁତର

ଘରେ ପଶି ଗୁଳି, ସ୍ବାମୀ ମୃତ, ପତ୍ନୀ ଗୁରୁତର

ଘରେ ପଶି ଗୁଳି, ସ୍ବାମୀ ମୃତ, ପତ୍ନୀ ଗୁରୁତର

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ଥାନା ଅନ୍ତର୍ଗତ ବବକରପୁରର ରାଜଗଡ଼ରେ ଘଟିଛି ଗୁଳିକାଣ୍ଡ। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପତ୍ନୀ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିଙ୍କ ନାଁ ଅରବିନ୍ଦ ମିଶ୍ର। ସେ କେନ୍ଦ୍ରାପଡ଼ା ବ୍ଳକ୍ କାର୍ୟ୍ୟାଳୟର ଜଣେ ପୂର୍ବତନ କର୍ମଚାରୀ ଥିଲେ।

 ସୂଚନା ଅନୁଯାୟୀ, ବାଇକ୍ରେ ୩ ଜଣ ବ୍ୟକ୍ତି ଅରବିନ୍ଦଙ୍କ ଘରକୁ ଆସିଥିଲେ। ସେମାନେ କବାଟ ବାଡ଼େଇ ଥିଲେ। ଅରବିନ୍ଦ କବାଟ ଖୋଲିବା ପରେ ସେମାନେ ଘର ଭିତରେ ଧସେଇ ପଶିଥିଲେ। ଏହା ପରେ ସେମାନେ ଅରବିନ୍ଦଙ୍କୁ ଗୁଳି କରିଥିଲେ। ଗୁଳି ତାଙ୍କ ଛାତିରେ ବାଜି ଥିଲା। ଏହି ସମୟରେ ତାଙ୍କ ପତ୍ନୀ ମିନତି ତାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିଲେ। ତେଣୁ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଗୁଳି କରିଥିଲେ। ତେବେ ଗୁଳି ତାଙ୍କ ଗୋଡ଼ରେ ବାଜିଥିଲା। ସେହିପରି ତାଙ୍କ ମୁଣ୍ଡରେ ମଧ୍ୟ ଆଘାତ ଲାଗିଛି। ଅଭିଯୁକ୍ତମାନେ ବନ୍ଧୁକରେ ତାଙ୍କ ମୁଣ୍ଡରେ ଜୋରରେ ଆଘାତ କରିଥିଲେ। ତାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।


ଏହି ଘଟଣା ଘଟିବା ବେଳେ ଅରବିନ୍ଦଙ୍କ ପୁଅ ଘରର ଉପର ମହଲାରେ ଥିଲେ। ସେ ଦୌଡ଼ି ସେଠାରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କୁ ମଧ୍ୟ ଆକ୍ରମଣ କରିଥିଲେ। ଗୁଳିମାଡ଼ ଶବ୍ଦ ଶୁଣିବା ପରେ ଆଖପାଖ ପଡ଼ୋଶୀ ସେଠାରେ ଜମା ହୋଇଯାଇଥିଲେ। ଗାଁର ଅନ୍ୟ ଲୋକମାନେ ମଧ୍ୟ ସତର୍କ ହୋଇଯାଇଥିଲେ ଓ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନେ ଦୁଇ ଅଭିଯୁକ୍ତଙ୍କୁ ଧରିଥିଲେ। ଆଉ ଜଣେ ଖସି ଯାଇଥିବା କୁହାଯାଉଛି। ଲୋକଙ୍କ ମାଡ଼ରେ ଦୁଇ ଅଭିଯୁକ୍ତ ଆହତ ହୋଇଥିବା ବେଳେ ସେମାନଙ୍କୁ ମହାକାଳପଡ଼ା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେମାନେ ଖୋର୍ଦ୍ଧା ଓ ଜଟଣୀ ଅଞ୍ଚଳର ବୋଲି କୁହାଯାଉଛି। ସେମାନଙ୍କ ଠାରୁ ପୁଲିସ୍ ୨ଟି ରିଭଲଭର ଜବତ କରିଛି।