ଗଣଦୁଷ୍କର୍ମ ଘଟଣାର ପର୍ଦ୍ଧାଫାସ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ

ଗଣଦୁଷ୍କର୍ମ ଘଟଣାର ପର୍ଦ୍ଧାଫାସ, ପୁରୁଷ ବନ୍ଧୁଙ୍କ ସମେତ ୪ ଗିରଫ

ରାଉରକେଲା: ମଙ୍କି କ୍ୟାପ ପିନ୍ଧି ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ପର୍ଦ୍ଧାଫାସ କରିଛି ରାଉରକେଲା ପୁଲିସ । ପୁଲିସ ଏହି ଘଟଣାରେ ଯୁବତୀଙ୍କ ପୁରୁଷ ବନ୍ଧୁ ସମେତ ୪ ଜଣଙ୍କୁ ଗିରଫ କରିଛି । ସେମାନେ ହେଲେ ରାଉରକେଲାର ମହମ୍ମଦ ହୀରା, ପପୁ, ସରଫରାଜ ଓ ଯୁବତୀଙ୍କ ପୁରୁଷ ବନ୍ଧୁ । ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଚୋରା ବୋଲେରୋ, ୩ଟି ମୋବାଇଲ ଫୋନ ଓ ଗୋଟିଏ ଛୁରୀ ଜବତ କରିଛି । ସେଦିନ ଗୁରୁଣ୍ଡିଆ ନିକଟରେ ଘଟିଥିବା ଦୁର୍ଘଟଣା ଏବଂ ପରେ ରାଉରକେଲା ଗଣଦୁଷ୍କର୍ମ, ସବୁ ଯୋଜନାବଦ୍ଧ ଥିଲା ବୋଲି ସ୍ପଷ୍ଟ ହୋଇଛି । ଅନ୍ୟ ପକ୍ଷରେ ଅଭିଯୁକ୍ତମାନେ ପେସାଦାର ଲୁଟେରା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ରାଉରକେଲା ଏସପି କେ.ଶିବା ସୁବ୍ରମଣି ଏ ସମ୍ପର୍କରେ ସୂଚନା ଦେଇଛନ୍ତି । ସନ୍ଧ୍ୟାରେ ଛେଣ୍ଡ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଏ ସମ୍ପର୍କରେ ସୂଚନା ଦେଇ କହିଥିଲେ ଯେ, ପୀଡ଼ିତା ଯୁବତୀଙ୍କ ପୁରୁଷ ବନ୍ଧୁ ଜଣେ ବିବାହିତ ପୁରୁଷ । କିନ୍ତୁ ସେ ଦୀର୍ଘ ଦିନ ହେବ ଯୁବତୀଙ୍କ ସହିତ ସମ୍ପର୍କରେ ଥିଲେ । ସେ ହିଁ ଯୁବତୀଙ୍କୁ ଦୁଷ୍କର୍ମ କରିବା ସହିତ ବନ୍ଧୁମାନଙ୍କ ଦ୍ୱାରା ଦୁଷ୍କର୍ମ କରାଇବାର ଯୋଜନା କରିଥିଲା । ଯୋଜନା ଅନୁସାରେ ୧୫ ତାରିଖ ଭୋର ପ୍ରାୟ ସାଢେ଼ ୪ଟାବେଳେ ସେ ଯୁବତୀଙ୍କ ସହିତ ଏକ ବାଇକରେ ଗୁରୁଣ୍ଡିଆ ନିକଟରେ ଆସୁଥିବା ବେଳେ ଅଭିଯୁକ୍ତମାନେ ଦୁଇଟି ବୋଲେରୋ ଆସି ଜାଣିଶୁଣି ଦୁର୍ଘଟଣା ଘଟାଇଥିଲେ । ପରେ ଯୁବତୀଙ୍କୁ ଅପହରଣ କରି ଆଣି ସେକ୍ଟର ୧୩ ଓମଫେଡ ଫ୍ୟାକ୍ଟି୍ର ପଡ଼ିଆ ନିକଟରେ ଗଣଦୁଷ୍କର୍ମ କରିଥିଲେ । ଏ ନେଇ ପୀଡ଼ିତା ଯୁବତୀ ଜଣକ ତହିଁ ପରଦିନ ଛେଣ୍ଡ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଘଟଣା ତଦନ୍ତ ଆରମ୍ଭ କରିଥିଲା ।