ଖାପ୍ ପଞ୍ଚାୟତରେ ଗଡ଼ିଲା ଦୁଇ ମୁଣ୍ଡ

ଖାପ୍ ପଞ୍ଚାୟତରେ ଗଡ଼ିଲା ଦୁଇ ମୁଣ୍ଡ

ଖାପ୍ ପଞ୍ଚାୟତରେ ଗଡ଼ିଲା ଦୁଇ ମୁଣ୍ଡ
କାଲିମେଳା : ଦୁଇ ସଉତୁଣୀଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ବସିଥିଲା ଖାପ୍ ପଞ୍ଚାୟତ । ବିବାଦର ସମାଧାନ ହେବ କ'ଣ ବରଂ ସୃଷ୍ଟି ହୋଇଛି ଅଭାବନୀୟ ଘଟଣା । ଦୁଇ ସଉତୁଣୀଙ୍କ ସ୍ୱାମୀ ବିଧାନ ମିର୍ଦ୍ଧାଙ୍କ ଆକ୍ରମଣରେ ୬ ଜଣ ଗୁରୁତର ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତୁ୍ୟ ହୋଇଯାଇଥିବା ଜଣାପଡ଼ିଛି । କାଲିମେଳା ଥାନା ଏମପିଭି-୩୩ ଗ୍ରାମର ଏହି ଘଟଣାଟି ସମଗ୍ର ଅଂଚଳରେ ଆଲୋଡ଼ନ ସୃଷ୍ଟି କରିଛି । ଖବର ପାଇ କାଲିମେଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତ ବିଧାନଙ୍କୁ ଥାନାରେ ଅଟକ ରଖିଥିବା ବେଳେ ଗୁରୁତର ଥିବା ଅନ୍ୟ ୪ ଜଣ ଗ୍ରାମବାସୀଙ୍କୁ ମାଲକାନଗିରି ମେଡିକାଲଙ୍କୁ ପଠାଇଛି । ସୂଚନା ଅନୁଯାୟୀ କାଲିମେଳା ଥାନା ଏମପିଭି-୩୩ ଗ୍ରାମର ବିଧାନ ମିର୍ଦ୍ଧାଙ୍କ ଦୁଇ ଜଣ ପତ୍ନୀ ରହିଥିଲେ । ତେଣୁ ଦୁଇ ସଉତୁଣୀଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା । ଏହି ବିବାଦକୁ ନେଇ ଆଜି ଗ୍ରାମରେ ଏକ ବୈଠକ ବସି ସମାଧାନ ପାଇଁ ଉଦ୍ୟମ କରାଯାଇଥିଲା । ଏହି ସମୟରେ ଦୁଇ ସଉତୁଣୀଙ୍କ ସ୍ୱାମୀ ବିଧାନ ଉତ୍ତ୍ୟକ୍ତ ଅବସ୍ଥାରେ ଗୋଟିଏ ଛୁରି ନେଇ ବୈଠକରେ ପହଞ୍ଚିଥିଲା । କେହି କିଛି ବୁଝିବା ପୂର୍ବରୁ ଆତର୍କିତ ଭାବେ ଆକ୍ରମଣ କରିଥିଲା । ବିଧାନଙ୍କ ଏଭଳି ଭୟଙ୍କର ରୂପକୁ ଦେଖି ଅନ୍ୟମାନେ ଛତ୍ରଭଙ୍ଗ ଦେଇଥିବା ବେଳେ ଛୁରା ମାଡ଼ରେ ଆହତ ୬ ଜଣ ରକ୍ତାକ୍ତ ଅବସ୍ଥାରେ ତଳି ପଡି ଯାଇଥିଲେ । ଗ୍ରାମବାସୀ ଆହତଙ୍କୁ କାଲିମେଳା ଡାକ୍ତରଖାନାକୁ ଆଣିଥିବା ବେଳେ ସେମାନଙ୍କ ମଧ୍ୟରୁ ମାଧବୀ ରାୟ (୪୮) ଓ ବିଶ୍ୱନାଥ ରାୟ(୫୦)ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଗୁରୁତର ଅବସ୍ଥାରେ ସଚିନ ମିସ୍ତ୍ରୀ, ସୁମିତ୍ରା ରାୟ, ଅଞ୍ଜୁ ସାନା, ବିନୋଦ ମଣ୍ଡଳଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । କାଲିମେଳା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ଅଭିଯୁକ୍ତ ବିଧାନକୁ ଥାନାକୁ ଆଣି ପଚରାଉଚୁରା କରୁଛି ।