ଖୁସି ଖବର : ଅକ୍ଟୋବରରେ କାର୍ୟ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ

ଖୁସି ଖବର :  ଅକ୍ଟୋବରରେ କାର୍ୟ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ

ଭୁବନେଶ୍ୱର : ଚଳିତ ବର୍ଷ ଅକ୍ଟୋବର ମାସରେ କାର୍ୟ୍ୟକ୍ଷମ ହେବ ତାଳଚେର ମେଡିକାଲ କଲେଜ ଓ ହସ୍‌‌ପିଟାଲ।ପ୍ରଥମ ପର୍ୟ୍ୟାୟରେ ମହାନଦୀ ଇନଷ୍ଟିଚ୍ୟୁଟ୍‌‌ ଅଫ୍‌‌ ମେଡିକାଲ ସାଇନ୍ସେସ୍‌‌ ଆଣ୍ଡ ରିସର୍ଚ୍ଚରେ ୧୦୦ ଜଣ ଛାତ୍ରଛାତ୍ରୀ ଡାକ୍ତରୀ ଶିକ୍ଷା ଲାଭ କରିବେ। ଗତବର୍ଷ ମେ’ ମାସରେ ତାଳଚେର ମେଡିକାଲ କଲେଜ କାର୍ୟ୍ୟକ୍ଷମ କରିବା ପାଇଁ ଏମ୍‌‌ସିଏଲ୍‌‌ର ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁମୋଦନ ପ୍ରଦାନ କରିଥିଲେ।
ତାଳଚେର ମେଡିକାଲ କଲେଜରେ ଭିତ୍ତିଭୂମି ପ୍ରସ୍ତୁତି ନେଇ ନିକଟରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଶାସନ ସଚିବ ଶାଳିନୀ ପଣ୍ଡିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଆଲୋଚନା ହୋଇଛି। ଆସନ୍ତା ଅକ୍ଟୋବର ସୁଦ୍ଧା ଏହି ମେଡିକାଲ କଲେଜକୁ କାର୍ୟ୍ୟକ୍ଷମ କରିବା ପାଇଁ ଲକ୍ଷ୍ୟ ରହିଛି। ଏହି ମେଡିକାଲ କଲେଜରେ ୩୩୦ ଶଯ୍ୟା ରହିବ ଏବଂ ଆଉ ଏକ ଡାକ୍ତରଖାନାର ୧୦୦ ଶଯ୍ୟା ଏହା ସହିତ ମିଶ୍ରଣ ହେବ। ଏହି ମେଡିକାଲ କଲେଜର ରକ୍ଷଣାବେକ୍ଷଣ ଦାୟିତ୍ୱ ମହାନଦୀ କୋଲ୍‌‌ ଫିଲ୍ଡସ୍‌‌ (ଏମ୍‌‌ସିଏଲ୍‌‌) ଉପରେ ନ୍ୟସ୍ତ କରାଯାଇଛି।ଏହି ମେଡିକାଲ କଲେଜର ନିର୍ମାଣ ପାଇଁ ରାଜ୍ୟ ସରକାର ୫୦୦ କୋଟି ଟଙ୍କା ମୂଲ୍ୟର ୨୦ ଏକର ଜମି ଅଧିଗ୍ରହଣ କରି ବିନା ମୂଲ୍ୟରେ ଏମ୍‌‌ସିଏଲ୍‌‌କୁ ଯୋଗାଇ ଦେଇଥିବା ବେଳେ ଭିତ୍ତିଭୂମି ନିର୍ମାଣ ପାଇଁ ଏମ୍‌‌ସିଏଲ୍‌‌ ପାଣ୍ଠି ଦେଇଛି। ୧୦୦ ଆସନ ବିଶିଷ୍ଟ ମେଡିକାଲ କଲେଜ ଓ ୫୦୦ ଶଯ୍ୟାର ଡାକ୍ତରଖାନା ପ୍ରତିଷ୍ଠା ପାଇଁ ୨୦୧୪ ମସିହାରେ ଏମ୍‌‌ସିଏଲ୍‌‌ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବୁଝାମଣା ସ୍ୱାକ୍ଷରିତ ହୋଇଥିଲା।