କ୍ୟାପଟେନ୍‌ଙ୍କ ହାତରେ ହକି ଷ୍ଟିକ୍

କ୍ୟାପଟେନ୍‌ଙ୍କ ହାତରେ ହକି ଷ୍ଟିକ୍

କ୍ୟାପଟେନ୍‌ଙ୍କ ହାତରେ ହକି ଷ୍ଟିକ୍

ନୂଆଦିଲ୍ଲୀ: କଂଗ୍ରେସ ଛାଡ଼ ନିଜର ସ୍ବତନ୍ତ୍ର ଦଳ କରିଥିବା ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରିନ୍ଦର ସିଂହ ଏଥର ହାତ ବଦଳରେ ହକି ଷ୍ଟିକ୍‌ ଓ ବଲ୍‌ ଧରି ମୈଦାନକୁ ଓହ୍ଲାଇବେ। କ୍ୟାପଟେନ୍ ଅମରିନ୍ଦରଙ୍କ ପାର୍ଟି ‘ପଞ୍ଜାବ ଲୋକ କଂଗ୍ରେସ’କୁ ନିର୍ବାଚନ କମିଶନ ନୂଆ ପାର୍ଟି ଚିହ୍ନ ପ୍ରଦାନ କରିଛନ୍ତି। ଅମରିନ୍ଦରଙ୍କ ପାର୍ଟିକୁ ‘ହକି ଷ୍ଟିକ୍ ଓ ହକି ବଲର ନିର୍ବାଚନ ଚିହ୍ନ ମିଳିଛି। ପଞ୍ଜାବ ଲୋକ କଂଗ୍ରେସ ଟ୍ୱିଟ୍ କରି କହିଛି, ପଞ୍ଜାବ ଲୋକ କଂଗ୍ରେସ ପାର୍ଟିର ଚିହ୍ନ ହକି ଷ୍ଟିକ୍ ଓ ବଲ୍ ମିଳିଛି, ଯାହାକୁ ନେଇ ପାର୍ଟି ବହୁତ ଖୁସି। ପାର୍ଟି ଆହୁରି କହିଛି ଯେ ଏବେ କେବଳ ଗୋଲ କରିବା ବାକି ରହିଲା। ହକି ଭାରତର ଜାତୀୟ କ୍ରୀଡ଼ା ଏବଂ ପଞ୍ଜାବରେ ଏହା ବେଶ୍ ଲୋକପ୍ରିୟ। ରାଜ୍ୟର ଗ୍ରାମାଞ୍ଚଳରେ ହକି ଅଧିକ ଖେଳାଯାଏ।

ପଞ୍ଜାବରୁ ଅନେକ ହକି ଖେଳାଳି ଭାରତୀୟ ହକି ଟିମର ପ୍ରତିନିଧିତ୍ୱ କରିଆସିଛନ୍ତି। ଭାରତୀୟ ହକି ଟିମର ପୂର୍ବତନ କ୍ୟାପଟେନ୍ ପରଗତ ସିଂହ ରାଜ୍ୟର କଂଗ୍ରେସ ସରକାରରେ ମନ୍ତ୍ରୀ ଅଛନ୍ତି। ଅନ୍ୟପକ୍ଷରେ ଅମରିନ୍ଦର କିଛି ମାସ ତଳେ ପଞ୍ଜାବ ସରକାରର ନେତୃତ୍ୱ ନେଇଥିଲେ। କିନ୍ତୁ ପରେ ପଞ୍ଜାବ କଂଗ୍ରେସ ଅଧ୍ୟକ୍ଷ ଓ କ୍ରିକେଟରରୁ ରାଜନେତା ହୋଇଥିବା ନବଜୋତ୍ ସିଂହ ସିଦ୍ଧୁଙ୍କ ସହ ତାଙ୍କର ବିବାଦ ଘନେଇଥିଲା। ଯେଉଁ କାରଣରୁ ଅମରିନ୍ଦର ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ଏବଂ ନିଜର ପାର୍ଟି ଗଠନ କରିଥିଲେ।

ଅମରିନ୍ଦରଙ୍କ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ବିଜେପି ସହ ହାତ ମିଳାଇଛି। ରାଜ୍ୟରେ ହେବାକୁଥିବା ବିଧାନସଭା ନିର୍ବାଚନରେ ପଞ୍ଜାବ ଲୋକ କଂଗ୍ରେସ ଓ ବିଜେପି ଏକତ୍ର ଭାବେ ନିବାର୍ଚନ ଲଢ଼ିବେ। କ୍ୟାପଟେନ୍ ଅମରିନ୍ଦର ତାଙ୍କର ନୂଆ ଚିହ୍ନ ସହ ନିଜ ବିରୋଧିଙ୍କୁ ଚକମା ଦେବାକୁ ଆଶା ବାନ୍ଧିଛନ୍ତି। ହେଲେ ଏପର୍ୟ୍ୟନ୍ତ ପଞ୍ଜାବ ଲୋକ କଂଗ୍ରେସ ପାର୍ଟି ତା’ର ପ୍ରାର୍ଥୀଙ୍କ ନାଁ ଘୋଷଣା କରିନାହାନ୍ତି। ନିର୍ବାଚନ କମିଶନ କହିଛନ୍ତି ଯେ ପଞ୍ଜାବରେ ଫେବୃଆରୀ ୧୪ ତାରିଖରେ ବିଧାନସଭା ହେବ ଏବଂ ଗୋଟିଏ ପର୍ୟ୍ୟାୟରେ ଭୋଟିଂ କରାଯିବ। ମାର୍ଚ୍ଚ ୧୦ ତାରିଖରେ ଭୋଟ ଗଣତି ହେବ।