କାମ ଦେଉନି ଚୀନ୍ ଟିକା, ପୁଣି ଲକ୍ଡାଉନ୍
କାମ ଦେଉନି ଚୀନ୍ ଟିକା, ପୁଣି ଲକ୍ଡାଉନ୍
ବେଜିଂ: ଚୀନ୍ରେ କିନ୍ତୁ ତାଣ୍ଡବ ରଚିଛି କରୋନା। ଫେଲ୍ ମାରିଛି ଚୀନ୍ର ଜିରୋ କୋଭିଡ ପଲିସି। ଏଠି ସଂକ୍ରମଣ କମିବାର ନାଁ ନେଉ ନାହିଁ। କମିବା ବଦଳରେ ଏଠାରେ ବଢ଼ିବାରେ ଲାଗିଛି କରୋନା ମାମଲା। ଏଠି କରୋନା ଟିକା ମଧ୍ୟ ପ୍ରଭାବହୀନ ସାବ୍ୟସ୍ତ ହୋଇଛି। ଏହାକୁ ନେଇ ସେଠାକାର ସରକାର ଅଧିକାଂଶ ସହରରେ ଲକ୍ଡାଉନ ଲଗାଇବାକୁ ବାଧ୍ୟ ହୋଇଛନ୍ତି।
କୋଭିଡ ବିରୋଧରେ ଲଢ଼ିବା ଓ ଆଣ୍ଟିବଡି ତିଆରି କରିବା ପାଇଁ ଚୀନ ପ୍ରଥମେ ‘ସିନୋ ଭାକ’ ଓ ‘ସିନୋ ଫାର୍ମ ନାମକ ଦୁଇଟି କୋଭିଡ ନିରୋଧି ଟିକାକୁ ବିକସିତ କରିଥିଲା। ଚୀନ ଏହି ଟିକାକୁ ବିଭିନ୍ନ ଦେଶକୁ ରପ୍ତାନି କରିବା ସହିତ ଅନେକ ଦେଶକୁ ମଧ୍ୟ ଦାନ କରିଥିଲା। ସମୟ ଅନୁସାରେ ଏହା କୋଭିଡ ସଂକ୍ରମଣ ରୋକିବାରେ ଫଳପ୍ରଦ ନୁହେଁ ବୋଲି ଅଭିଯୋଗ ହୋଇଥିଲା। କିନ୍ତୁ ଚୀନ ସେହି ସମୟରେ ଏହି ଅଭିଯୋଗକୁ ଖଣ୍ଡନ କରିଥିଲା।
ପରେ ଅନେକ ଦେଶ କରୋନା ବିରୋଧରେ ଅତିରିକ୍ତ ଡୋଜ ବା ବୁଷ୍ଟର ଡୋଜ ନେବା ଆରମ୍ଭ କରିଥିଲେ। ଯେଉଁମାନେ କୋଭିଡ ଟିକାର ଦୁଇଟି ଡୋଜ ନେଇସାରିଥିଲେ ସେମାନଙ୍କୁ ଏହି ବୁଷ୍ଟର ଡୋଜ୍ ଦିଆଯାଇଥିଲା। ଡିସେମ୍ବର ମାସ ଶେଷ ବେଳକୁ ଯେତେବେଳେ କରୋନାର ନୂଆ ଭୁତାଣୁ ଓମିକ୍ରନ ଭାରିଏଣ୍ଟ ଚିହ୍ନଟ ହୋଇଥିଲା ସେତେବେଳେ ଚୀନର ସିନୋଭାକ ଟିକା ଏହାକୁ ମୁକାବିଲା କରିବାରେ ବିଫଳ ହୋଇଥିଲା।
ହଂକଂ ବିଶ୍ୱବିଦ୍ୟାଳୟ ତରଫରୁ କରାଯାଇଥିବା ଅଧ୍ୟୟନରୁ ଜଣା ପଡ଼ିଛି ଯେ ସିନୋଭାକ ଟୀକା ଦେହରେ ଆଣ୍ଟିବଡି ତିଆରି କରିବାରେ ଅସଫଳ ହୋଇଛି। ଯେଉଁ ଲୋକମାନେ କୋଭିଡ ଟୀକାର ଦୁଇଟି ଡୋଜ ନେଇସାରିଥିଲେ ସେମାନଙ୍କୁ କୋଭିଡ ସଂକ୍ରମଣରୁ ସୁରକ୍ଷା ଦେବାରେ ଏହି ଟୀକା ବିଫଳ ହୋଇଥିଲା।
ଚୀନର ଟୀକା ଏବେ ପ୍ରଭାବହୀନ ହୋଇଥିବାରୁ ସଂକ୍ରମଣ ବଢ଼ିବା ସହିତ ପରିସ୍ଥିତି ସେଠାରେ ଅଣାୟତ୍ତ ହୋଇପଡ଼ିଛି। ସେଠାରେ ଏବେ ଲକଡାଉନ ଛଡ଼ା ଅନ୍ୟ କୌଣସି ଉପାୟ ବଞ୍ଚିନାହିଁ। ଲୋକମାନଙ୍କୁ ଘରେ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦୋକାନ ବଜାର ବନ୍ଦ ରହିବା ସହିତ ଯୋଗାଣ ପ୍ରକ୍ରିୟାକୁ ମଧ୍ୟ ବନ୍ଦ କରି ଦିଆଯାଇଛି। ଏହାଦ୍ୱାରା ଲୋକମାନଙ୍କ ଜୀବନଶୈଳୀ ପ୍ରଭାବିତ ହୋଇଛି।




admin 