କର୍ଣ୍ଣାଟକ ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା
କର୍ଣ୍ଣାଟକ ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା
admin
Apr 26, 2021 - 09:07
Updated: Apr 26, 2021 - 09:07
ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଅତି ଭୟଙ୍କର ରୂପ ଧାରଣ କଲାଣି । ଛାତି ଥରାଇଦେଲା ଭଳି ହାରରେ ମାଡି ଚାଲିଛି କୋଭିଡର ଦ୍ୱିତୀୟ ଲହରୀ । ଦେଶରେ ଦୈନିକ ୩ ଲକ୍ଷ ଉପରେ କରୋନା ସଂକ୍ରମଣ ଚିହ୍ନଟ ହେଉଛନ୍ତି । ଆଜି ବି ଦେଶରୁ ୩ ଲକ୍ଷ ୫୨ ହଜାର ୯୯୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ ୨୪ ଘଂଟାରେ କରୋନାରେ ୨୮୧୨ ଜଣ ମୃତୁ୍ୟବରଣ କରିଛନ୍ତି । ଏବେ ମନେ ହେଉଛି ଯେମିତି କରୋନା ସୁନାମୀ ଗିଳିଯିବ ସାରା ଦେଶକୁ । କୋଭିଡ ଆରମ୍ଭ ହେବା ଦିନଠାରୁ ଏହା ବିଶ୍ୱରେ ସର୍ବାଧିକ ଦୈନିକ ସଂକ୍ରମଣ । ଏହା ଭିତରେ ସାମନାକୁ ଆସିଲା ଆଉ ଏକ ବଡ ଖବର । ତାହା ହେଲା କର୍ଣ୍ଣାଟକ ରାଜ୍ୟରେ ୧୪ ଦିନିଆ ଲକଡାଉନ ଘୋଷଣା କରାଯାଇଛି । ଆସନ୍ତାକାଲି ରାତିରୁ ଲକଡାଉନ ଲାଗୁ କରାଯିବ ।
ଗତ ୨୪ ଘଂଟା ମଧ୍ୟରେ କର୍ଣ୍ଣାଟକରେ ୩୪ ହଜାର ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ମଧ୍ୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୪ ହଜାର ୮୦୪ ରହିଥିଲା । ବିଶେଷକରି ବେଙ୍ଗାଲୁର ଅର୍ବାନରେ ୨୪ ଘଂଟା ମଧ୍ୟରେ ୨୦୭୩୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କରୋନା ସଂକ୍ରମଣର ଗତିକୁ ରୋକିବା ପାଇଁ ଏଭଳି କଠୋର ପଦକ୍ଷେପ ଗ୍ରହଣ କରିଛନ୍ତି କର୍ଣ୍ଣାଟକ ସରକାର । କରୋନା ସଂକ୍ରମଣର ଚେନ ଭାଙ୍ଗିବା ପାଇଁ ୧୪ ଦିନିଆ ଲକଡାଉନ କରାଯାଇଛି । ତେବେ ଲୋକମାନଙ୍କୁ ଅତ୍ୟାବଶ୍ୟକୀୟ ସେବା ଯୋଗାଇ ଦିଆଯିବ ବୋଲି କୁହାଯାଇଛି ।