କରୋନା ଟେଷ୍ଟ ନକଲେ ବୃଦ୍ଧାଶ୍ରମ ମନା
କରୋନା ଟେଷ୍ଟ ନକଲେ ବୃଦ୍ଧାଶ୍ରମ ମନା
admin
Jul 28, 2020 - 07:10
Updated: Jul 28, 2020 - 07:10
ଭୁବନେଶ୍ୱର: ଜୁଲାଇ ମାସରେ ରାଜ୍ୟରେ କରୋନା ଗ୍ରାଫ ଉପରମୁହାଁ ଧରିଛି । ତେବେ ଅଧିକାଂଶ ବୟସ୍କ ଲୋକମାନଙ୍କୁ କରୋନା ଶୀଘ୍ର ନିଜ ଜାଲରେ ଛନ୍ଦି ଦେଉଛି । ଏହାକୁ ଦୃଷ୍ଟିରେ ରଖି ଏକ ବଡ଼ ନିଷ୍ପତ୍ତି ନିଆଯାଇଛି । ଏଣିକି କରୋନା ଟେଷ୍ଟ ନକଲେ ବୃଦ୍ଧାଶ୍ରମ ମନା । ଏନେଇ ସବୁ ଜିଲ୍ଲାପାଳଙ୍କୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପକ୍ଷରୁ ଚିଠି କରାଯାଇଛି । ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ନୂଆ ଅନ୍ତେବାସୀଙ୍କୁ ବାରଣ କରାଯାଇଛି । ଅନ୍ତେବାସୀଙ୍କ କରୋନା ଟେଷ୍ଟ ହୋଇନଥିଲେ ଭିକାରୀ ଥଇଥାନ କେନ୍ଦ୍ର ଓ ବୃଦ୍ଧାଶ୍ରମରେ ପ୍ରବେଶ ଅନୁମତି ମିଳିବ ନାହିଁ । ପ୍ରଥମେ କରୋନା ଟେଷ୍ଟ ହେବ । ନେଗେଟିଭ ଆସିଲେ ହିଁ ପ୍ରବେଶ ଅନୁମତି ମିଳିବ । କରୋନା ନେଗେଟିଭ ପ୍ରମାଣପତ୍ର ଥିବା ବ୍ୟକ୍ତିଙ୍କୁ ହିଁ ରହିବାକୁ ଅନୁମତି ମିଳିବ । ଯେଉଁମାନେ କରୋନା ଟେଷ୍ଟ ପାଇଁ ସ୍ୱାବ ଦେଇଥିବେ, ସେମାନେ ରିପୋର୍ଟ ଆସିବା ପର୍ଯ୍ୟନ୍ତ ଟାଞ୍ଜିଟ ହାଉସରେ ରହିବେ । ପ୍ରଶାସନ ପକ୍ଷରୁ ସେମାନଙ୍କୁ କୋଭିଡ କେୟାର ହୋମରେ ମଧ୍ୟ ରହିବାର ବ୍ୟବସ୍ଥା କରାଯିବ ।
ପ୍ରକାଶ ଯେ, ରାଜ୍ୟରେ କରୋନା ମହାମାରୀ ଏବେ କିଛି ଶୁଣୁନାହିଁ । ତିନି ମାସ କାଁ ଭାଁ ଜଣେ ଦୁଇ ଜଣ ଲୋକ ମହାମାରୀରେ ଆକ୍ରାନ୍ତ ହେଉଥିବାବେଳେ ଏବେ ଦିନକୁ ଶହ ଶହ ସଂଖ୍ୟାରେ ସଂକ୍ରମିତ ବାହାରୁଛନ୍ତି । ରାଜ୍ୟରେ ପରିସ୍ଥିତି ଏପରି ହେଲାଣି ଯେ, ସଂକ୍ରମଣ ଦିନ କେଇଟାରେ ସବୁ ଅଙ୍କକୁ ଓଲଟପାଲଟ କରିଦେଇଛି । ପୂର୍ବରୁ ଜଣେ ଆକ୍ରାନ୍ତ ବାହାରିଲେ ତା’ର ଠିକଣା ଖୋଜି ଲୋକେ ତୁଣ୍ଡରେ ଘୋଷି ଦେଉଥିଲେ । ଏବେ ଆକ୍ରାନ୍ତଙ୍କ ସଂଖ୍ୟା ଆଉ ଗଣି ହେଉନାହିଁ । ସବୁଠାରୁ ବଡ଼ କଥା ହେଲା ଏବେ ସବୁ ବର୍ଗର ଲୋକେ ସଂକ୍ରମିତ ହୋଇସାରିଲେଣି ।