କରୋନା ଆଣିଲା ମାନ୍ଦାବସ୍ଥା
କରୋନା ଆଣିଲା ମାନ୍ଦାବସ୍ଥା
admin
Mar 28, 2020 - 08:48
Updated: Mar 28, 2020 - 08:48
କରୋନା ଭୂତାଣୁ ଜନିତ ସଂକ୍ରମଣ ବିଶ୍ୱ ଅର୍ଥନୀତିକୁ ମାନ୍ଦାବସ୍ଥା ଭିତରକୁ ଠେଲି ଦେଇଛି । ଅନ୍ତର୍ଜାତୀୟ ମୁଦ୍ରାପାଣ୍ଠି ମୁଖ୍ୟ କ୍ରିଷ୍ଟାଲିନା ଜର୍ଜିବା ଏହା ସ୍ପଷ୍ଟ କରିଛନ୍ତି । କେବଳ ସେତିକି ନୁହେଁ, ଏହି ମାନ୍ଦାବସ୍ଥା ୨୦୦୯ ମାନ୍ଦାବସ୍ଥାଠାରୁ ମଧ୍ୟ ଭୟଙ୍କର ରହିବ ବୋଲି ଏକ ଅନଲାଇନ ସାମ୍ବାଦିକ ସମ୍ମିଳନୀରେ କ୍ରିଷ୍ଟାଲିନା ଜର୍ଜିବା କହିଛନ୍ତି ।
ବିଶ୍ୱବ୍ୟାପୀ ଅର୍ଥନୀତି ହଠାତ ଠପ ହୋଇଯାଇଛି । ତେଣୁ ଉଚ୍ଚ ଅଭିବୃଦ୍ଧି ହାସଲ କରୁଥିବା ଅର୍ଥନୀତି ଗୁଡ଼ିକ ପାଇଁ ଅତିକମରେ ୨.୫ କୋଟି ଡଲାରର ଆର୍ଥିକ ସହାୟତାର ଆବଶ୍ୟକତା ରହିଛି ବୋଲି ଆଇଏମଏଫ ଆକଳନ କରିଛି । ତେବେ ଏହି ସହାୟତା ଦାବି ରାଶି ବଢ଼ିପାରେ ବୋଲି ସେ ସତର୍କ କରାଇ ଦେଇଛନ୍ତି । ୮୦ ରୁ ଅଧିକ ଦେଶ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠିଠାରୁ ସହାୟତା ପାଇଁ ଅନୁରୋଧ କରିସାରିଲେଣି । ଏହି ଦେଶ ଗୁଡ଼ିକ ମଧ୍ୟରେ ଅଧିକାଂଶ ଉନ୍ନତ ଦେଶ ରହିଛନ୍ତି ବୋଲି ସେ କହିଛନ୍ତି । ଗତ କିଛି ସପ୍ତାହ ମଧ୍ୟରେ ଉଚ୍ଚ ଅଭିବୃଦ୍ଧି ହାସଲ କରୁଥିବା ରାଷ୍ଟ୍ର ଗୁଡ଼ିକରୁ ୮୩ ବିଲିୟନ ଡଲାରରୁ ଅଧିକ ରାଶି ନିବେଶକମାନେ ଉଠାଇ ନେଇଛନ୍ତି । ଏହି ଦେଶ ଗୁଡ଼ିକ ସେଥିରୁ କିଛି ବହନ କରିପାରିବେ । କିନ୍ତୁ ସେମାନଙ୍କ ଘରୋଇ ସମ୍ବଳ ଏଥିପାଇଁ ଯଥେଷ୍ଟ ନୁହେଁ ବୋଲି ସେ କହିଛନ୍ତି । ଏତଦବ୍ୟତୀତ ଏଥିରୁ ଅନେକ ଦେଶର ଋଣ ବହୁ ଅଧିକ ରହିଛି । ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ଜର୍ଜିବା ଆଇଏମଏଫର ଜରୁରୀକାଳୀନ ପାଣ୍ଠିକୁ ବର୍ତ୍ତମାନର ପ୍ରାୟ ୫୦ ବିଲିଅନ ଡଲାରରୁ ବଢ଼ାଇବା ପାଇଁ ଷ୍ଟିଅରିଂ କମିଟି ବୈଠକରେ ପ୍ରସ୍ତାବ ଦେଇଥିଲେ ।