ଏନଡିଆରଏଫରୁ ଓଡ଼ିଶାକୁ ୧୭୯ କୋଟି ମଞ୍ଜୁର

ଏନଡିଆରଏଫରୁ ଓଡ଼ିଶାକୁ ୧୭୯ କୋଟି ମଞ୍ଜୁର

ଏନଡିଆରଏଫରୁ ଓଡ଼ିଶାକୁ ୧୭୯ କୋଟି ମଞ୍ଜୁର
ନୂଆଦିଲ୍ଲୀ: ପ୍ରାକୃତିକ ବିପର୍ଯ୍ୟୟ ସହାୟତା ପାଇଁ ଶୁକ୍ରବାର କେନ୍ଦ୍ର ସରକାରଙ୍କ ଦ୍ୱାରା ଓଡ଼ିଶାକୁ ଏନଡିଆରଏଫ ପାଣ୍ଠିରୁ ୧୭୯ କୋଟି ୬୪ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଓଡ଼ିଶା ସମେତ ଦେଶର ୮ଟି ରାଜ୍ୟ ଯଥା ବିହାର, କେରଳ, ନାଗାଲାଣ୍ଡ, ମହାରାଷ୍ଟ୍ର, ରାଜସ୍ଥାନ, ପଶ୍ଚିମବଙ୍ଗ ଓ କର୍ଣ୍ଣାଟକକୁ ଏନଡିଆରଏଫ ପାଣ୍ଠିରୁ ଅତିରିକ୍ତ ସହାୟତା ବାବଦରେ ମୋଟ ୫୭୫୧ କୋଟି ୨୭ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଛି । ଏହି ସବୁ ଆଠଟି ରାଜ୍ୟ ୨୦୧୯ ରେ ବାତ୍ୟା, ବନ୍ୟା ଓ ଭୂସ୍ଖଳନ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିଲେ । ଅତିରିକ୍ତ ସହାୟତା ବାବଦରେ ବିହାରକୁ ୯୫୩ କୋଟି ୧୭ ଲକ୍ଷ, କେରଳକୁ ୪୬୦ କୋଟି ୭୭ ଲକ୍ଷ ଟଙ୍କା, ନାଗାଲାଣ୍ଡକୁ ୧୭୭ କୋଟି ୩୭ ଲକ୍ଷ, ମହାରାଷ୍ଟ୍ରକୁ ୧୭୫୮ କୋଟି ୧୮ ଲକ୍ଷ ଟଙ୍କା ମଞ୍ଜୁର କରାଯାଇଥିବା ବେଳେ କର୍ଣ୍ଣାଟକକୁ ୨୦୧୮-୧୯ ର କ୍ଷୟକ୍ଷତି ପାଇଁ ଅତିରିକ୍ତ ସହାୟତା ବାବଦରେ ୧୧.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି । ୨୦୧୯-୨୦ ଆର୍ଥିକ ବର୍ଷରେ ବର୍ତ୍ତମାନ ସୁଦ୍ଧା କେନ୍ଦ୍ର ସରକାରଙ୍କ ଜମ୍ମୁ କାଶ୍ମୀର ସମେତ ୨୯ ଟି ରାଜ୍ୟକୁ କେନ୍ଦ୍ରୀୟ ଅଂଶଧନ ରୂପେ ରାଜ୍ୟ ବିପର୍ଯ୍ୟୟ ପାଣ୍ଠି (ଏସଡିଆରଏଫ) ରୁ ୧୦୯୩୭.୬୨ କୋଟି ଟଙ୍କା ଓ ଅତିରିକ୍ତ ସହାୟତା ବାବଦରେ ଏନଡିଆରଏଫ ପାଣ୍ଠିରୁ ୮ଟି ରାଜ୍ୟକୁ ୧୪୧୦୮ କୋଟି ୫୮ ଲକ୍ଷ ଟଙ୍କା ଦିଆଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ।