କ’ଣ ଏହି ଏଚ୍‌୩ଏନ୍୨ ଭୂତାଣୁ

କ’ଣ ଏହି ଏଚ୍‌୩ଏନ୍୨ ଭୂତାଣୁ

ଏଚ୍‌୩ଏନ୍୨ ହେଉଛି ଏକ ପ୍ରକାର ଋତୁକାଳୀନ ଇନଫ୍ଲୁଏଞ୍ଜା ଭୂତାଣୁ। ତେଣୁ ଏହା ଋତୁକାଳୀନ ସଂକ୍ରମଣ ହୋଇଥାଏ। ଏହା ଜାନୁଆରୀରୁ ମାର୍ଚ୍ଚ ଏବଂ ବର୍ଷା ଋତୁ ପରେ ପରେ ସଂକ୍ରମଣ ହୋଇଥାଏ। ବର୍ଷର ଏହି ଦୁଇ ସମୟରେ ଏହାର ସଂକ୍ରମଣ ଅଧିକ ରହିଥାଏ। ଅନ୍ୟ ସମୟରେ ଏହାର ସଂକ୍ରମଣ କମ୍ ରହିଥାଏ। ଏହି ଭୂତାଣୁ ଆମର ଶ୍ବାସକ୍ରିୟା ବ୍ୟବସ୍ଥାକୁ ସଂକ୍ରମଣ କରିଥାଏ।

ଭୂତାଣୁ ସଂକ୍ରମଣର ଲକ୍ଷଣ
ଏଚ୍‌୩ଏନ୍୨ ଭୂତାଣୁ ସଂକ୍ରମଣ ଦ୍ବାରା ଜ୍ବର ହୋଇଥାଏ। ଏହା ସହିତ କାଶ, ତଣ୍ଟି ଦରଜ, ଛିଙ୍କ, ଥଣ୍ଡା, ନାକରୁ ପାଣି ବାହାରିଥାଏ ଓ ଶରୀର ବ୍ୟଥା ହୋଇଥାଏ। ବେଳେବେଳେ ଝାଡା, ବାନ୍ତି ଓ ଅଣନିଶ୍ବାସୀ ମଧ୍ୟ ଲାଗିଥାଏ। ଆଇସିଏମ୍‌ଆର କହିିବା ଅନୁଯାୟୀ ଭୂତାଣୁ ସଂକ୍ରମଣ ଜନିତ ଜ୍ବର ତିନିଦିନ ପରେ ଛାଡିଯାଏ। ମାତ୍ର କାଶ ଓ ଛିଙ୍କ ୩ ସପ୍ତାହ ପର୍ୟ୍ୟନ୍ତ ଲାଗି ରହିଥାଏ। ଏଥିପାଇଁ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ହୋଇଥାଏ। ଜ୍ବର ହେଲେ ପାରାସିଟାମଲ୍‌ ଖାଇବାକୁ କୁହାଯାଇଛି। ତେବେ ଡାକ୍ତରଙ୍କ ଅନୁମୋଦନ ବିନା କୌଣସି ଆଣ୍ଟିବାୟୋଟିକ୍ ନ ଖାଇବାକୁ କୁହାଯାଇଛି। ସଂକ୍ରମଣ ଏଡାଇବା ପାଇଁ କେତେକ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି। ଭୂତାଣୁ ସଂକ୍ରମଣକୁ ଏଡାଇବାକୁ ହେଲେ ଜନଗହଳିସ୍ଥାନରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି। ଏହା ସହିତ ମାସ୍କ ପିନ୍ଧିବା, ନିୟମିତ ହାତ ଧୋଇବା, ଅନ୍ୟ ସହିତ ଏକାଠି ବସି ନ ଖାଇବା, ସାମାଜିକ ଦୂରତା ରକ୍ଷା କରିବା, ଆଖି ଓ ନାକକୁ ବାରମ୍ବାର ନ ଛୁଇଁବାକୁ କୁହାଯାଇଛି।