କଂଗ୍ରେସକୁ ନେଇ ଏପରି କହିଲେ ମୋକିମ୍‌

କଂଗ୍ରେସକୁ ନେଇ ଏପରି କହିଲେ ମୋକିମ୍‌

କଂଗ୍ରେସକୁ ନେଇ ଏପରି କହିଲେ ମୋକିମ୍‌

ଭୁବନେଶ୍ୱର: ନୂଆ ପିଢ଼ିଙ୍କୁ ଯଦି ଆଗକୁ ଅଣା ନ ଯାଏ ଓ ଲୋକଙ୍କ ପାଖରେ ନ ପହଞ୍ଚାଯାଏ, ତେବେ କଂଗ୍ରେସ ଉଦ୍ଧାଇ ପାରିବ ନାହିଁ। ବାରମ୍ବାର ଉପନିର୍ବାଚନ ଓ ନିର୍ବାଚନ ପରାଜୟ ପରେ କଂଗ୍ରେସ ମୁଖ୍ୟଙ୍କୁ ଗୁରୁତର ସହ ଚିନ୍ତା କରିବାର ସମୟ ଆସିଯାଇଛି। ଯେଉଁମାନେ ଓଡ଼ିଶାରେ କଂଗ୍ରେସ ଦଳର ନେତୃତ୍ୱ ନେଉଛନ୍ତି ତଥା ଯେଉଁମାନେ ଦିଲ୍ଲୀରୁ କଂଗ୍ରେସ ଦଳକୁ ମନିଟର କରିବା ପାଇଁ ଆସୁଛନ୍ତି ସେମାନଙ୍କ ପ୍ରତି ସନ୍ଦେହ ସୃଷ୍ଟି ହୋଇଛି। ସାଧାରଣ କଂଗ୍ରେସ କର୍ମୀଙ୍କ ଭିତରେ ପ୍ରଶ୍ନ ଉଠିଛି ଯେ, ବିଗତ ୫ ବର୍ଷ ଧରି ବାରମ୍ବାର ଯେତେ ଉପନିର୍ବାଚନ ବା ନିର୍ବାଚନ ହେଉଛି ଦଳୀୟ ଭୋଟ ହାର ୨ରୁ ୩ ପ୍ରତିଶତକୁ ପହଞ୍ଚି ଗଲାଣି। ନୋଟା ସହିତ କଂଗ୍ରେସର ଭୋଟ ହାର ସମାନ ହୋଇଗଲାଣି। ଓଡ଼ିଶାରେ କଂଗ୍ରେସ ଦାୟିତ୍ୱରେ ଥିବା ମୁଖିଆମାନେ ସିଟ୍ ଛାଡ଼ନ୍ତୁ। ଅବସର ନିଅନ୍ତୁ। ତାଙ୍କ ମୁହଁ ଦେଖିବାକୁ ଲୋକେ ଆଉ ଚାହୁଁନାହାନ୍ତି। ସେମାନେ ଆକର୍ଷଣ ହରାଇ ସାରିଲେଣି। ୟୁପି ଓ ପଶ୍ଚିମବଙ୍ଗ ଭଳି ଓଡ଼ିଶାରେ କଂଗ୍ରେସ ଦଳ ମୂଳପୋଛ ହେବାକୁ ବସିଛି। ଏଭଳି କହିଛନ୍ତି କଂଗ୍ରେସ ନେତା ତଥା କଟକ ବିଧାୟକ ମହମ୍ମଦ ମୋକିମ୍।

ସେ କହିଛନ୍ତି ଯେ ଦିଲ୍ଲୀର ନେତାମାନଙ୍କ ଉପରେ ମଧ୍ୟ ସନ୍ଦେହ ହେଲାଣି। ସେମାନେ ମଧ୍ୟ ଏଥିରେ ସମ୍ପୃକ୍ତ ରହୁଛନ୍ତି। କାରଣ କଂଗ୍ରେସ ପ୍ରତି ଉପନିର୍ବାଚନରେ ବିଫଳତା ସ୍ୱାଦ ଚାଖୁଛି। ଏହାସତ୍ତ୍ୱେ ଏହା ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ଅଗଣିତ କଂଗ୍ରେସ କର୍ମୀ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି। ସେମାନେ କଂଗ୍ରେସ ପତାକା ଧରିବେ ନା ଧରିବେନି? ତେଣୁ କଠୋର ନିଷ୍ପତ୍ତି ନେବାର ସମୟ ଅସିଯାଇଛି। ଯଦି ଏଭଳି ସ୍ଥିତି ଲାଗି ରହେ କଂଗ୍ରେସ ଦଳ ଓଡ଼ିଶାରୁ ବିଲୁପ୍ତ ହୋଇଯିବ।  

ନିର୍ବାତନ ପୂର୍ବରୁ ଓ ପରେ ଗଣମାଧ୍ୟମରେ ହାରିଗଲୁ ବୋଲି ଦାୟିତ୍ୱରେ ଥିବା ନେତା କହିଦେଲେ। ଗୋଟିଏ କାହାଣୀ କୁହାଗଲା, ଆମ ପାଖରେ ସମ୍ବଳ ନାହିଁ। ଆମେ ଲଢ଼ିବାକୁ ସକ୍ଷମ ହେଉନୁ। ବିଜେଡି ଓ ବିଜେପି ଅପର୍ୟ୍ୟାପ୍ତ ଟଙ୍କା ଖର୍ଚ୍ଚ କରି ଭୋଟ କିଣି ନେଉଛନ୍ତି। ଯଦି ସମ୍ୱଳ ନାହିଁ ଓ କଂଗ୍ରେସ ଦଳ ଲଢ଼ିବାକୁ ନିଜକୁ ପ୍ରସ୍ତୁତ କରିପାରୁନି, ତେବେ ପ୍ରାର୍ଥୀ କାହିଁକି ଦିଆଯାଉଛି ବୋଲି ସେ ପ୍ରଶ୍ନ କରିଛନ୍ତି। କ’ଣ ଲୋକହସା ହେବା ପାଇଁ ? ଯଦି ପ୍ରାର୍ଥୀ ଦିଆଯାଉଛି କିନ୍ତୁ ଖର୍ଚ୍ଚ ତୁଲେଇପାରୁନାହାନ୍ତି ତେବେ ଯେଉଁମାନେ ଦାୟିତ୍ୱରେ ଅଛନ୍ତି ସେମାନେ ଦାୟିତ୍ୱ ଛାଡ଼ି ଦିଅନ୍ତୁ। ଓଡ଼ିଶାରେ କଂଗ୍ରେସ ନେତା ବୋଲି ଏବେ ପରିଚୟ ଦେବା କଷ୍ଟ ହେଲାଣି। ଲୋକେ ଆଗେଇ ଆସି ଦଳର ଦାୟିତ୍ୱ ନେଇଥିବା ନେତାଙ୍କୁ ବିତାଡ଼ିତ କରନ୍ତୁ ବୋଲି ମୋକିମ୍ କହିଛନ୍ତି।