ଓଡ଼ିଶା ସଂସ୍କୃତି କେନ୍ଦ୍ର ପାଇଁ ଦିଲ୍ଲୀରେ ଜାଗା ଦିଅ -ନବୀନ

ଓଡ଼ିଶା ସଂସ୍କୃତି କେନ୍ଦ୍ର ପାଇଁ ଦିଲ୍ଲୀରେ ଜାଗା ଦିଅ -ନବୀନ

ଓଡ଼ିଶା ସଂସ୍କୃତି କେନ୍ଦ୍ର ପାଇଁ ଦିଲ୍ଲୀରେ ଜାଗା ଦିଅ -ନବୀନ
ଭୁବନେଶ୍ୱର : ଦିଲ୍ଲୀରେ ଓଡ଼ିଶା ସଂସ୍କୃତି କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଆମକୁ ଜାଗା ଦିଅ । ଦୀର୍ଘ ବର୍ଷ ହେଲାଣି ବିଭିନ୍ନ ସ୍ତରରେ ଆମେ ଏଥିପାଇଁ ଦାବି କରିଆସୁଛୁ । ତାମିଲନାଡୁ, କର୍ଣ୍ଣାଟକ, ଆନ୍ଧ୍ରସରକାରଙ୍କୁ ଯେମିତି ଭବନ ଓ ନିବାସ ବାଦ ସଂସ୍କୃତି କେନ୍ଦ୍ର ପାଇଁ ଜାଗା ଦେଇଛ, ଆମକୁ ବି ଦିଅ । କେନ୍ଦ୍ର ସରକାରଙ୍କ ପାଖରେ ଏଭଳି ଦାବି ଉଠାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏ ନେଇ କେନ୍ଦ୍ର ଗୃହ ନିର୍ମାଣ ଓ ସହରାଞ୍ଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ । ଚିଠିରେ ମୁଖ୍ୟମନ୍ତ୍ରୀ ଦର୍ଶାଇଛନ୍ତି, ଦିଲ୍ଲୀରେ ଓଡ଼ିଶା ସଂସ୍କୃତି କେନ୍ଦ୍ର ଓ ପାଠାଗାର ପ୍ରତିଷ୍ଠା ପାଇଁ ଓଡ଼ିଶା ସରକାର ଦାବି କରି ଆସୁଛନ୍ତି । ଓଡ଼ିଶା ଏକ ଐତିହ୍ୟ ସମ୍ପନ୍ନ ଓ ସମୃଦ୍ଧି ସଂସ୍କୃତିଭରା ରାଜ୍ୟ । ଓଡ଼ିଆ ସଂସ୍କୃତିର ସ୍ୱତନ୍ତ୍ରତା ରହିଛି । ଓଡ଼ିଆ ଜାତି ପ୍ରକୃତିର ସନ୍ତାନ । ଭଗବାନଙ୍କ ସହ ଓଡ଼ିଆ ଜନଜାତିର ଆବେଗଭରା ସମ୍ପର୍କ ରହିଛି । ପଶ୍ଚିମ ହେଉ କି ଉପକୂଳ, ଦକ୍ଷିଣାଞ୍ଚଳ କିମ୍ବା ଉତ୍ତରାଞ୍ଚଳ ଆମ ରାଜ୍ୟର ସବୁ ଅଞ୍ଚଳର ସଂସ୍କୃତିରେ ଭିନ୍ନତା ଓ ସ୍ୱତନ୍ତ୍ରତା ଭରି ରହିଛି । ଯାହାକି ଦେଶର ସଂସ୍କୃତିକୁ ଆହୁରି ସମୃଦ୍ଧ ଓ ରଙ୍ଗୀନ କରିଥାଏ । ଓଡ଼ିଶା ନୃତ୍ୟ ସାରା ବିଶ୍ୱରେ ପ୍ରସିଦ୍ଧ ଓ ପ୍ରଶଂସିତ । ଓଡ଼ିଆ ଭାଷା ଦେଶର ୬ଟି ଶାସ୍ତ୍ରୀୟ ଭାଷା ଭିତରୁ ଅନ୍ୟତମ । ଓଡ଼ିଆ ବ୍ୟଞ୍ଜନ, ହସ୍ତକଳା, ହସ୍ତଶିଳ୍ପ ଓ ଆଦିବାସୀ କଳା ଓ ସଂସ୍କୃତି ଏହାର ସ୍ୱତନ୍ତ୍ରତା ପାଇଁ ପରିଚିତ । ଏଭଳି ସମୃଦ୍ଧ ସଂସ୍କୃତି ଥିବା ସତ୍ତ୍ୱେ ଦିଲ୍ଲୀରେ ନିଜ କଳା, ସଂସ୍କୃତି ଓ ପ୍ରତିଭା ଦେଖାଇବାକୁ ଓଡ଼ିଶା ସରକାରଙ୍କର କୌଣସି ସ୍ଥାୟୀ କେନ୍ଦ୍ର ବା ଉପଯୁକ୍ତ ସ୍ଥାନ ନାହିଁ । ଦିଲ୍ଲୀରେ ବହୁ ସଂଖ୍ୟାରେ ପ୍ରବାସୀ ଓଡ଼ିଆ ରହୁଛନ୍ତି, ଯେଉଁମାନେ ଓଡ଼ିଆ ଐତିହ୍ୟ ଓ ସଂସ୍କୃତି ପ୍ରଚାର ଓ ସଂରକ୍ଷଣ ପାଇଁ ଆଗ୍ରହୀ । ଏଭଳି କେନ୍ଦ୍ର ଖୋଲିଲେ ଉଭୟ ଦେଶୀୟ ଓ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ । ଅନେକଙ୍କୁ ଜୀବିକା ମଧ୍ୟ ଯୋଗାଇବା ବୋଲି ନବୀନ କହିଛନ୍ତି । ସେ ଆଶା ବ୍ୟକ୍ତ କରିଛନ୍ତି, କେନ୍ଦ୍ର ମନ୍ତ୍ରୀ ଶ୍ରୀ ପୁରୀ ଏହି ପ୍ରସଙ୍ଗରେ ହସ୍ତକ୍ଷେପ କରି ଓଡ଼ିଶା ସଂସ୍କୃତି କେନ୍ଦ୍ର ପାଇଁ ଦିଲ୍ଲୀରେ ଉପଯୁକ୍ତ ଜମି ଯୋଗାଇ ଦେବେ, ଯାହାକି ଦୀର୍ଘଦିନର ଓଡ଼ିଆମାନଙ୍କ ଦାବିକୁ ପୂରଣ କରିବ । ଦିଲ୍ଲୀରେ ସାଂସ୍କୃତିକ ଓ ସାମାଜିକ କାର୍ଯ୍ୟକ୍ରମ ପାଇଁ ବିଭିନ୍ନ ରାଜ୍ୟକୁ କେନ୍ଦ୍ର ସରକାର ଆବଶ୍ୟକ ଜାଗା ଯୋଗାଇ ଦେଇଛନ୍ତି । ତେଣୁ ଓଡ଼ିଶାକୁ ଏ ଦିଗରେ କେନ୍ଦ୍ର ସରକାର ସହଯୋଗ କରିବେ ବୋଲି ସେ ଆଶାବାଦୀ ବୋଲି ନବୀନ କହିଛନ୍ତି ।